ବାଲିଗୁଡା ୨୩।୩: ଦେଶକୁ ନକ୍ସଲ ଏବଂ ମାଓମୁକ୍ତ କରିବା ପାଇଁ ୩୧ ମାର୍ଚ୍ଚ ୨୦୨୬ ଡେଡ୍ଲାଇନ । ତାରିଖ ଯେତିକି ଯେତିକି ପାଖେଇ ଆସୁଛି, ସେହି ଅନୁସାରେ ଆମ ରାଜ୍ୟ ଓ କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ନିକଟ ଅତୀତରେ କନ୍ଧମାଳ ଜିଲ୍ଲାରେ ୧୦ ଜଣ ଓ କଳାହାଣ୍ଡି ଜିଲ୍ଲାରେ ୧୦ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଥିବା ବେଳେ ବର୍ତ୍ତମାନ କେବଳ ୧୧ ଜଣ ମାଓବାଦୀ ବଞ୍ଚିଛନ୍ତି । ଯେଉଁ ମାନେ କନ୍ଧମାଳ-ରାୟଗଡ଼ା-କଳାହାଣ୍ଡି ଜିଲ୍ଲାର ସୀମାନ୍ତବର୍ତ୍ତୀ ଜଙ୍ଗଲରେ ଲୁଚି ରହିଛନ୍ତି । ତେଣୁ ସେମାନଙ୍କୁ ଧରିବା ପାଇଁ ରାଜ୍ୟ ପୋଲିସର ଏହି ସୀମାନ୍ତବର୍ତ୍ତୀ ଜଙ୍ଗଲରେ ବଡ଼ କମ୍ବିଂ ଅପରେସନ ଜାରି ରହିଛି । SOG, CRPF ଏବଂ BSF ଯବାନ ମାନେ ମିଳିତ ଭାବେ କମ୍ବିଂ ଅପରେସନ କରୁଛନ୍ତି ।

ଲୁଚି ରହିଛନ୍ତି ୧୧ ମାଓବାଦୀ

ଯେଉଁ ୧୧ ଜଣ ମାଓବାଦୀ ବଞ୍ଚିଛନ୍ତି ସେମାନଙ୍କ ମଧ୍ୟରେ CPI ମାଓବାଦୀ ସ୍ପେସିଆଲ ଜୋନାଲ କମିଟି ମେମ୍ବର ଶୁକ୍ରୁ ରହିଛି । ତା ସହିତ ଡିଭିଜନାଲ କମିଟି ମେମ୍ବର ସିଲା, ୫ ଜଣ ଏରିଆ କମିଟି ମେମ୍ବର ରଜିତା, ମଙ୍କୁ, ସନ୍ତୋଷ, ସନ୍ଧ୍ୟା ଏବଂ ସୁଷୁମା, ପାର୍ଟି ମେମ୍ବର ୪ ଜଣ ଅଛନ୍ତି । ମୋଟ୍ ୧୧ ଜଣ ମାଓବାଦୀ ଏହି ଜଙ୍ଗଲରେ ଲୁଚି ରହିଛନ୍ତି । ଯେଉଁ ମାନଙ୍କ ପୋଷ୍ଟର ଓଡ଼ିଶା ପୋଲିସ ରିଲିଜ କରିଛି ଏବଂ ଏମାନଙ୍କ ମୁଣ୍ଡ ଉପରେ ଥିବା ଅର୍ଥରାଶି ସହିତ ମାଓବାଦୀ ଧରାନ୍ତୁ ଏବଂ ପୁରସ୍କାର ପାଆନ୍ତୁ ବୋଲି ପୋଷ୍ଟର ଲଗାଯାଇଛି । ଏହା ସହିତ 9437643839 ମୋବାଇଲ ନମ୍ବରରେ ଯେଉଁ ବ୍ୟକ୍ତି ଏହି ମାଓବାଦୀଙ୍କ ଉପଯୁକ୍ତ ସୂଚନା ଦେବେ ତାଙ୍କ ନାମ ଗୋପନୀୟ ରଖାଯିବା ସହିତ ପୁରସ୍କାର ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

Also Read: Bengal Polls: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଓଡ଼ିଶା ନେତାଙ୍କୁ ଗୁରୁଦାୟିତ୍ଵ, ମନ୍ତ୍ରୀଠୁ ବିଧାୟକ ଆରମ୍ଭ କଲେଣି ପ୍ରଚାର

କମ୍ବିଂ ଅପରେସନ ଜୋରଦାର

ଜିଲ୍ଲାର ସୀମାନ୍ତବର୍ତ୍ତୀ ଜଙ୍ଗଲ ଏବଂ ଜଙ୍ଗଲ ଭିତରେ ରହିଥିବା ଛୋଟିଆ ଛୋଟିଆ ଗାଁ ଗୁଡ଼ିକରେ ବହୁଳ ଭାବେ ଏହି ପୋଷ୍ଟର ଲଗାଯାଇଛି । ପୋଲିସର କମ୍ବିଂ ଅପରେସନ ମଧ୍ୟ ଜୋରଦାର ଚାଲିଛି । ଏଭଳି ସ୍ଥଳେ ଶୁକ୍ରୁ ସମେତ ଏହି ୧୧ ଜଣ ମାଓବାଦୀ ଯଦି ଆତ୍ମସମର୍ପଣ ନକରନ୍ତି, ତେବେ ନିଶ୍ଚିତ ଭାବେ ସୁରକ୍ଷାକର୍ମୀଙ୍କ ଗୁଳିରେ ଏମାନେ ଟଳି ପଡ଼ିବେ ବୋଲି ଅନୁମାନ କରାଯାଉଛି ।