ଚେନ୍ନାଇ: ଦୁଲୀପ ଟ୍ରଫି ୨୦୨୬ ଫାଇନାଲ୍ ମ୍ୟାଚରେ ପଡ଼ିଆ ମଧ୍ୟରେ ଦେଖିବାକୁ ମିଳିଛି ହାଇଡ୍ରାମା। ପୂର୍ବାଞ୍ଚଳ ୧୫ ବର୍ଷୀୟ ଯୁବ ବିସ୍ଫୋରକ ଓପନର୍ ବୈଭବ ସୂର୍ଯ୍ୟବଂଶୀ ଏବଂ ଦକ୍ଷିଣାଞ୍ଚଳର ଅଧିନାୟକ ତିଳକ ବର୍ମାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାଉଣ୍ଡରେ ଦୁଇ ଖେଳାଳିଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ହାତାହାତି ଭଳି ସ୍ଥିତି ଉପୁଜିବାରୁ ଶେଷରେ ଅମ୍ପାୟାରଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପୂର୍ବାଞ୍ଚଳ। ଓପନିଂ କରିବାକୁ ଓହ୍ଲାଇଥିଲେ ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିମନ୍ୟୁ ଈଶ୍ୱରନ୍। ୧୫ ବର୍ଷୀୟ ବୈଭବ ରେଡ୍ ବଲ୍ କ୍ରିକେଟ୍ରେ ଟି-୨୦ ଶୈଳୀରେ ବ୍ୟାଟିଂ କରି ସାଉଥ୍ ଜୋନ୍ ବୋଲରଙ୍କ ଉପରେ ଚାପ ପକାଇଥିଲେ। ସେ ପ୍ରମୁଖ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଗୋଟିଏ ଓଭରରେ ୨ଟି ଚୌକା ଓ ୧ଟି ଛକା ମାରି ଦଳକୁ ଏକ ବିସ୍ଫୋରକ ଆରମ୍ଭ ଦେଇଥିଲେ।

 

୧୧ତମ ଓଭରରେ ବଢ଼ିଲା ଉତ୍ତେଜନା

ମ୍ୟାଚର ୧୧ତମ ଓଭରରେ ବୈଭବଙ୍କ ଲୟ ଭାଙ୍ଗିବା ପାଇଁ ସାଉଥ୍ ଜୋନର ଅଧିନାୟକ ତିକ ବର୍ମା କ୍ରମାଗତ ଭାବେ ସ୍ଲେଜିଂ କରିବା ଆରମ୍ଭ କରିଥିଲେ। ସ୍ଲେଜିଂ ବୃଦ୍ଧି ପାଇବା ପରେ ତିଳକ ବୈଭବଙ୍କ ନିକଟକୁ ଆସି ଛାତିରେ ହାତ ମାରି କିଛି କହିଥିଲେ। ଏହାର ଜବାବରେ ବୈଭବ ମଧ୍ୟ ପଛଘୁଞ୍ଚା ନଦେଇ ତାଙ୍କ ସାମ୍ନାରେ ଠିଆ ହୋଇ ରହିଥିଲେ। ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିବାରୁ ଅମ୍ପାୟାର ତୁରନ୍ତ ମଝିକୁ ଆସି ଦୁଇ ଖେଳାଳିଙ୍କୁ ଅଲଗା କରିଥିଲେ।

ଲୟ ବିଗାଡ଼ିବା ଏବଂ ଚାପ ସୃଷ୍ଟି କରିବା ପାଇଁ ଏପରି ସ୍ଲେଜିଂ କରାଯାଇଥିବା ବେଳେ ବୈଭବ ଓ ଅଭିମନ୍ୟୁ ପ୍ରଥମ ୱିକେଟ୍ ପାଇଁ ୧୦୦ ରନର ଭାଗିଦାରୀ କରିଥିଲେ। ବୈଭବ ୩୭ଟି ବଲରୁ ୫ଟି ଚୌକା ଓ ୧ଟି ଛକା ସହାୟତାରେ ୪୪ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଅଭିମନ୍ୟୁ ୭୨ ରନ୍ କରି ରନ୍ ଆଉଟ୍ ହୋଇଥିବା ବେଳେ ଶିଖର ମୋହନ ୮୫ ରନର ଗୁରୁତ୍ୱପୂର୍ଣ୍ଣ ପାରୀ ଖେଳିଛନ୍ତି। ସାଉଥ୍ ଜୋନ୍ ପକ୍ଷରୁ ମହମ୍ମଦ ସିରାଜ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇ ୧୧ ଓଭରରେ ୭୦ ରନ୍ ଦେଇଥିଲେ ହେଁ କୌଣସି ୱିକେଟ୍ ପାଇନାହାନ୍ତି।