କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ମହାତ୍ୱାକାଂକ୍ଷୀ ବାଘ ସ୍ଥାନାନ୍ତର ପ୍ରକଳ୍ପ ପୁଣି ଏକ ଆହ୍ୱାନର ସାମନା କରିଛି । ବକ୍ସା ଟାଇଗର ରିଜର୍ଭରେ ବାଘଙ୍କ ପୁନଃସ୍ଥାପନ ପ୍ରକଳ୍ପକୁ ବଡ଼ ଝଟକା ଲାଗିଛି । ଆସାମର ରାଇମୋନା ଜଙ୍ଗଲ ଅଞ୍ଚଳରୁ ନଭେମ୍ବର ୩ରେ ଫେରାଇ ଅଣାଯାଇଥିବା ତିନି ବର୍ଷୀୟା ବାଘୁଣୀ ପୁଣି ଥରେ ଖସି ପଳାଇଛି । ରବିବାର ଅପରାହ୍ନରେ ସେ ୨.୨ ହେକ୍ଟର ପରିମିତ ଏକ ସ୍ୱତନ୍ତ୍ର ଏନସ୍ଲୋଜର ଅଞ୍ଚଳରୁ ବାହାରି ଯାଇଛି ।

ବନ ବିଭାଗର ସୂତ୍ର ଅନୁସାରେ, ବାଘୁଣୀଟି ଆବଦ୍ଧ ଅଞ୍ଚଳର ବାଡ଼ ପାଖରେ ଏକ ଗାତ ଖୋଳି ସେଥିରେ ପଶି ବାହାରକୁ ଚାଲିଯାଇଛି । ରବିବାର ଅପରାହ୍ନ ପ୍ରାୟ ୧ଟା ୩୦ରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ଯେ ମାତ୍ର ଚାରି ଦିନ ପୂର୍ବରୁ ହିଁ ଦୀର୍ଘ ୧୦ ଦିନର ଅଭିଯାନ ପରେ ବନ କର୍ମଚାରୀମାନେ ତାକୁ ଆସାମରୁ ଫେରାଇ ଆଣିଥିଲେ । ନଭେମ୍ବର ୩ରେ ବାଘୁଣୀକୁ ନିଶ୍ଚେତକ ଦେଇ ଧରାଯାଇଥିଲା । ଗତ ୩୪ ଦିନ ମଧ୍ୟରେ ତାକୁ ଧରିବା ପାଇଁ ଏହା ଥିଲା ତୃତୀୟ ଟ୍ରାଙ୍କୁଲାଇଜେସନ୍ ଅଭିଯାନ ।

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, ବାଘୁଣୀଟି ପୂର୍ବ ଦିଗକୁ ଗତି କରୁଥିଲା ଏବଂ ବାଲା ନଦୀ ପାର ହୋଇ ଯାଇଥିବା ସୂଚନା ମିଳିଛି । ଯଦି ସେ ପୂର୍ବରୁ ଯାଇଥିବା ରାସ୍ତାରେ ଯାଏ, ତେବେ ତାକୁ ଜୟନ୍ତୀ ଓ ରାଇଡାକ୍ ନଦୀ ପାର ହୋଇ ସଙ୍କୋଶ ନଦୀ ନିକଟରେ ପହଞ୍ଚିବାକୁ ପଡ଼ିବ । ସଙ୍କୋଶ ନଦୀ ପାର ହେଲେ ସେ ପୁଣି ଆସାମ କିମ୍ବା ଭୁଟାନ ଆଡ଼କୁ ଯାଇପାରେ । ଏହି ଘଟଣା ପରେ ବକ୍ସାରେ ନିର୍ମାଣ କରାଯାଇଥିବା ବାଘୁଣୀର ଅସ୍ଥାୟୀ ରହଣିସ୍ଥଳର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।

ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଜଣେ ପୂର୍ବତନ ବୈଜ୍ଞାନିକଙ୍କ କହିବା ଅନୁସାରେ, ଯଦି ବାଡ଼ର ମୂଳଦୁଆ ଠିକ୍ ଭାବେ ନିର୍ମାଣ ହୋଇନଥାଏ, ତେବେ ବାଘ ତଳେ ଗାତ ଖୋଳି ବାହାରକୁ ଯାଇପାରେ । କିନ୍ତୁ କୁକୁର କିମ୍ବା ହାଏନା ପରି ବାଘମାନେ ଖୋଳିପାରିବେ ନାହିଁ ।

ଏହି ବାଘୁଣୀର ପରିଚୟ T-138 ଏବଂ ପରେ ଏହାର ନାମ BTR-TF1 ରଖାଯାଇଥିଲା । ବିହାରର ବାଲ୍ମିକୀ ଟାଇଗର ରିଜର୍ଭରୁ ଏହାକୁ ଅଣାଯାଇଥିଲା । ଅକ୍ଟୋବର ୨ରେ ପଶ୍ଚିମବଙ୍ଗର ବକ୍ସା ଟାଇଗର ରିଜର୍ଭରରେ ଏହାକୁ ଛଡ଼ାଯାଇଥିଲା । କିନ୍ତୁ ଅକ୍ଟୋବର ୪ରେ ଏହା ଆବଦ୍ଧ ଅଞ୍ଚଳରୁ ବାହାରି ଯାଇଥିଲା । ପରେ ସଙ୍କୋଶ ନଦୀ ପାର ହୋଇ ଆସାମର ରାଇମୋନା ଜାତୀୟ ଉଦ୍ୟାନରେ ପହଞ୍ଚିଥିଲା ।

ବାଘୁଣୀର ଗତିବିଧି ଉପରେ ନଜର ରଖିବା ପାଇଁ ତାକୁ ରେଡିଓ କଲାର୍ ଲଗାଯାଇଥିଲା । କିନ୍ତୁ ଅକ୍ଟୋବର ୨୮ ତାରିଖରେ ୩୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଏହାର ସିଗନାଲ୍ ମିଳିନଥିଲା । ପରେ ବନ ବିଭାଗ ପକ୍ଷରୁ ଜୋରଦାର ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ପରେ ସିଗନାଲ୍ ମିଳିବାରୁ ଆସାମର ବିଭିନ୍ନ ଅଞ୍ଚଳରେ ତାର ଗତିବିଧି ଠାବ କରାଯାଇଥିଲା । ମଣିଷ ରହୁଥିବା ଅଞ୍ଚଳ ନିକଟରେ ବାଘୁଣୀର ଗତିବିଧି ଦେଖାଯିବା ଏବଂ କାଳୀପୂଜା ଉତ୍ସବ ନିକଟତର ହେବାରୁ ପଶ୍ଚିମବଙ୍ଗ ବନ ବିଭାଗ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଠାରୁ ତାକୁ ପୁଣି ନିଶ୍ଚେତକ ଦେଇ ଧରିବାକୁ ଅନୁମତି ମାଗିଥିଲା ।

ଅନୁମତି ମିଳିବା ପରେ ପଶ୍ଚିମବଙ୍ଗ ଓ ଆସାମ ବନ ବିଭାଗର ମିଳିତ ଟିମ୍ ଅଭିଯାନ ଆରମ୍ଭ କରିଥିଲେ । ଶେଷରେ ନଭେମ୍ବର ୩ ତାରିଖରେ ଆସାମର ଡୋଟମା ଅଞ୍ଚଳର ଗିଲାଗୁରିଠାରେ ବାଘୁଣୀକୁ ଧରାଯାଇ ବକ୍ସାକୁ ଫେରାଇ ଅଣାଯାଇଥିଲା । କିନ୍ତୁ ଫେରିବାର ମାତ୍ର ଚାରି ଦିନ ପରେ ପୁଣି ଥରେ ବାଘୁଣୀ ଖସିଯିବା ଘଟଣା ବନ ବିଭାଗର ଚିନ୍ତା ବଢ଼ାଇଛି ।