ଭୁବନେଶ୍ୱର: ଆସନ୍ତା ସପ୍ତାହ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ହୋଇପାରେ । ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କୁଆପଥର ସହ ବର୍ଷା ଓ ବିଜୁଳି, ଘଡ଼ଘଡ଼ି ଡରାଇବ । ୩୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ପାଣିପାଗ ବିଭାଗ(ଆଇଏମ୍ଡି) ବିସ୍ତାରିତ ଆକଳନରେ ଏଭଳି ପୂର୍ବାନୁମାନ କରିଛି ।

ଚଳିତ ସପ୍ତାହରେ(ଏପ୍ରିଲ ୧ ତାରିଖ ଭିତରେ) ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ସେହିଭଳି ଏପ୍ରିଲ ପହିଲା ଯାଏ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୧.୬ ଡିଗ୍ରୀରୁ ୩ ଡିଗ୍ରୀ ଯାଏ ଅଧିକ ରହିବାର ସମ୍ଭାବନା ଅଛି । କିନ୍ତୁ ୨ରୁ ୮ ତାରିଖ ଭିତରେ ଦିନ ତାପମାତ୍ରା ବଢ଼ିପାରେ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Also Read..Kalabaisakhi: ଟ୍ବିନ୍‌ସିଟିରେ କାଳବୈଶାଖୀର ତାଣ୍ଡବ, ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼

ଗୁରୁବାର ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଭୀଷଣ ଝଡ଼ ବର୍ଷା ହୋଇଛି । ଶୁକ୍ରବାର ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରେ ଝଡ଼ ବର୍ଷା ଆଶଙ୍କା ଅଛି ।

୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ଅଛି । ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଶନିବାର ମୟୂରଭଞ୍ଜ ଓ ବାଲେଶ୍ୱରରେ ଘଡ଼ଘଡ଼ି ଓ ବର୍ଷା ହୋଇପାରେ । ଝାରସୁଗୁଡ଼ାରେ ଦିନ ତାପମାତ୍ରା ସବୁଠୁ ଅଧିକ ୩୮.୮ ଡିଗ୍ରୀ ସେଲସିୟସ୍ ଥିଲା । ହୀରାକୁଦରେ ୩୮.୬, ଟିଟିଲାଗଡ଼ରେ ୩୮.୫, ସମ୍ବଲପୁରରେ ୩୮.୪ ଓ ଭବାନୀପାଟଣାରେ ୩୮.୨ ଡିଗ୍ରୀ ରେକର୍ଡ ହୋଇଥିଲା ।