ଉମରକୋଟ ୦୯।୦୪ : ଗାଁ ପୋଖରୀକୁ ଯାଇଥିଲେ । ଖୁସିରେ ଖୁସିରେ ଗାଧୋଉଥିଲେ । ହେଲେ ବହୁତ ସମୟ ଯାଏଁ ତିଷ୍ଠିଲାନି ଖୁସି । ପୋଖରୀରେ ବୁଡ଼ି ଚାଲିଗଲା ତିନି ନାବାଳିକାଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସି ଗାଁରୁ ଆସିଛି ଏପରି ଦୁଃଖଦ ଖବର । ପୁରା ଗାଁରେ ଶୋକାକୁଳ ପରିବେଶ ।

ଖବର ଅନୁଯାୟୀ, କୁର୍ସି ଗାଁରେ ରାଜମନ ଗଣ୍ଡଙ୍କୁ ଦୁଇ ଝିଅ ଏବଂ ବାଲସାଇ ଗଣ୍ଡଙ୍କ ଗୋଟିଏ ଝିଅ ସାଙ୍ଗ ହୋଇ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗୁରୁବାର ମଧ୍ୟାହ୍ନ ସମୟରେ ଗାଧୋଉଥିବା ବେଳେ ହଠାତ୍‌ ଘଟିଲା ଅଘଟଣ । ପୋଖରୀରେ ଗାଧୋଉଥିବା ବେଳେ ତିନି ଜଣ ନାବାଳିକା ବୁଡ଼ି ଯାଇଥିଲେ । ଏହାପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତୁରନ୍ତ ନାବାଳିକାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । ତିନି ନାବାଳିକାଙ୍କୁ ମେଡିକାଲରେ ମୃତ ଘୋଷଣା କରିଛନ୍ତି ।

Also Read:-ଏଥର ଆଉ ନୁହେଁ, ଗୋଟିଏ ଷ୍ଟ୍ରାଇକ୍‌ରେ ଶେଷ ହେବ ଯୁଦ୍ଧ: ପରମାଣୁ ଆକ୍ରମଣ କରିପାରେ ଋଷିଆ

ସେପଟେ ତିନି ନାବାଳିକାଙ୍କ ମୃତ୍ୟୁ ଖବର ପାଇଁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କାନ୍ଦବୋବାଳିରେ  ଫାଟି ପଡୁଛି ଦୁଇ ପରିବାର । ସେହିପରି ବର୍ତ୍ତମାନ ଯାଏଁ ମୃତକଙ୍କ ନାମ ହସ୍ତଗତ ହୋଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସ ତଦନ୍ତ ପରେ ମୃତ୍ୟୁ ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।