Russia Ukraine War: ଦୀର୍ଘ ୫ ବର୍ଷ ହେଲାଣି ଚାଲିଛି ଯୁଦ୍ଧ। ଆକ୍ରମଣ ପ୍ରତି ଆକ୍ରମଣର ହତାଶ ହେଲେଣି ଋଷ-ୟୁକ୍ରେନ୍। ମରୁଛନ୍ତି ଲୋକେ, ନଷ୍ଟ ହେଉଛି ସମ୍ପତ୍ତି। ତଳିତଳାନ୍ତ ହେଉଛି ଅର୍ଥନୀତି। ଏଥର ଆଉ ନୁହେଁ, ଭାଙ୍ଗିଛି ପୁଟିନଙ୍କ ଧୈର୍ଯ୍ୟ। ୟୁକ୍ରେନ୍ ଉପରେ ହେବ ଭୟଙ୍କର ଆକ୍ରମଣ। ଗୋଟିଏ ଷ୍ଟ୍ରାଇକରେ ସବୁ ଶେଷ। ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିବାକୁ ଯୋଜନା କରୁଛି ମସ୍କୋ।

ପୁଟିନ ସରକାରଙ୍କ ସହ ଜଡିତ ଋଷର ଏକ ବଡ଼ ବ୍ୟବସାୟୀ ତଥା ମିଡିଆ ଲିଡର ଏହି ବୟାନ ଦେବା ପରେ ୟୁକ୍ରେନରେ ଭୟର ବାତାବରଣ ଖେଳିଯାଇଛି। ଏଭଳି ବୟାନ ଦେଇଛନ୍ତି ବ୍ୟବସାୟୀ ତଥା ଋଷ ସରକାରୀ ସମର୍ଥକ ଚ୍ୟାନେଲ୍ ସାର୍ଗ୍ରାଡ୍ (Tsargrad) ମାଲିକ କନଷ୍ଟାଣ୍ଟିନ ମାଲୋଫିଭ। ପରମାଣୁ ଆକ୍ରମଣ ହିଁ ଯୁଦ୍ଧର ନିର୍ଣ୍ଣାୟକ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

ୟୁକ୍ରେନର ଯୁଦ୍ଧ କ୍ଷମତା ପାଇଁ ଚିନ୍ତିତ ଋଷ, ପରମାଣୁ ଆଟାକ୍ ଆଶଙ୍କା

ଯୁଦ୍ଧ ଦୀର୍ଘଦିନ ହେଲା ଲାଗି ରହିଥିବାରୁ ଦୁଇ ଦେଶ କ୍ଲାନ୍ତ ହୋଇପଡ଼ିଲେଣି। ତା’ ଛଡ଼ା ବଢ଼ୁଥିବା ୟୁକ୍ରେନର ସାମରିକ କ୍ଷମତା ମଧ୍ୟ ପୁଟିନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କାରଣ ୟୁକ୍ରେନ୍ ପଶ୍ଚିମ ଦେଶଗୁଡ଼ିକ ଠାରୁ ସମର୍ଥନ ପାଇଁ ଅତ୍ୟାଧୁନିକ ଅସ୍ତ୍ରର ପ୍ରହାର ଋଷ ଉପରେ କରୁଛି। ଏହାର ଜବାବରେ ଋଷ କେବଳ ଲକ୍ଷ୍ୟସ୍ଥଳକୁ ଧ୍ୱଂଶ କରୁଛି। ହେଲେ ଋଷ ଏବେ ଆଉ ଯୁଦ୍ଧକୁ ଲମ୍ବାଇବାକୁ ଚାହୁଁନି। ତେଣୁ ଗୋଟିଏ ପ୍ରହାରରେ ଯୁଦ୍ଧକୁ ଶେଷ କରିବାକୁ କିଛି ବଡ଼ ଯୋଜନା କରୁଛି ବୋଲି ମିଡିଆ ରିପୋର୍ଟ କହିଛି।

Also Read- Israel Airstrike on Lebanon: ଲେବାନନ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍: ୧୮୦ ମୃତ, ୮୦୦ ଆହତ, ତାତିଲା ଇରାନ

ଡେଲି ଏକ୍ସପ୍ରେସର ରିପୋର୍ଟ ଅନୁସାରେ କନଷ୍ଟାଣ୍ଟିନ ମାଲୋଫିଭ କହିଛନ୍ତି ଏଭଳି ପରିସ୍ଥିତିରେ ପରମାଣୁ ଆକ୍ରମଣ ହିଁ ଯୁଦ୍ଧର ନିର୍ଣ୍ଣାୟକ ହୋଇପାରେ। ମିଡିଆରେ ତାଙ୍କର ଏଭଳି ବୟାନ ୟୁକ୍ରେନ୍ ସମେତ ବିଶ୍ୱରେ ଚିନ୍ତା ବଢ଼ାଇ ଦେଇଛି। ମିଡିଆରେ ପ୍ରତିକ୍ରିୟା ଦେଇ ସେ ଯୁଦ୍ଧକୁ ଏକଦମ ଶେଷ କରିବାକୁ ଆହ୍ୱାନ ଦେଇଛନ୍ତି। କହିଛନ୍ତି “ବର୍ତ୍ତମାନ ଯୁଦ୍ଧ ଶେଷ କରିବାର ସମୟ ଆସିଯାଇଛି। ପରମାଣୁ ଆକ୍ରମଣ ଦ୍ୱାରା ସବୁକିଛି ନିଷ୍ପତ୍ତି ନିଆଯିବ।”

ଭୟ ଟିକେ ଆହୁରି ବଢ଼ାଇ ଦେଇ ମାଲୋଭିକ କହିଛନ୍ତି ଯେ ଋଷ "ପଶ୍ଚିମ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିବାର ୭୨ ଘଣ୍ଟା ପୂର୍ବରୁ ନାଗରିକମାନଙ୍କୁ ସୂଚନା ଦେବ। ୨୦-୨୫ କିଲୋଟନର ପରମାଣୁ ବୋମା ମାଡ଼ କରି ସାରା ୟୁକ୍ରେନ୍ରେ ଗୁରୁତର ବିନାଶ ଏବଂ ଆତଙ୍କ ସୃଷ୍ଟି କରିବ। ଯୁଦ୍ଧ ଗୋଟିଏ ମାସ ମଧ୍ୟରେ ଶେଷ ହୋଇଯିବ ବୋଲି ସେ କହିଛନ୍ତି।

ଜାପାନ ଉପରେ କେତେ ବଡ଼ ବୋମା ପକାଇଥିଲା ଆମେରିକା?

ଯଦି ମାଲୋଫିଭଙ୍କ କଥା ସତ ହେବ ତେବେ ଋଷ ୟୁକ୍ରେନ ଉପରେ ସବୁଠାରୁ ବଡ଼ ବୋମା ମାଡ଼ କରିବାକୁ ଯାଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ହିରୋସିମା (୬ ଅଗଷ୍ଟ, ୧୯୪୫) ଏବଂ ନାଗାସାକି (୯ ଅଗଷ୍ଟ, ୧୯୪୫) ପରମାଣୁ ବୋମା ପକାଇଥିଲା। ଏଥିରେ ପ୍ରାୟ ୧ ଲକ୍ଷ ୪୦ ହଜାର ରୁ ୨ ଲକ୍ଷ ୩୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଅଧିକାଂଶ ସାଧାରଣ ନାଗରିକ ଥିଲେ। ଏହାପରେ ଜାପାନ ଆତ୍ମସମର୍ପଣ କରିଥିଲା। ଏବଂ ଯୁଦ୍ଧର ଶେଷ ହୋଇଥିଲା। ତେବେ ଏହା ଏକମାତ୍ର ପରମାଣୁ ଆକ୍ରମଣ ଥିଲା। ଆଉ ଏବେ ଇରାନ ସହ ଯୁଦ୍ଧ ପୁଣିଥରେ ସେହି ପରମାଣୁ ଭୟ ସୃଷ୍ଟି କରିଛି। ହିରୋସୀମା ଉପରେ ପଡ଼ିଥିବା ବୋମାର କୋଡ୍ ନାଁ ଥିଲା ଲିଟିଲି ବୟ। ଯାହାର ଓଜନ ୧୫ କିଲୋଟନ ଥିଲା। ଏବଂ ନାଗାସାକି ଉପରେ ପଡ଼ିଥିବା ଫ୍ୟାଟ୍ ମ୍ୟାନ୍ ବୋମାର ଓଜନ ଥିଲା ୨୧ କିଲୋଟନ। ଆଉ ଋଷ ୨୦-୨୫ କିଲୋଟନର ବୋମା ଫିଙ୍ଗିପାରେ ବୋଲି ମାଲୋଫିଭ କହିଛନ୍ତି।

ମାର୍ଚ୍ଚ ମାସରେ ବଡ଼ କ୍ଷତି

ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ମାର୍ଚ୍ଚ ମାସ ରୁଷ ସୈନିକଙ୍କ ପାଇଁ ଏପର୍ଯ୍ୟନ୍ତ ସବୁଠାରୁ ଘାତକ ସାବ୍ୟସ୍ତ ହୋଇଥିଲା। ଏହି ମାସରେ ୩୫,୩୦୦ରୁ ଅଧିକ ରୁଷ ସୈନିକଙ୍କ ମୃତ୍ୟୁ ହୋଇଛି କିମ୍ବା ଗୁରୁତର ଆହତ ହୋଇଛନ୍ତି, ଏବଂ ବହୁ ପରିମାଣର ସାମରିକ ଉପକରଣ ଏବଂ ସିଷ୍ଟମ ମଧ୍ୟ ନଷ୍ଟ ହୋଇଛି। ୟୁକ୍ରେନୀୟ ଅଧିକାରୀ ଏବଂ ପାଶ୍ଚାତ୍ୟ ବିଶ୍ଳେଷକମାନଙ୍କ ମତରେ, ରୁଷର ଏବେ ଯେତେ କ୍ଷତି ହେଉଛି, ସେନାରେ ପୁନଃପୂଭରଣା ଖର୍ଚ୍ଚ ଠାରୁ ଟପିଯାଉଛି।

Also Read- ‘ଲେବାନନ ଉପରେ ଆକ୍ରମଣ ଜାରି ରହିଲେ ଭାଙ୍ଗିବ ଅସ୍ତ୍ରବିରତି...’, ଧମକ ଦେଇ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଲା ଇରାନ

ପରମାଣୁ ଆଟାକ୍ ପାଇଁ ଉଠିଲାଣି ଦାବି

ଯୁଦ୍ଧ ଲମ୍ବା ଚାଲିଥିବାରୁ ଋଷ ଏକାଧିକ କ୍ଷତି ସହୁଛି। ତେଣୁ ଋଷ ଭିତରେ ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣ କରିବାର ଦାବି ଜୋର୍ ଧରିଲାଣି। ବିଭିନ୍ନ ଋଷୀୟ ମିଡିଆରେ ଏ ନେଇ ଆଲୋଚନା ଜାରି ରହିଛି। ପରମାଣୁ ଆଟାକ୍ ଆବଶ୍ୟକ ବୋଲି ମିଡିଆ ଚ୍ୟାନେଲଗୁଡ଼ିକରେ ଦାବି ହେଉଛି। ସେପଟେ ଋଷର ସାମରିକ ବିଶ୍ଳେଷକ କର୍ଣ୍ଣେଲ ମିଖାଏଲ ଖୋଡାରେନୋକ କହିଛନ୍ତି ଯେ ରୁଷ ପାରମ୍ପରିକ ଅସ୍ତ୍ର ବ୍ୟବହାର କରି ଏହି ବିବାଦର ସମାଧାନ କରିପାରିବ ନାହିଁ। ଯୁଦ୍ଧ ଶେଷ କରିବାକୁ ହେଲେ ସେହି ତଥାକଥିତ ସ୍ୱତନ୍ତ୍ର ଅସ୍ତ୍ରଶସ୍ତ୍ର ନିୟୋଜିତ କରିବାକୁ ପଡ଼ିବ। ଏଥିପାଇଁ ଆଉ ପଛଘୁଞ୍ଚା ଦିଆଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।