ମୁମ୍ବାଇ ୨୨।୧: ବୃହନ୍ମୁମ୍ବାଇ ମହାନଗର ପାଳିକା (ବିଏମସି) ମେୟର ଚୌକିରେ ଜଣେ ମହିଳା ବସିବେ। ଏହି ନିଷ୍ପତ୍ତି ୨୨ ଜାନୁୟାରୀ ଗୁରୁବାର ଲଟେରୀ ମାଧ୍ୟମରେ ହୋଇଛି। ଲଟେରୀ ଆଧାରରେ ରିଜର୍ଭେସନ ପରେ ବିଏମସିରେ ଜେନେରାଲ କ୍ୟାଟଗରୀର ଜଣେ ମହିଳାଙ୍କ ନିମନ୍ତେ କୋଟା ଧାର୍ଯ୍ୟ ହୋଇଛି। ଏବେ ପ୍ରଶ୍ନ ଉଠୁଛି ଏହି ମହିଳା ଜଣକ କିଏ ଓ ସେ କେଉଁ ପାର୍ଟିର? ରିଜର୍ଭେସନ ନିର୍ଦ୍ଧାରଣ ପରେ ମହିଳା କର୍ପୋରେଟରଙ୍କ ମଧ୍ୟରେ ବିଜେପିର ତେଜସ୍ୱୀ ଘୋଷାଲକରଙ୍କ ନାମ ଆଗରେ ରହିଛି।

ତେଜସ୍ୱୀ ଘୋଷାଲକର ବିଏମସି ୱାର୍ଡ ନମ୍ବର ୨ରୁ କର୍ପୋରେଟର ନିର୍ବାଚିତ ହୋଇଛନ୍ତି। ସେ ପୂର୍ବରୁ ଉଦ୍ଧବ ଠାକରେଙ୍କ ପାର୍ଟିରେ ଥିଲେ ତେବେ ନିର୍ବାଚନର ଠିକ ପୂର୍ବରୁ ସେ ବିଜେପିରେ ସାମିଲ ହୋଇଯାଇଥିଲେ ଓ ନିର୍ବାଚନରେ ବିଜୟୀ ହୋଇଛନ୍ତି। ତେଜସ୍ୱୀ ଘୋଷାଲକର ଶିବସେନା(ୟୁବିଟି) ପ୍ରାର୍ଥୀ ଧନଶ୍ରୀ କୋଲଗେଙ୍କୁ ପରାସ୍ତ କରିଛନ୍ତି। ୨୦୧୭ ନିର୍ବାଚନରେ ତେଜସ୍ୱୀ ଘୋଷାଲକର ଉଦ୍ଧବ ଠାକରେଙ୍କ ଅବିଭାଜିତ ଶିବସେନା ଟିକେଟରେ ବିଏମସି ୱାର୍ଡ ନମ୍ବର ୧ରୁ ନିର୍ବାଚିତ ହୋଇଥିଲେ। ୧୫ ଡିସେମ୍ବର ୨୦୨୫ରେ ସେ ଉଦ୍ଧବ ଗୋଷ୍ଠୀ ଛାଡି ବିଜେପିରେ ଯୋଗଦାନ କରିଥିଲେ।

ଅନ୍ୟପଟେ ଶିବସେନା ମଧ୍ୟ ବିଏମସି ମେୟର ପଦବୀ ଲାଗି ନିଜର ଦାବିଦାରୀ ଉପସ୍ଥାପନ କରିଛି। ତେବେ ବିଏମସିରେ ବିଜେପି ମେୟର ପ୍ରାର୍ଥୀ ବିଜୟୀ ହେବେ ବୋଲି କୁହାଯାଉଛି। ବିଏମସି ନିର୍ବାଚନରେ ବିଜେପିକୁ ସବୁଠୁ ଅଧିକ ଆସନ ମିଳିଛି। ଏଣୁ କୁହାଯାଉଛି ମେୟର ନିଶ୍ଚିତ ରୂପେ ବିଜେପିର ହେବେ। ବିଜେପି ନିର୍ବାଚନରେ ଶିବସେନା ସହ ମେଣ୍ଟ କରିଥିଲା ଓ ୮୯ଟି ଆସନ ଜିତିଛି। ଶିବସେନାକୁ ୨୯ଟି ଆସନ ମିଳିଥିବା ବେଳେ ଉଭୟ ଦଳ ମିଶି ସଂଖ୍ୟା ଗରିଷ୍ଠତା ସଂଖ୍ୟା ୧୧୮ ହାସଲ କରୁଛନ୍ତି, ଯାହା ବହୁମତରୁ ୪ ଅଧିକ। ତେବେ ଉଦ୍ଧବ ଠାକରେଙ୍କ ଶିବସେନା ଏକନାଥ ସିନ୍ଦେଙ୍କ ପାର୍ଟି ଠାରୁ ଅଧିକ ଆସନ ଜିତିଛି। ଶିବସେନା (ୟୁବିଟି)କୁ ମୋଟ ୬୫ଟି ଆସନ ମିଳିଛି।