ଜୟପୁର: ଜୟପୁର ନିକଟସ୍ଥ କୁମୁଲିପୁଟ ଗ୍ରାମରେ ବୃଦ୍ଧଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ସଦର ପୋଲିସ। ଘାସି ଗୌଡ଼ ନୁହେଁ ଟୁନା ପରଜା ହିଁ ରଘୁନାଥ ଗୌଡ଼ଙ୍କ ଗଳା କାଟି ହତ୍ୟା କରିଥିଲା ବୋଲି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ପୂର୍ବ ଶତ୍ରୁତା କାରଣରୁ ହିଁ ବଚସା ପରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ଅର୍ଚ୍ଚିତା ମିତ୍ତଲ।

ସୂଚନା ଅନୁସାରେ, ଗତ ୨୭ ତାରିଖ ରାତିରେ ୬୨ ବର୍ଷୀୟ ରଘୁନାଥ ଗୌଡ଼ ଚାହା ପିଇ ଫାମ୍ପୁଣୀରୁ ନିଜ କୁମୁଲିପୁଟ ଘରକୁ ଫେରୁଥିଲେ। ହେଲେ ଏହି ସମୟରେ ତାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ।

ତେବେ ମନ୍ଦିର ପୂଜାକୁ ନେଇ ତଥା ପୂର୍ବ ଶତ୍ରୁତା କାରଣରୁ ଘାସି ଗୌଡ଼ଙ୍କ ପରିବାର ଲୋକ ଏଭଳି କରିଥିବା ଅଭିଯୋଗ କରିଥିଲେ ରଘୁନାଥଙ୍କ ପରିବାର ଲୋକ। ଏମିତିରେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରିବା ପରେ ଏଥିରେ ଗ୍ରାମର ଟୁନା ପରଜାର ସଂପୃକ୍ତି ଥିବା ଜାଣିବାକୁ ପାଇଥିଲା। କାରଣ ଉଭୟଙ୍କ ମଧ୍ୟରେ ଦୀର୍ଘଦିନରୁ ବିବାଦ ରହିଥିଲା।

ତେବେ ପୂର୍ବ ଶତ୍ରୁତା କାରଣରୁ ଟୁନା ଗଳାକାଟି ହତ୍ୟା କରିଥିବା ସ୍ବୀକାର କରିଛି। ପୋଲିସ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିବା ସହ ଘଟଣାସ୍ଥଳରୁ ଗୋଟିଏ ଛୁରୀ ଜବତ କରଛି। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।