ଭୁବନେଶ୍ୱର, ୧୯।୧୧ : ଆସିଲାଣି ବାତ୍ୟା ଅକଭାନ୍ । ବାରମ୍ବାର ବଦଳାଉଛି ନିଜର ଗତିପଥ । ଯାହାକୁ ନେଇ ଚିନ୍ତାରେ ପାଣିପାଗବିତ୍ ଏବଂ ଆଇଏମଡି । ପ୍ରଥମେ ଖବର ଆସିଲା ଯେ ଦକ୍ଷିଣ ଆନ୍ଧ୍ର ପ୍ରଦେଶରେ ମାଡ଼ ହେବ ବାତ୍ୟା । ତାମିଲନାଡୁ ବି ରହିବ ବାତ୍ୟାର ବଳୟରେ । ତାପରେ ବିଶାଖାପାଟଣା ପାଖାପାଖି ଲ୍ୟାଣ୍ଡଫଲ୍ ନେଇ ଆସିଲା ସୂଚନା । ଏବେ ଓଡ଼ିଶାକୁ ମୁହାଁଇଛି । ଦେଖିବାକୁ ଗଲେ ଦୁଇରୁ ତିନି ଦିନ ମଧ୍ୟରେ ବାରମ୍ବାର ଗତିପଥ ବଦଳାଉଛି ବାତ୍ୟା । କିନ୍ତୁ କାହିଁକି । ଏପରି ପରିବର୍ତ୍ତନର କାରଣ କଣ ।

୧୫ ଦିନ ତଳୁ କରାଯାଇଥିଲା ଅନୁମାନ । ଅର୍ଣ୍ଣବ ଏବଂ ମୁରାସୁ ପରେ ଆସୁଛି ଆଉ ଏକ ସିଷ୍ଟମ୍ । ଓଡିଶା ଉପରେ ନଥିଲା ବିପଦ । କିନ୍ତୁ ଦିନ ଗଢିବା ସହ ମାଡି ଆସିଲା ଅଜଣା ଭୟ । ପ୍ରଥମେ ପାଣିପାଗବିତ୍ କହିଲେ ବାତ୍ୟା ଓଡିଶାକୁ ଛୁଇଁବନି । କେବଳ ବାହ୍ୟ ବଳୟ ପ୍ରଭାବରେ ହୋଇପାରେ ବର୍ଷା । ସାମାନ୍ୟ ହାଲୁକା ପବନ ବହିପାରେ । କିନ୍ତୁ ଲ୍ୟାଣ୍ଡଫଲ୍ ଦିନ ପାଖେଇ ଆସିବା ସହ ବୁଲିଗଲା ଅକଭାନ୍ । ପ୍ରଥମେ ଏହା ଦକ୍ଷିଣ ଆନ୍ଧ୍ରକୁ ଗତି କରୁଥିଲା । କିଛି ଘଣ୍ଟାରେ ଉତ୍ତର ଆନ୍ଧ୍ର ଆଡେ ମୁହାଁଇଲା । ଆଉ ଏବେ ଓଡିଶା ଉପରେ ବେଶି ବିପଦ । ପ୍ରଶାସନ ପ୍ରସ୍ତୁତ । ୧୦ରୁ ଅଧିକ ଜିଲ୍ଲାରେ ଛୁଟି ହୋଇଛି ଶିକ୍ଷାନୁଷ୍ଠାନ । ପଠାଯାଇଛି ଏନଡିଆରଏଫ୍ ଏବଂ ଓଡ୍ରାଫ୍ । ସଚିବାଳୟରେ ବସୁଛି ଘନ ଘନ ମିଟିଂ ।

ତାଜା ରିପୋର୍ଟ ଅନୁସାରେ, ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା । ଗୋପାଳପୁରରେ ଉତ୍ତରରେ ମାଡ ହେବା ଆଶଙ୍କା ଅଧିକ । ହେଲେ ଏହା ସ୍ଥିର ନୁହେଁ । କେତେବେଳେ ବି ଚକମା ଦେଇପାରେ ଅକଭାନ୍ । ଯାହା ପଛରେ ଅଛି ବୈଜ୍ଞାନିକ କାରଣ । ଯେଉଁଥି ପାଇଁ ଭୂଆଁ ବୁଲାଉଛି ଅକଭାନ୍ ।

ପାଣିପାଗ ଉପରେ ନଜର ପକାଇଲେ ଏବେ ଆକ୍ଟିଭ୍ ଅଛି ଦୁଇଟି ଆଣ୍ଟି ସାଇକ୍ଲୋନିକ୍ ସିଷ୍ଟମ୍ । ବାତ୍ୟାର ଗତିପଥ ନିର୍ଧାରଣରେ ଉଚ୍ଚଚାପ ବଳୟର ରହିଥାଏ ଅନେକ ଭୂମିକା । ମିଆଁମାର ଏବଂ ଭାରତର ଦକ୍ଷିଣ ପ୍ରାନ୍ତରେ ଆଣ୍ଟି ସାକ୍ଲୋନିକ୍ ସିଷ୍ଟମ୍ ଥିବାରୁ ସିଧାସଳଖ ଅକଭାନ୍ ଉପରେ ପଡୁଛି ପ୍ରଭାବ । ଅର୍ଥାତ ଦୁଇଟି ଆଣ୍ଟି ସାଇକ୍ଲୋନ୍ ଭିତରେ ରହିଯାଇଛି ସାଇକ୍ଲୋନିକ୍ ସିଷ୍ଟମ୍ ଅକଭାନ୍ । ତେବେ ମିଆଁମାରରେ ଥିବା ଆଣ୍ଟିସାଇକ୍ଲୋନିକ୍ ସିଷ୍ଟମ୍ ଅପେକ୍ଷାକୃତ ଶକ୍ତିଶାଳୀ । ଯାହା ବାତ୍ୟା ଅକଭାନର ଗତିପଥକୁ କରୁଛି ପ୍ରଭାବିତ ।

Also Read :- Puri cyclone alert: ପୁରୀ ସମୁଦ୍ରରେ ବଡ଼ ବଡ଼ ଜୁଆର ; ତଦାରଖ କଲେ IG, ପର୍ଯ୍ୟଟକଙ୍କୁ ସମୁଦ୍ର ମନା

ସେହିପରି ବାତ୍ୟା ନିଜ ଇଚ୍ଛାରେ ଗତି କରେନି । ବାୟୁମଣ୍ଡଳରେ ପ୍ରବାହିତ ପବନ ଏହାକୁ ଆଗରୁ ବଢାଇଥାଏ । ଯାହାକୁ କୁହାଯାଏ ଷ୍ଟିୟରିଂ କରେଣ୍ଟ୍ । କିନ୍ତୁ ଅକଭାନ୍ ଆଖପାଖରେ ଦୁର୍ବଳ ରହିଛି ଷ୍ଟିୟରିଂ କରେଣ୍ଟ୍ । ଯାହା ଫଳରେ ଧିମା ରହିଛି ଅକଭାନର ଗତି । ଆହୁରି ମଧ୍ୟ ଓ୍ୱିଣ୍ଡ୍ ସିୟର୍ ଗତିପଥ ଉପରେ ପକାଉଛି ଇଫେକ୍ଟ୍ । ଏହା ଅଧିକ ରହିଲେ ବାତ୍ୟାର ମେଘମାଳା ଗୋଟିଏ ଦିଗକୁ ଢଳିଯାଏ । ଯାହା ବାତ୍ୟା କେନ୍ଦ୍ରର ସ୍ଥିତି ଏବଂ ଗଠନ ଉପରେ ଅଧିକ ପ୍ରଭାବିତ କରୁଛି । ଫଳରେ ବାତ୍ୟାର ଦିଗରେ ଆସୁଛି ବାରମ୍ବାର ପରିବର୍ତ୍ତନ ।