କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲ ବିବାଦରେ ମଧ୍ୟରେ ପୁଣି ଆସିଛି ଟ୍ବିଷ୍ଟ୍। ଘଟଣାରେ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବିରୁ ଓହରିଲା ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ରୁଟା (RUTA) । ଏହା ସହ ଅଧ୍ୟାପକ, ଅଧ୍ୟାପିକାଙ୍କ ବିରୋଧରେ ବିଧାୟକ ବାଚସ୍ପତିଙ୍କ ନିକଟରେ କରିଥିବା ଅଭିଯୋଗକୁ ପ୍ରତ୍ୟାହାର ପାଇଁ ଦାବି କରିଛି ରୁଟା । ଏନେଇ ଗୁରୁବାର ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ରୁଟା ସଭାପତି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ନୂଆ ସିନେଟ ଗଠନ ପ୍ରକ୍ରିୟା ଚାଲିଥିବାବେଳେ ସିନେଟ ସଦସ୍ୟ କହି ଘଟଣାରେ ହସ୍ତକ୍ଷେପ ଆଧାର ନୁହେଁ। ବିଧାୟକ- ସାଂସଦମାନେ ବିଶ୍ବବିଦ୍ୟାଳୟର ଉନ୍ନତି ଚାହିଁବାକୁ ରୁଟା ସ୍ବାଗତ କରେ, କିନ୍ତୁ ତାହା ଆଇନ ଏବଂ ନିୟମ ଅନୁଯାୟୀ ହେବା ଉଚିତ। ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ (RUTA) କୁଳପତିଙ୍କ ସହ ଛାତ୍ରାବାସ ୱାର୍ଡେନ ଓ ଛାତ୍ରଛାତ୍ରୀଙ୍କ ବୈଠକରେ ଘଟିଥିବା ଅପ୍ରୀତିକର ଘଟଣା ପାଇଁ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛି ସଂଘ।

ଏହା ସହ RUTA  ପକ୍ଷରୁ କୁଳାଧୂପତିଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରାଯାଇଛି ଯେ, ଜନପ୍ରତିନିଧିମାନେ କିପରି ବିଶ୍ବବିଦ୍ୟାଳୟ ସହ ଯୋଗାଯୋଗ ଓ ସହଭାଗିତା କରିବେ, ସେଥିପାଇଁ ଏକ ସ୍ପଷ୍ଟ ଆନୁଷ୍ଠାନିକ ବ୍ୟବସ୍ଥା କରାଯାଇ ଏହାଦ୍ବାରା ବିଶ୍ବବିଦ୍ୟାଳୟର ସ୍ବାଧୀନତା ଅକ୍ଷୁର୍ଣ୍ଣ ରହିବ ଏବଂ ସୁସଂଗଠିତ ସହଯୋଗ ସମ୍ଭବ ହେବ। ରେଭେନ୍ସା ବିଶ୍ୱବିଦ୍ୟାଳୟର ସମସ୍ୟା କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ସମସ୍ୟା ନୁହେଁ। ଏହା ଓଡ଼ିଶାର ଏକ ପ୍ରାଚୀନ, ଐତିହ୍ୟ ସଂପନ୍ନ ବିଶ୍ୱବିଦ୍ୟାଳୟର ସୁପ୍ରଶାସନିକ ବ୍ୟବସ୍ଥା ସହ ଜଡ଼ିତ ସ୍ପଷ୍ଟ ନିୟମ ଓ ପ୍ରକ୍ରିୟା ବିଶ୍ବବିଦ୍ୟାଳୟ, ଜନପ୍ରତିନିଧ, ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ସରକାର, ସମସ୍ତଙ୍କ ପାଇଁ ଲାଭଦାୟକ RUTA ରେଭେନ୍ସା ବିଶ୍ୱବିଦ୍ୟାଳୟର ସ୍ବାଧୀନତା, ଗରିମା ଏବଂ ଗଣତାନ୍ତ୍ରିକ କାର୍ଯ୍ୟପ୍ରଣାଳୀର ସୁରକ୍ଷା ପାଇଁ ସଦା ପ୍ରତିବଦ୍ଧ ରହିବ ଏବଂ ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତଙ୍କ ସହ ମିଶି କାମ କରିବ ବୋଲି କହିଛନ୍ତି RUTA ସଭାପତି ଉର୍ମିଶ୍ରୀ ବେଦମୋତ୍ତା।

Also Read: ରେଭେନ୍ସା ବିବାଦରେ କୁଳପତିଙ୍କ ପ୍ରଥମ ପ୍ରତିକ୍ରିୟା- 'ଅନାବଶ୍ୟକ ଥିଲା ଘଟଣା'

ସୂଚନାଥାଉକି, ମଙ୍ଗଳବାର ଇଷ୍ଟହଷ୍ଟେଲ ବିବାଦର ସମାଧାନ କରିବାକୁ ନେଇ ବସିଥିବା ବୈଠକରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ହଷ୍ଟେଲ ଚିଫ ୱାର୍ଡେନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ଘଟଣା ଜଟିଳ ହୋଇଥିଲା। ଏହି ଘଟଣାରେ ପ୍ରଥମେ ଚିଫ୍ ୱାର୍ଡେନଙ୍କ ସମେତ ବିଶ୍ବ ବିଦ୍ୟାଳୟର ୧୩ ହଷ୍ଟେଲର ୱାର୍ଡେନ ଓ ଡେପୁଟି ୱାର୍ଡେନ ସମୂହ ଇସ୍ତଫା ଦେଇଥିଲେ। ପରେ ପରେ ବିଧାୟକଙ୍କ ଏପରି ବ୍ୟବହାରକୁ ବିରୋଧ କରି ରେଭେନ୍ସା ବିଶ୍ଵ ବିଦ୍ୟାଳୟ ଶିକ୍ଷକ ସଂଘ ବିଶ୍ବବିଦ୍ୟାଳୟ ପରିସରରେ ପ୍ରତିବାଦ କରିବା ସହ ଶୋଭାଯାତ୍ରାରେ ବାହାରି ଭିସିଙ୍କ ଉଦ୍ଦେଶ୍ୟରେ ଚାରି ଦଫା ଦାବି ପ୍ରଦାନ କରିଥିଲେ। ଘଟଣାରେ ଛାତ୍ର ଛାତ୍ରୀଙ୍କ ଶିକ୍ଷକଙ୍କ ସମର୍ଥନରେ ବାହାରିଥିଲେ।