ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପତିଙ୍କ ଦ୍ବାରା ଭୁବନେଶ୍ୱରସ୍ଥିତ ଲୋକ ଭବନ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୪୮ତମ ସର୍ବଭାରତୀୟ ଲୋକସମ୍ପର୍କ ସମ୍ମିଳନୀ-୨୦୨୬ (ଏଆଇପିଆରସି-୨୦୨୬)ର ପୋଷ୍ଟର ଏବଂ ସୂଚନା ପୁସ୍ତିକା ଉନ୍ମୋଚନ କରାଯାଇଛି । ପବ୍ଲିକ୍ ରିଲେସନ୍ସ ସୋସାଇଟି ଅଫ୍ ଇଣ୍ଡିଆ (ପିଆରଏସଆଇ) ଦ୍ୱାରା ଆୟୋଜିତ ଏବଂ ପିଆରଏସଆଇ  ଭୁବନେଶ୍ୱର ଚାପ୍ଟର ଆନୁକୂଲ୍ୟରେ ହେବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀ ୨୦୨୬ ଡିସେମ୍ବର ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ।

କାର୍ଯ୍ୟକ୍ରମର ପୋଷ୍ଟର ଓ ସୂଚନା ପୁସ୍ତିକା ଉନ୍ମୋଚନ କରି ମାନ୍ୟବର ରାଜ୍ୟପାଳ କହିଛନ୍ତି, “ଓଡ଼ିଶାରେ ପ୍ରଥମ ଥର ଏପରି ଏକ ସର୍ବଭାରତୀୟ ଲୋକସମ୍ପର୍କ ସମ୍ମିଳନୀ ଆୟୋଜନ ହେଉଥିବା ଅତ୍ୟନ୍ତ ଗର୍ବର ବିଷୟ । ଏହାର ବିଷୟବସ୍ତୁ ‘ନବଗୁଞ୍ଜର’ ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରିବା ସହିତ କୃତ୍ରିମ ବୁଦ୍ଧିମତାର ପରିବର୍ତ୍ତନଶୀଳ ସମ୍ଭାବନାକୁ ସୁନ୍ଦର ଭାବରେ ଉପସ୍ଥାପନ କରୁଛି । ଏହି ସମ୍ମିଳନୀର ସଫଳ ଆୟୋଜନ ପାଇଁ ମୁଁ  ପିଆରଏସଆଇ ଏବଂ ପିଆରଏସଆଇ ଭୁବନେଶ୍ୱର ଚାପ୍ଟରକୁ ଶୁଭେଚ୍ଛା ଜଣାଉଛି ।”

ଏହି ପ୍ରତିଷ୍ଠିତ ଜାତୀୟ ସମ୍ମିଳନୀର ପ୍ରାୟ ୫୦ ବର୍ଷର ଇତିହାସରେ ପ୍ରଥମ ଥର ଓଡ଼ିଶା ଏହାକୁ ଆୟୋଜନ କରୁଛି, ଯେଉଁଥିରେ ସାରା ଦେଶରୁ ଲୋକସମ୍ପର୍କ, କର୍ପୋରେଟ୍ ଯୋଗାଯୋଗ, ଗଣମାଧ୍ୟମ, ସରକାରୀ, ବ୍ୟବସାୟ ଏବଂ ଶିକ୍ଷା କ୍ଷେତ୍ରର ପ୍ରମୁଖ ବିଶେଷଜ୍ଞମାନେ ଯୋଗଦେବେ ।

ଏହି ସମ୍ମିଳନୀ “ନବଗୁଞ୍ଜର - ଏଆଇ ଯୁଗରେ ଲୋକସମ୍ପର୍କ” ବିଷୟବସ୍ତୁ ଉପରେ ଆଧାରିତ, ଯାହା ଓଡ଼ିଶାର ପ୍ରସିଦ୍ଧ ନବଗୁଞ୍ଜର ରୂପରୁ ଅନୁପ୍ରାଣିତ । ଏହା ବିଭିନ୍ନ ରୂପର ଏକତାକୁ ଦର୍ଶାଏ । ଆଜିର ପ୍ରଯୁକ୍ତିବିଦ୍ୟା ପର୍ଯ୍ୟବସିତ ଯୋଗାଯୋଗ କ୍ଷେତ୍ରରେ ବିଶ୍ୱାସ ଓ ପ୍ରତିଷ୍ଠା ବଜାୟ ରଖିବା ପାଇଁ ମାନବୀୟ ବୁଦ୍ଧିମତା, କୃତ୍ରିମ ବୁଦ୍ଧିମତା, ସୃଜନଶୀଳତା, ନୈତିକତା ଏବଂ ସାଂସ୍କୃତିକ ବୁଝାମଣା ସମନ୍ୱୟର ଆବଶ୍ୟକତାକୁ ନବଗୁଞ୍ଜର ବିଷୟବସ୍ତୁ ସଠିକ ପ୍ରକାଶ କରେ।

ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ  ପିଆରଏସଆଇର ଜାତୀୟ ସଭାପତି ଡ. ଅଜିତ ପାଠକ, ମହାସଚିବ ଡ. ପି.ଏଲ୍.କେ. ମୂର୍ତ୍ତି, ସମ୍ମିଳନୀ ଆବାହକ ଡ. ସଞ୍ଜୟ କୁମାର ସାହୁ, ସହ-ଆବାହକ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ କୋଷାଧ୍ୟକ୍ଷ ଅଂଶୁମାନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ପିଆରଏସଆଇର ଜାତୀୟ ସଭାପତି ଡ. ଅଜିତ ପାଠକ କହିଛନ୍ତି, “ ଏଆଇପିଆରସି-୨୦୨୬ କୃତ୍ରିମ ବୁଦ୍ଧିମତା ଯୋଗାଉଥିବା ସୁଯୋଗଗୁଡ଼ିକ ଉପରେ ଆଲୋଚନା କରିବା ସହିତ ପ୍ରଭାବଶାଳୀ ଲୋକସମ୍ପର୍କ ପାଇଁ ଜରୁରୀ ଥିବା ନୈତିକ, ସାଂସ୍କୃତିକ ଓ ମାନବୀୟ ମୂଲ୍ୟବୋଧକୁ ଗୁରୁତ୍ୱ ଦେବ । ଭୁବନେଶ୍ୱର ନିଜର ସମୃଦ୍ଧ ଐତିହ୍ୟ ଏବଂ ନବସୃଜନର ଏକ ଉଦୀୟମାନ କେନ୍ଦ୍ର ଭାବରେ ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ ଆଲୋଚନା ପାଇଁ ଏକ ଉପଯୁକ୍ତ ସ୍ଥାନ ।”

ଏହି ସମ୍ମିଳନୀ ଅଂଶଗ୍ରହଣକାରୀମାନଙ୍କୁ ଓଡ଼ିଶାର ସ୍ୱତନ୍ତ୍ର ସାଂସ୍କୃତିକ ଐତିହ୍ୟ, କଳା, ପରମ୍ପରା ଏବଂ ଆତିଥ୍ୟକୁ ଅନୁଭବ କରିବାର ସୁଯୋଗ ପ୍ରଦାନ କରିବ, ଯାହା  ଏଆଇପିଆରସି-୨୦୨୬କୁ ବୃତ୍ତିଗତ ଜ୍ଞାନ, ବୈଷୟିକ ଉଦ୍ଭାବନ ଏବଂ ସାଂସ୍କୃତିକ ଆଦାନପ୍ରଦାନର ଏକ ମିଳନସ୍ଥଳ କରି ଗଢ଼ିତୋଳିବ ।