ନୂଆଦିଲ୍ଲୀ ୦୬।୧୧; ଦୀପାବଳି ପୂର୍ବରୁ ଖେଳିଗଲା ମୃତ୍ୟୁର ତାଣ୍ଡବ । ଖୁସିର ପର୍ବ ପାଳନ ପୂର୍ବରୁ ଛାରଖାର ହୋଇଗଲା ଗୋଟିଏ ପରିବାର । ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ଘଟିଛି ଛାତିଥରା ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଏକାଠି ହୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ଦ୍ରୁତଗାମୀ ଟ୍ରକ୍ । ଆଖି ପିଛୁଳାକେ ଚାଲିଗଲା ୭ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଅଛନ୍ତି ୪ ମହିଳା ଓ ୩ ଜଣ ଶିଶୁ । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ଜଣେ ମହିଳା ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ । ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଓ ତାଙ୍କ ସହଯୋଗୀ ଫେରାର ହୋଇଯାଇଛନ୍ତି ।

ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲା ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ଗୁରୁବାର ରାତି ପ୍ରାୟ ୯ଟା ୪୫ । ଏକ ବୁଲାଣି ନିକଟରେ ଜଣେ ସ୍କୁଟର ଚାଳକ ନିୟନ୍ତ୍ରଣ ହରାଇ କଲଭର୍ଟ ନିକଟ ବୁଦା ଭିତରକୁ ଖସି ପଡ଼ିଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ମହିଳା ଓ ଶିଶୁଙ୍କ ସମେତ କିଛି ଲୋକ ସେଠାରେ ଏକାଠି ହୋଇଥିଲେ । ହେଲେ ଠିକ୍ ଏହି ସମୟରେ ଟୋରପା ପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ନିୟନ୍ତ୍ରଣ ହରାଇ ଲୋକଙ୍କ ଉପରେ ଚଢ଼ି ଯାଇଥିଲା ।

ଟ୍ରକ୍ ଧକ୍କାରେ ଘଟଣାସ୍ଥଳରେ ହିଁ ଅନେକଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଆହତଙ୍କୁ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଖୁଣ୍ଟି ସଦର ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ୧୨ ବର୍ଷୀୟ ସୌରଭ ନାୟକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ଫଳରେ ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଥିଲା । ଅନ୍ୟପଟେ ଜଣେ ମହିଳା ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ।ସବୁଠାରୁ ଦୁଃଖଦ କଥା ହେଉଛି, ମୃତକମାନେ ସମସ୍ତେ ଗୋଟିଏ ପରିବାରର । ଏପଟେ ଟ୍ରକ୍ ଚାଳକ ନିଶାଗ୍ରସ୍ତ ଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଓ ତାଙ୍କ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।