ଭୁବନେଶ୍ବର ୬।୩: ରାଜ୍ୟସଭା ନିର୍ବାଚନ ପାଇଁ ୬ ଜଣ ନାମାଙ୍କନ ଭରିଥିବା ବେଳେ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ହୋଇଛି । ତେବେ ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ବେଳେ ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି । ୫ ଜଣ ପ୍ରାର୍ଥୀ ଯଥା ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ କମନ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ଏବଂ ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ୍ କୁମାର ଓ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ପ୍ରାର୍ଥିପତ୍ର କାଏମ ରହିଲା । ସେପଟେ ତେଲେଙ୍ଗାନାରୁ ନାମାଙ୍କନ ଭରିଥିବା କାନ୍ତେ ସାୟାନାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି । କେହି ପ୍ରସ୍ତାବକ ନଥିବାରୁ ତାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି ।

ଏ ଖବର ବି ପଢ଼ନ୍ତୁ:- Rajyasabha Election: ଓଡ଼ିଶାରେ ଆରମ୍ଭ ହେଲା ନୂଆ ରାଜନୈତିକ ସମୀକରଣ, ଏକାଠି ହେଲେ ବିଜେଡି ଓ କଂଗ୍ରେସ

ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ୫ ପ୍ରାର୍ଥୀ । ବିଜେପିରୁ ୨, ବିଜେଡିରୁ ଜଣେ ଏବଂ ଚତୁର୍ଥ ଆସନ ପାଇଁ ୨ ଜଣ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁଜିତ୍ କୁମାର, ବିଜେଡିରୁ ସଂତୃପ୍ତ ମିଶ୍ର ନିଜ ନିଜର ନାମାଙ୍କନ ଦାଖଲ କରିଥିଲେ । ସେହିଭଳି  ଚତୁର୍ଥ ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା ଓ ଦିଲ୍ଲୀପ ରାୟ ନାମାଙ୍କନ ଦାଖଲ କରିଥିଲେ । ମନମୋହନ ସାମଲ ଓ ସୁଜିତ୍‌ କୁମାରଙ୍କ ନାମାଙ୍କନ ବେଳେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶେଷରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ଦିଲ୍ଲୀପ ରାୟ ।  ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ କରିଛି । ମନମୋହନ ଓ ସୁଜିତ କୁମାର ଦୁଇ ସେଟ୍ ଲେଖାଏଁ ଫର୍ମ ଭରିଥିବା ବେଳେ ଦିଲ୍ଲୀପ ରାୟ ୩ ସେଟ୍ ନାମାଙ୍କନ ଭରିଥିଲେ ।

ଏ ଖବର ବି ପଢ଼ନ୍ତୁ:-ଯୁଦ୍ଧ ପାଇଁ ବଜାର ବେହାଲ, ଖସିଲା ସେନସେକ୍ସ-ନିଫ୍ଟି

ବିଜେଡି ପକ୍ଷରୁ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଥିଲେ ଦଳର ବରିଷ୍ଠ ନେତା ସଂତୃପ୍ତ ମିଶ୍ର । ତାଙ୍କ ସହ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ଡାକ୍ତର ଦତ୍ତେଶ୍ବର ହୋତା । ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ୨ ସେଟ୍ ନାମାଙ୍କନ ଦାଖଲ କରିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ ଡାକ୍ତର ଦତ୍ତେଶ୍ବର ହୋତା ୩ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସ୍ବାଧୀନ ପ୍ରାର୍ଥୀ ଦତ୍ତେଶ୍ବର ହୋତାଙ୍କୁ ସମର୍ଥନ ଜଣାଇଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ଏମିତିରେ ଏହି ଦୁଇ ପ୍ରାର୍ଥୀଙ୍କ ନାମାଙ୍କନ ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ  ପିସିସି ସଭାପତି ଭକ୍ତ ଚରଣ ଦାସ ଉପସ୍ଥିତ ଥିଲେ ।