ବାରିପଦା: ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ଦୀର୍ଘଦିନର ପ୍ରତୀକ୍ଷାର ହେବ ଅନ୍ତ । ଜୁନ ୮ରେ ହେବ ପଣ୍ଡିତ ରଘୁନାଥ ମୁର୍ମୁ (ପିଆରଏମ) ମେଡିକାଲ କଲେଜ ଓ ହସ୍ପିଟାଲର ନୂଆ କ୍ୟାମ୍ପସ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସନ୍ତା ସୋମବାର ବାରିପଦା ଗସ୍ତରେ ଏହାର ଉଦଘାଟନ କରି ଆନୁଷ୍ଠାନିକ ଭାବରେ ଲୋକାର୍ପଣ କରିବେ।

ଲୋକାର୍ପଣ ପରେ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ପରିସରରେ ଚାଲୁଥିବା କ୍ଲିନିକାଲ ବିଭାଗ ଗୁଡ଼ିକ ରଙ୍ଗାମାଟିଆ ସ୍ଥିତ ନୂତନ ମେଡିକାଲ କ୍ୟାମ୍ପସକୁ ସ୍ଥାନାନ୍ତରିତ ହେବ । ଏହା ଦ୍ୱାରା କେବଳ ମୟୂରଭଞ୍ଜ ନୁହେଁ, ବରଂ ପଡ଼ୋଶୀ ବାଲେଶ୍ୱର, କେନ୍ଦୁଝର ଏବଂ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ପଡ଼ୋଶୀ ରାଜ୍ୟର ରୋଗୀମାନେ ମଧ୍ୟ ଉଚ୍ଚକୋଟୀର ସ୍ୱାସ୍ଥ୍ୟ ସେବା ପାଇପାରିବେ ।

Also Read: ଓଡ଼ିଶାକୁ ଅତିରିକ୍ତ ୬ଟି ସ୍ନାତକୋତ୍ତର ଡାକ୍ତରୀ ସିଟ୍ ସ୍ୱୀକୃତି, ଡାକ୍ତରୀ ଶିକ୍ଷା ଏବଂ ବିଶେଷଜ୍ଞ ସ୍ୱାସ୍ଥ୍ୟସେବାକୁ ମିଳିବ ପ୍ରୋତ୍ସାହନ

ପିଆରଏମ ହସପିଟାଲରେ ରହିବ ୬୫୦ ବେଡ୍

ପିଆରଏମ ହସ୍ପିଟାଲ ସୁପରିଟେଣ୍ଡେଟ୍ ଡକ୍ଟର ରିତାଞ୍ଜଳୀ ବେହେରାଙ୍କ ସୂଚନା ଅନୁଯାୟୀ, ନୂଆ କ୍ୟାମ୍ପସ ୬୫୦ ଶଯ୍ୟା ବିଶିଷ୍ଟ ହେବ। ଏଠାରେ ସାଧାରଣ ଚିକିତ୍ସାଠାରୁ ଆରମ୍ଭ କରି ଜଟିଳ ଅସ୍ତ୍ରୋପଚାର ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ଡାକ୍ତରଖାନାରେ ମୋଟ ୩୪ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଓ ୱାର୍ଡ କାର୍ଯ୍ୟ କରିବ । ନୂତନ କ୍ୟାମ୍ପସରେ ମାଇକ୍ରୋ, ପାଥୋ, ବାୟୋକେମିଷ୍ଟ୍ରି ଭଳି ସମସ୍ତ ଲାବୋରେଟୋରୀ ଟେଷ୍ଟିଂ ସୁବିଧା ରହିବ । କେବଳ ସିଟି ସ୍କାନ ଏବଂ ଏମଆରଆଇ (CT/MRI) ପିପିପି (PPP) ମୋଡ୍ରେ ପୁରୁଣା ସ୍ଥାନରେ ଚାଲିବ, ଯାହାର ରିପୋର୍ଟ ରୋଗୀମାନେ ସହଜରେ ପାଇପାରିବେ । ଏହାସହ ମେଡ଼ିକାଲ କଲେଜ ଓ ହସପିଟାଲ ପାଖାପାଖି ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଯାତାୟାତ ସମୟ ବଞ୍ଚିବ ଏବଂ ସ୍ବାସ୍ଥ୍ୟ ସେବା ଶୀଘ୍ର ମିଳିବ।

ଖୁବଶୀଘ୍ର ପୂରଣ ହେବ ୪୮ ପଦବୀ

ତେବେ ପିଆରଏମ ମେଡିକାଲ କଲେଜ ଆଣ୍ଡ ହସପିଟାଲରେ ୨୦୧ ଟି ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ସିନିୟର ରେସିଡେଣ୍ଟ ଓ ଜୁନିୟର ରେସିଡେଣ୍ଟ ଆଦି ସାଙ୍କସନ୍ଡ ପଦବୀ ରହିଥିବା ବେଳେ ଏବେ ୪୮ଟି ପଦବୀ ଖାଲି ପଡ଼ିଛି ଯାହା ଖୁବଶୀଘ୍ର ପୂରଣ ହେବ। ସେହିପରି ଚିକିତ୍ସା ସେବା ଯୋଗାଇବା ପାଇଁ ଏଠାରେ ନର୍ସିଂ ବିଭାଗରେ ୨୫୨ ଜଣ, ଡିଏମଏଲଟି ବିଭାଗରେ ୯୦ ଜଣ ଓ ଡିଏମଆରଟି ବିଭାଗରେ ୬୦ ଜଣ କର୍ମଚାରୀ ସେବା ଯୋଗାଇବା ପାଇଁ ପ୍ରସ୍ତୁତ ରହିଛନ୍ତି । ଏହାସହ ମେଡ଼ିକାଲ କଲେଜରୁ ପ୍ରତି ବ୍ୟାଚ୍ରେ ଉତ୍ତୀର୍ଣ୍ଣ ହେଉଥିବା ୧୨୫ ଜଣ ଛାତ୍ରଛାତ୍ରୀଙ୍କର ରୋଗୀ ସେବା ମଧ୍ୟ ବେଶ୍ ଗୁରୁତ୍ୱ ବହନ କରିବ ।

Also Read: ରାଜ୍ୟରେ ଫେରିବ ମୂଳ ଓଡ଼ିଆ ନାମ, ୫୦ରୁ ଅଧିକ ସ୍ଥାନର ନାମ ପରିବର୍ତ୍ତନ ପ୍ରସ୍ତାବ

ସୂଚନାଥାଉକି, ଜିଲ୍ଲାବାସୀଙ୍କ ଦୀର୍ଘଦିନର ସଂଘର୍ଷର ଫଳସ୍ୱରୂପ ବାରିପଦାରେ ସ୍ଥାପିତ ହୋଇଥିଲା ଓଡ଼ିଶାର ଚତୁର୍ଥ ସରକାରୀ ମେଡିକାଲ କଲେଜ। ୨୦୧୭ ମସିହାରେ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନରେ ୧୦୦ ଆସନରୁ ଶିକ୍ଷାଦାନ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏହା ୧୨୫ ଆସନରେ ପହଞ୍ଚିଛି। ଆଗାମୀ ଦିନରେ ବିଏସସି ନର୍ସିଂ ସମେତ ଅନ୍ୟାନ୍ୟ ପାଠ୍ୟକ୍ରମ ଯୋଡ଼ି ହେଲେ ଜିଲ୍ଲାର ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ଶିକ୍ଷା କ୍ଷେତ୍ର ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।