ଭୁବନେଶ୍ବର ୨୫।୨: ଖଣି ଅଧିକାରୀଙ୍କ ଘରେ ଟଙ୍କାର ଖଣି । ଭିଜିଲାନ୍ସ ରେଡ୍ ବେଳେ ଯାହା ପାଇଛି ଆଖି ଟେରା ହୋଇଯାଇଛି । ଭୁବନେଶ୍ବର ସ୍ଥିତ ବାବୁଙ୍କ ଘରୁ ବାହାରିଛି ୪ କୋଟି ନଗଦ ଟଙ୍କା । ତେବେ ଏହି ଘଟଣାକୁ ନେଇ କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି, ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି । ଦୁଇ ବର୍ଷ ପରେ ବି ଆଉ ଛୁଆ ସରକାର କହିଲେ ହେବ ନାହିଁ । ସରକାରୀ ଅଧିକାରୀଙ୍କ ନିକଟରୁ ବର୍ତ୍ତମାନ ଯେଉଁ କୋଟି କୋଟି ଟଙ୍କା ବାହାରୁଛି ଏଥିପାଇଁ ଦାୟୀ କିଏ । ଉତ୍ତର ଦିଅନ୍ତୁ ରାଜ୍ୟ ସରକାର । ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇ ଉଦାହରଣ ସୃଷ୍ଟି କରନ୍ତୁ ଯାହା ଫଳରେ ଇଏ ରୋଗ ଧୀରେ ଧୀରେ କମିବ । 

ଏ ଖବର ବି ପଢ଼ନ୍ତୁ:- ଡବଲ ଇଞ୍ଜିନ ସରକାର କେବେ ବି ଦୁର୍ନୀତିକୁ ପ୍ରଶ୍ରୟ ଦେବନାହିଁ, ଯେତେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିଲେ ବି ଛଡ଼ାଯିବ ନାହିଁ

ସୂଚନାଯୋଗ୍ୟ ଯେ,ଭିଜିଲାନ୍ସ ଜାଲରେ ଖଣି ବିଭାଗର କଟକ ସର୍କଲ ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ।ଲାଞ୍ଚ ନେଇ ଧରା ପଡ଼ିବା ପରେ ଆରମ୍ଭ ହୋଇଛି ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ । ସଂପୃକ୍ତ ଉପନିର୍ଦ୍ଦେଶକଙ୍କ ଘରେ ରାତି ଅଧିଆ ରେଡ୍ କରିଛି ଭିଜିଲାନ୍ସ । ଭୁବନେଶ୍ୱର ସ୍ଥିତ ଶ୍ରୀବିହାର ଘର ସମେତ କଟକ ସ୍ଥିତ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିବା ସୂଚନା ମିଳିଛି । ଖଣି ଅଧିକାରୀଙ୍କ ଘରୁ ମିଳିଛି ପୁଳା ପୁଳା ଟଙ୍କା । ଘରେ ଚଢାଉ ବେଳେ ୪ କୋଟି ଟଙ୍କାର ନଗଦ ମିଳିଛି । ଟଙ୍କାକୁ ଟ୍ରଲି ବ୍ୟାଗ ଓ ଆଲମିରାରେ ରଖିଥିଲେ ଅଧିକାରୀ ।

ଏ ଖବର ବି ପଢ଼ନ୍ତୁ:- ଛତିଶା ନିଯୋଗ ସହ ଆଲୋଚନା ହୋଇଛି, ଖୁବ୍‌ଶୀଘ୍ର ସମୟ ନିର୍ଘଣ୍ଟ ସ୍ଥିର ହେବ

ଖଣି ଅଧିକାରୀଙ୍କ କାର୍ଯ୍ୟାଳୟରେ ଚଢାଉ ବେଳେ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିଛି । ଭିଜିଲାନ୍ସ ଇତିହାସରେ ଏକକାଳୀନ ସର୍ବାଧିକ ଟଙ୍କା ଜବତ । ଆଖି ଝଲସିଗଲା ଭଳି ଜବତ ହୋଇଛି ନଗଦ ଟଙ୍କା । ଟ୍ରଲି ବ୍ୟାଗରୁ ବାହାରିଲା ବିଡ଼ାବିଡ଼ା ଟଙ୍କା । ବାବୁଙ୍କ ଟଙ୍କା ଖଣି ଦେଖି ଭିଜିଲାନ୍ସ ଅଧିକାରୀ କାବା । ସେହିପରି ୧୩୦ ଗ୍ରାମ୍ ସୁନା ଓ ଭୁବନେଶ୍ୱରର ପାହାଳରେ ପ୍ରାୟ ୨୪୦୦ ବର୍ଗଫୁଟରେ ନିର୍ମିତ ଏକ ଦୁଇ ମହଲା କୋଠା ଠାବ ହୋଇଛି ।