ଭୁବନେଶ୍ବର ୨୫।୨: ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନ ଭଣ୍ଡାର ଗଣତି ମଣତି ହେବ । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଛତିଶା ନିଯୋଗ ସହିତ ଆଲୋଚନା ହୋଇଛି । ଖୁବ୍‌ଶୀଘ୍ର ସମୟ ନିର୍ଘଣ୍ଟ ସ୍ଥିର ହେବ । ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତି ମଣତି ଆରମ୍ଭ କରିବା ପାଇଁ ଆମେ ଯୋଜନା କରୁଛୁ । ମ୍ୟାନେଜିଂ କମିଟି ଓ ମନ୍ଦିର ପ୍ରଶାସନକୁ ଦାଇତ୍ୱ ଦିଆଯାଇଛି, ସେମାନେ ଛତିଶା ନିଯୋଗ ସହିତ କଥା ହୋଇ ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ କେଉଁ ସମୟରେ କଲେ ଠିକ୍ ହେବ ଏହାପରେ ତାରିଖ ଘୋଷଣା ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

​​​​​​​ଏ ଖବର ବି ପଢ଼ନ୍ତୁ:- ଡବଲ ଇଞ୍ଜିନ ସରକାର କେବେ ବି ଦୁର୍ନୀତିକୁ ପ୍ରଶ୍ରୟ ଦେବନାହିଁ, ଯେତେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିଲେ ବି ଛଡ଼ାଯିବ ନାହିଁ​​​​​​​

ସେପଟେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତି ମଣତି ଏସଓପି ନେଇ ମଙ୍ଗଳବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ରତ୍ନ ଅଳଙ୍କାର ଗଣତି ମଣତି ସମୟରେ କେଉଁ ଅଧିକାରୀଙ୍କ କ'ଣ ଦାୟିତ୍ବ ରହିବ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବ ବଣ୍ଟନ କରିଛନ୍ତି । ଏଥିସହିତ ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକରେ ମଧ୍ୟ ରତ୍ନ ଅଳଙ୍କାର ଗଣତି ମଣତି ପ୍ରସଙ୍ଗ ନେଇ ଆଲୋଚନା କରାଯାଇଥିଲା । ଶୁଭ ଦିନ, ବେଳା ଦେଖି ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ । ତେବେ ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବା ପରେ ଗଣତି ମଣତି ପ୍ରସଙ୍ଗରେ ଆଲୋଚନା କରାଯାଇ ତାରିଖ ଓ ଶୁଭ ସମୟ ଧାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ହିଁ ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।