ନୂଆଦିଲ୍ଲୀ: ଭାରତୀୟ ନାଗରିକଙ୍କୁ ହିଁ ପାସପୋର୍ଟ ଜାରି କରାଯାଏ, ତେବେ ବିଦେଶ ମନ୍ତ୍ରାଳୟ (ଏମଇଏ) ସ୍ପଷ୍ଟ କରିଛି ଯେ ଏହା ଦେଶର ନାଗରିକତାର ପ୍ରମାଣ ନୁହେଁ। ଏହି ସୂଚନା ଚତୁର୍ଦ୍ଦଶ (୧୪)ତମ ‘ପାସପୋର୍ଟ ସେବା ଦିବସ’ ଅବସରରେ ଦିଆଯାଇଛି। ଏମଇଏଙ୍କ ଏହି ଘୋଷଣା ପରେ ସୋସିଆଲ ମିଡିଆରେ ନାଗରିକତା ପ୍ରମାଣକୁ ନେଇ ବିତର୍କ ଆରମ୍ଭ ହୋଇ ଯାଇଛି। ବାସ୍ତବିକ ଏହା ଏକ ଜଟିଳ ପ୍ରସଙ୍ଗ, ହେଲେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ମାମଲାରେ କୌଣସି ସ୍ପଷ୍ଟତା ଦେଇ ନାହାନ୍ତି। ଏମଇଏ କହିଛନ୍ତି ଯେ ପାସପୋର୍ଟ ମୁଖ୍ୟତଃ ଯାତ୍ରା ପାଇଁ ହୋଇଥାଏ, ଯାହାକୁ ଅନ୍ତର୍ଜାତୀୟ ଯାତ୍ରା ସୁଗମ କରିବା ପାଇଁ ଜାରି କରାଯାଏ। ଏହାର ଅର୍ଥ ହେଉଛି କେବଳ ପାସପୋର୍ଟ ଥିଲେ ନାଗରିକତା ପୁଷ୍ଟି ହୋଇ ପାରିବନି।

ନାଗରିକତା ଆଇନ ଓ ପାସପୋର୍ଟ
ଏହି ସ୍ଥିତି ଏକ ବିରୋଧାଭାସକୁ ଦର୍ଶାଉଛି, କାରଣ ଯେଉଁମାନେ ନାଗରିକ ନୁହନ୍ତି ସେମାନଙ୍କୁ ପାସପୋର୍ଟ ଦିଆଯାଏନି। ‘ଇଣ୍ଡିଆ ଟୁଡେ’ ଗ୍ରୁପର କନସଲ୍ଟିଂ ଏଡିଟର ବି.ଭି.ରାଓ ଏହି ବିଷୟକୁ ସ୍ପଷ୍ଟ କରିଛନ୍ତି। ପାସପୋର୍ଟର ଅର୍ଥ ଏହା ନୁହେଁ ଯେ ଏହା ଆପଣଙ୍କ ସମ୍ପତ୍ତି, ଏହାର ପଛ ପାର୍ଶ୍ୱରେ ଲେଖା ରହିଛି ’ଏହା ଭାରତ ସରକାରଙ୍କ ସମ୍ପତ୍ତି’ ଓ ଏହାକୁ ସରକାରଙ୍କ ଆଦେଶରେ ଫେରସ୍ତ କରିବାକୁ ପଡିବ। ଚଳିତବର୍ଷ ପ୍ରାରମ୍ଭରେ ସୁପ୍ରିମକୋର୍ଟ କହିଥିଲେ ଯେ ‘ଆଧାରକାର୍ଡ’ ନାଗରିକତାର ପ୍ରମାଣ ନୁହେଁ, ବରଂ ଏହା କେବଳ ପରିଚୟର ଡକ୍ୟୁମେଣ୍ଟ। ଭୋଟର ଆଇଡି କାର୍ଡକୁ ମଧ୍ୟ ନାଗରିକତାର ପ୍ରମାଣ ମନେ କରାଯାଉନି। କାରଣ ଏହା ପରିଚୟ ଓ ଠିକଣାର ପ୍ରମାଣପତ୍ର।

ନାଗରିକତା ଆଇନର ବିବରଣୀ
ନାଗରିକତା ଆଇନ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ଜନ୍ମ ୨୬ ଜାନୁୟାରୀ ୧୯୫୦ ପରେ ଓ ୧ ଜୁଲାଇ ୧୯୮୭ ପୂର୍ବରୁ ହୋଇଛି ତେବେ ତାଙ୍କୁ ଜନ୍ମଜାତ ଭାରତୀୟ ନାଗରିକ ମନେ କରାଯିବ। ସେହିପରି ଯଦି କାହାର ଜନ୍ମ ଜୁଲାଇ ୧୯୮୭ ପରେ ହୋଇଛି ତେବେ ସେ ସେତେବେଳେ ନାଗରିକତା ଦାବି କରିପାରିବ ଯେତେବେଳେ ତାଙ୍କ ମାତା ପିତାଙ୍କ ମଧ୍ୟରୁ କେହି ଜଣେ ଭାରତୀୟ ନାଗରିକ ହୋଇଥିବେ। ସେହିପରି ୩ ଡିସେମ୍ବର ୨୦୦୪ ପରେ ଜନ୍ମିତ ଲୋକେ ନାଗରିକତା ଦାବି ସେତେବେଳେ କରିପାରିବେ ଯେତେବେଳେ ତାଙ୍କ ମାତାପିତା ଉଭୟ ଭାରତୀୟ ହୋଇଥିବେ। ଯେପରି ଜଣେ ନାଗରିକ ହୋଇଥିବେ ଓ ଅନ୍ୟ ଜଣେ ପ୍ରବାସୀ ହୋଇଥିଲେ ହେବ ନାହିଁ।

ପାସପୋର୍ଟ ସେବାରେ ସୁଧାର
ବିଦେଶମନ୍ତ୍ରାଳୟ ଭାରତର ପାସପୋର୍ଟ ସର୍ଭିସ ନେଟୱାର୍କର ସମ୍ପ୍ରସାରଣ ଓ ଚିପ୍-ଏନାବଲ୍ଡ ଇ-ପାସପୋର୍ଟର ସଫଳ ପ୍ରାରମ୍ଭ କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ଜନୈକ ଏମଇଏ ଅଧିକାରୀଙ୍କ ଅନୁସାରେ ୨୦୨୫ରେ ୧.୫ କୋଟି ପାସପୋର୍ଟ ଓ ସମ୍ପର୍କିତ ସେବା ପ୍ରଦାନ କରାଯାଇଛି। ଏହା ଛଡା ପାସପୋର୍ଟ ପ୍ରଦାନରେ ଲାଗୁଥିବା ହାରାହାରି ସମୟରେ ମଧ୍ୟ ସୁଧାର ହୋଇଛି। ପୋଲିସ ଭେରିଫିକେସନ ସମୟକୁ ବାଦ ଦେଲେ ଏବେ ପାସପୋର୍ଟ ୬ଟି କାର୍ଯ୍ୟଦିବସରେ ମିଳି ଯାଉଛି। ଅଧିକାରୀ କହିଛନ୍ତି ଯେ ଏବେ ପାସପୋର୍ଟ ସେବା କେନ୍ଦ୍ରରେ ନାଗରିକଙ୍କୁ ଅଧିକରୁ ଅଧିକ ୪୫ ମିନିଟ୍ ସମୟ ବିତାଇବାକୁ ପଡୁଛି।