ଭୁବନେଶ୍ବର ୮।୭: ଆସନ୍ତା କାଲି ନିଷ୍କାସିତ ହେବ ହୀରାକୁଦରୁ ପ୍ରଥମ ବନ୍ୟା ଜଳ । ଏ ନେଇ ସୂଚନା ଦେଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ତାଙ୍କ ସୂଚନା ଅନୁଯାୟୀ, ଦିନ ୧୧ଟାରେ ହୀରାକୁଦର ୪ଟି ଗେଟ୍ ଖୋଲାଯିବ । କ୍ରମଶଃ ଅଧିକ ଗେଟ୍ ଖୋଲି ୧ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ନିଷ୍କାସନ କରାଯିବ ।

ବର୍ତ୍ତମାନ ହୀରାକୁଦରେ ୬୧୧.୨୩ ଫୁଟ ଜଳ ଅଛି । ୨ ଲକ୍ଷ ୬୨ ହଜାର କ୍ୟୁସେକ ପାଣି ହୀରାକୁଦକୁ ଇନ୍‌ଫ୍ଲୋ ହେଉଛି । ମୁଣ୍ଡଳୀରେ ୫ ଲକ୍ଷ ୫୪ ହଜାର କ୍ୟୁସେକ ଜଳ ମଙ୍ଗଳବାର ରାତିରେ ପ୍ରବାହିତ ହେଉଥିବା ବେଳେ ଏବେ ୪ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଏହା କ୍ରମଶଃ କମିବ । ତେଣୁ ତଳମୁଣ୍ଡରେ ବନ୍ୟାର ସମ୍ଭାବନା ନାହିଁ ।

Also Read:- ଭୁବନେଶ୍ବର ଆଜାଦ ନଗର ବିସ୍ଫୋରଣ ମାମଲା : ୭ ମାସ ପରେ ୟୁପିରୁ ଆଉ ଜଣକୁ ଗିରଫ କଲା NIA

ସେପଟେ ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ସମ୍ବଲପୁର ହୀରାକୁଦରେ ବସିଛି ବଡ଼ ବୈଠକ । କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅଧ୍ୟକ୍ଷତାରେ ଫ୍ଲଡ୍ କ୍ରାଇସେସ୍ ମ୍ୟାନେଜମେଣ୍ଟ ଟିମ୍‌ର ବୈଠକ ଚାଲିଛି । ବୈଠକରେ ଓଡ଼ିଶା ଓ ଛତିଶଗଡ ସରକାରଙ୍କ ବରିଷ୍ଠ ଯନ୍ତ୍ରୀ ଯୋଗ ଦେଇଛନ୍ତି । ମୌସୁମୀ ବେଳେ ବନ୍ଧର ପରିଚାଳନା କିପରି ଠିକ୍ ଭାବେ କରାଯିବ ସେ ନେଇ ଆଲୋଚନା ହେଉଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।