ବାର୍ଲିନ: ଜର୍ମାନର ପୂର୍ବାଞ୍ଚଳ ରାଜ୍ୟ ସେକ୍ସୋନୀ-ଏନହାଲ୍ଟରେ ଅନୁଷ୍ଠିତ କ୍ଷେତ୍ରିୟ ନିର୍ବାଚନ ଫଳାଫଳ ଫାର ରାଇଟ୍ ପାର୍ଟି ଅଲ୍ଟରନେଟିଭ ଫର ଜର୍ମାନୀ(ଏଏଫଡି)ସପକ୍ଷରେ ଯାଇଛି। ପାର୍ଟି ୪୪%ରୁ ଅଧିକ ଭୋଟ ପାଇ ଐତିହାସିକ ବିଜୟ ଲାଭ କରିଛି। ଏପରି ପରିଣାମ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର କୌଣସି ରାଜ୍ୟସ୍ତର ନିର୍ବାଚନରେ ଫାର ରାଇଟ ପାର୍ଟିକୁ ଏହି ସଫଳତା ମିଳିଛି। ପାର୍ଟିର ପ୍ରମୁଖ ପ୍ରାର୍ଥୀ ଉଲରିଚ୍ ସିଗମଣ୍ଡ ଏହି ବିଜୟକୁ ଐତିହାସିକ ଓ ଏହା ବର୍ଲିନର ସଂଘୀୟ ସରକାର ଲାଗି ଏକ ବାର୍ତ୍ତା ବୋଲି କହିଛନ୍ତି।

ଗତ ୨୪ ବର୍ଷ ହେଲା ରାଜ୍ୟରେ ଶାସନ କରିଆସୁଥିବା ସିଡିୟୁକୁ ୨୦୨୧ ମସିହାରେ ମିଳିଥିବା ୩୭.୧% ଭୋଟରୁ ମଧ୍ୟ କମ ଭୋଟ ମିଳିଛି। ଯାହା ମିଶ୍ରଣ ପରେ ରାଜ୍ୟରେ ପାର୍ଟିର ସବୁଠୁ ଖରାପ ପ୍ରଦର୍ଶନ ବୋଲି କୁହାଯାଉଛି। ଯଦିଓ ଅଲ୍ଟରନେଟିଭ ଫର ଜର୍ମାନୀ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ତେବେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ସଫଳ ହୋଇନି। ୮୩ ଆସନର ରାଜ୍ୟ ସଂସଦରେ ଏଏଫଡିକୁ ୩୯ଟି ଆସନ ମିଳିବାର ଅନୁମାନ କରାଯାଉଛି। ଏହା ସରକାର ଗଠନ ଲାଗି ଆବଶ୍ୟକ ୪୨ ଆସନରୁ ୩ଟି ସିଟ୍ ପଛରେ ରହୁଛି। ଏଣୁ ଏଏଫଡି ସରକାର ଗଢିବା ନେଇ ଆଶଙ୍କା ଦେଖା ଦେଇଛି।

ରାଜ୍ୟର ସବୁ ମୁଖ୍ୟଧାରା ରାଜନୈତିକ ଦଳ ଏଏଫଡି ସହିତ କୌଣସି ପ୍ରକାରର ମେଣ୍ଟ ଅଥବା ସହଯୋଗ କରିବାକୁ ସ୍ପଷ୍ଟ ମନା କରୁଛନ୍ତି। ଏହା ଏକ ଏପରି ରଣନୀତି ଯାହାକୁ ‘ଫାୟାରୱାଲ’ କୁହାଯାଉଛି। ସେକ୍ସୋନୀ-ଏନହାଲ୍ଟରେ ଏଏଫଡି ଶାଖାକୁ ଜର୍ମାନର ଘରୋଇ ଗୁଇନ୍ଦା ଏଜେନ୍ସୀ ଅଧିକାରୀକ ଭାବେ ଦକ୍ଷିଣପନ୍ଥୀ ଚରମପନ୍ଥୀ ସମୂହ ଘୋଷଣା କରିଛି। ଏହା ଏହି ଗତିରୋଧକୁ ଆହୁରି ବଢାଇ ଦେଇଛି। ଯଦି କୌଣସି ମେଣ୍ଟ ନହୁଏ ତେବେ ରାଜ୍ୟରେ ସ୍ୱଳ୍ପମତ ସରକାର ଗଢାଯାଇପାରେ ଅଥବା ଦ୍ୱିତୀୟବାର ନିର୍ବାଚନର ଆବଶ୍ୟକତା ପଡିପାରେ।