ଭୁବନେଶ୍ବର ୨୨।୮: ହାଣ୍ଡିଆ ଦେଇ ଖୋଲୁଛନ୍ତି ମ୍ୟୁଲ୍ ଆକାଉଣ୍ଟ, ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ମ୍ୟୁଲ୍ ଆକାଉଣ୍ଟରେ ଆସୁଛି ସାଇବର ଠକେଇ ଟଙ୍କା । ଆକାଉଣ୍ଟ ଖୋଲିଦେଇ ମୋଟା ଅଙ୍କର କମିଶନ ନେଉଛନ୍ତି ଠକଙ୍କ ସହଯୋଗୀ । ଏଭଳି ଏକ ବଡ଼ ସାଇବର ଠକେଇ ଚେନ୍କୁ ଧରିଛି ସାଇବର ଥାନା ପୋଲିସ । ମୟୂରଭଞ୍ଜରୁ ମ୍ୟୁଲ୍ ଆକାଉଣ୍ଟ ଚଳାଉଥିବା ରାଜେନ୍ଦ୍ର ସିଂକୁ ଗିରଫ କରିଛି ପୋଲିସ । ବାଲେଶ୍ୱର ଅଞ୍ଚଳରେ ମ୍ୟୁଲ୍ ଆକାଉଣ୍ଟ ଚଳାଇ ସାଇବର ଠକଙ୍କୁ ଠକେଇ ଟଙ୍କା ନେଣଦେଣରେ ସହଯୋଗ କରୁଥିଲା ଅଭିଯୁକ୍ତ ।

୨୦୨୫ ମସିହାରେ ଖଣ୍ଡଗିରି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଫୋନ୍ କରି ଠକିଥିଲେ ସାଇବର ଠକ । ପରେ ହ୍ୱାଟ୍ସଆପ୍ରେ ଲିଙ୍କ୍ ପଠାଇ ପ୍ରାୟ ୯ ଲକ୍ଷ ଟଙ୍କା ହଡ଼ପ କରିଥିଲା । ଏହି ଠକେଇ ଟଙ୍କା ମ୍ୟୁଲ୍ ଆକାଉଣ୍ଟ ଜରିଆରେ ଟ୍ରାନ୍ସଫର କରାଯାଇଥିଲା । ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଟାର୍ଗେଟ କରୁଥିଲେ ଠକ । ଲୋଭନୀୟ ଅଫର ଓ ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କୁ ଫସାଇବା ପରେ ଆକାଉଣ୍ଟ ଖାଲି କରୁଥିଲେ ।

Also Read:- ମହାନଦୀ ବ୍ରିଜ୍ରୁ ନଦୀକୁ ଡେଇଁଲେ ୨ ନାବାଳିକା, ମାଛ ଧରାଳି କଲେ ଉଦ୍ଧାର

ଓଡ଼ିଶା ସମେତ ଗୁଜରାଟ, ଆସାମ ଓ କୋଲକାତାରେ ଏହି ଠକେଇ ଚେନ୍ର ଲିଙ୍କ୍ ରହିଛି । ଏପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ବେଳେ ଏହି ବଡ଼ ନେଟୱର୍କର ମାଷ୍ଟରମାଇଣ୍ଡକୁ ଧରିବାକୁ ତଦନ୍ତ ଚଳାଇଛି ସାଇବର ପୋଲିସ । ଅଭିଯୁକ୍ତ ରାଜେନ୍ଦ୍ରକୁ ଗିରଫ ପରେ ଏବେ ପୋଲିସର ଟାର୍ଗେଟରେ ଅନ୍ୟ ମ୍ୟୁଲ୍ ଆକାଉଣ୍ଟଧାରୀ ଓ ମାଷ୍ଟରମାଇଣ୍ଡ । ଏହି ସାଇବର ଠକେଇ ଚେନ୍ରେ ଆଉ କେତେ ଜଣ ସାମିଲ ଅଛନ୍ତି, ସେନେଇ ଖୋଳତାଡ଼ ଜାରି ରହିଛି ।

Watch Video: