ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬ ଦଶମ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ବୋର୍ଡ ପକ୍ଷରୁ ରେଜଲ୍ଟ ଜାରି ହୋଇଛି। ବୋର୍ଡ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ୨୩.୧୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତ ବର୍ଷ ପାସ୍ ହାର ୯୩.୭୦% ରହିଛି। ଯାହା ଗତ ବର୍ଷର ପାସ୍ ହାର ୯୩.୬୬% ଠାରୁ ସାମାନ୍ୟ ଅଧିକ। ସିବିଏସଇ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଝିଅଙ୍କ ପାସ୍ ହାର ୯୪.୯୯ ପ୍ରତିଶତ ରହିଛି। ସେହିଭଳି ପୁଅଙ୍କ ପାସ୍ ହାର ୯୨.୬୯ ପ୍ରତିଶତ ରହିଛି। ଅର୍ଥାତ ପୁଅଙ୍କ ତୁଳନାରେ ଝିଅମାନେ ଆଗରେ ରହିଛନ୍ତି।

ରିପୋର୍ଟ ଅନୁସାରେ, ଚଳିତ ଥର ଦଶମ ପରୀକ୍ଷା ପାଇଁ ୨୪, ୮୩,୪୭୯ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ ଏବଂ ସେଥିମଧ୍ୟରୁ ୨୪, ୭୧, ୭୭୭ ଜଣ ପରୀକ୍ଷା ଦେଇଥିଲେ। ଏଥର ସିବିଏସଇ ଦ୍ୱାଦଶ ବୋର୍ଡ ରେଜଲ୍ଟ ପୂର୍ବରୁ ଦଶମ ଫଳାଫଳ ପ୍ରକାଶ କରିଛି। ଏହାର ମୁଖ୍ୟ କାରଣ ହେଉଛି ସିବିଏସଇ ଚଳିତ ବର୍ଷରୁ ହିଁ ୧୦ମ ପାଇଁ ଦୁଇଟି ପରୀକ୍ଷା ଆୟୋଜିତ କରିବାକୁ ଯାଉଛି। ସିବିଏସଇ ୧୦ମ ବୋର୍ଡର ଦ୍ବିତୀୟ ପରୀକ୍ଷା ମେ ମାସରୁ ଆରମ୍ଭ ହେବ। ଚଳିତ ବର୍ଷ ପ୍ରାୟ ୨୬ ଲକ୍ଷ ଛାତ୍ରଛାତ୍ରୀ ୧୦ ପରୀକ୍ଷା ଦେଥିଲେ।

କେମିତି ଚେକ୍ କରିବେ ରେଜଲ୍ଟ ?

ଛାତ୍ରଛାତ୍ରୀ CBSE ଦଶମ ପରୀକ୍ଷା ଫଳ CBSEର ଅଫିସିଆଲ୍ ୱେବସାଇଟ୍ https://cbseresults.nic.in/ ସହ ଅନ୍ୟାନ୍ୟ ଡିଜିଟାଲ୍ ପ୍ଲାଟଫର୍ମ ଯେପରିକି ଡିଜିଲକର ଏବଂ ଉମଙ୍ଗ ଆପ୍କୁ ଯାଇ ରୋଲ ନମ୍ବର, ସ୍କୁଲ ନମ୍ବର, ଜନ୍ମ ତାରିଖ ଏବଂ ଆଡମିଟ୍ କାର୍ଡ ଡିଟେଲ ଦେଇ ପରୀକ୍ଷା ଫଳ ଦେଖିପାରିବେ।

ମେ ୧୫ରୁ ଦ୍ୱିତୀୟ ପରୀକ୍ଷା

CBSE ଦଶମ ବୋର୍ଡ ପାଇଁ ଦ୍ୱିତୀୟ ପରୀକ୍ଷା ଘୋଷଣା କରିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଦଶମ ବୋର୍ଡ ପାଇଁ ଦ୍ୱିତୀୟ ପରୀକ୍ଷା ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ, CBSE ଦଶମ ବୋର୍ଡ ଦ୍ୱିତୀୟ ପରୀକ୍ଷା ମେ ୧୫ରୁ ଜୁନ ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କେବଳ ପ୍ରଥମ ଦଶମ ବୋର୍ଡ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ସର୍ବାଧିକ ତିନୋଟି ବିଷୟରେ ଦ୍ୱିତୀୟ ପରୀକ୍ଷା ଦେଇପାରିବେ।

Also Read: OSSTET Result Published: ପ୍ରକାଶ ପାଇଲା OSSTET ରେଜଲ୍ଟ, ପାସ୍ ହାର ୭୨.୩୮ ପ୍ରତିଶତ

କେତେ ମାର୍କରେ ପାସ୍ ?

CBSE ଦଶମ ବୋର୍ଡ ପରୀକ୍ଷାରେ ସର୍ବନିମ୍ନ ପାସ୍ ମାର୍କ ରହିଥାଏ। ଜଣେ ଛାତ୍ର ଯଦି ଅତି କମରେ ୩୩% ନମ୍ବରରେ ପାସ୍ କରନ୍ତି ତେବେ ତାଙ୍କୁ ପାସ୍ ବୋଲି ବିବେଚନା କରାଯାଏ। ତଥାପି, ସେମାନଙ୍କୁ ପ୍ରତ୍ୟେକ ବିଷୟରେ ୩୩% ନମ୍ବର ମଧ୍ୟ ରଖିବାକୁ ପଡ଼ିବ। ଏମିତିରେ ଗୋଟିଏ କିମ୍ବା ଦୁଇଟି ବିଷୟରେ ୩୩%ରୁ କମ୍ ନମ୍ବର ପାଇଥିବା ଛାତ୍ରଛାତ୍ରୀ କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇପାରିବେ। ଦୁଇଟିରୁ ଅଧିକ ବିଷୟରେ ୩୩%ରୁ କମ୍ ନମ୍ବର ପାଉଥିବା ଛାତ୍ରମାନଙ୍କୁ ଫେଲ୍ ଘୋଷଣା କରାଯାଏ।