ନୂଆଦିଲ୍ଲୀ,୨୪ /୦୩: ହଠାତ ଆରମ୍ଭ ହୋଇନଥିଲା ଇରାନ ଉପରେ ଆକ୍ରମଣ ।୪୮ଘଣ୍ଟା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଆଲୋଚନା କରିଥିଲେ । କେମିତି ଅପରେସନ ଆରମ୍ଭ ହେବ ଏବଂ କେଉଁଠି ଆଟାକ୍ କରାଯିବ ସେନେଇ ଦୁଇ ନେତା ସବିଶେଷ କଥା ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି ।

​​​​​​​Also Read :-ଟ୍ରମ୍ପଙ୍କ ବୟାନରେ ନିବେଶକ ଖୁସ୍ : ଝୁମିଲା ସେୟାର ବଜାର, ବଢିଲା ସେନସେକ୍ସ-ନିଫ୍ଟି

ରୟଟର୍ସ ରିପୋର୍ଟ ଅନୁସାରେ ନେତନ୍ୟାହୁ ଇରାନ ସୁପ୍ରିମ ଲିଡରଙ୍କ ବାବଦରେ ସବୁ ତଥ୍ୟ ଟ୍ରମ୍ପଙ୍କୁ କହିଥିଲେ । ଇରାନର ପୂର୍ବତନ ସୁପ୍ରିମ ଲିଡର ଆୟତୁଲ୍ଲାହ ଖାମେନି ତେହେରାନରେ କେଉଁ କାର୍ଯ୍ୟାଳୟକୁ ଆସିବେ ଏବଂ ତାଙ୍କ ସହ କିଛି ବଡ ଅଧିକାରୀ ରହିବେ ବୋଲି ଇସ୍ରାଏଲ ପାଖରେ ପୂର୍ବରୁ ଇନପୁଟ୍ ଥିଲା । ଫଳରେ ଇସ୍ରାଏଲ ଟାର୍ଗେଟ୍ କରି ଖାମେନିଙ୍କୁ ହତ୍ୟା କରିଥିଲା । ଏପରି ଟାର୍ଗେଟ୍ ଆଟାକ୍ କରିବାରେ ଆମେରିକାଠୁ ଇସ୍ରାଏଲ ଖୁବ୍ ଆଗରେ ରହିଛି ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଖାମେନି ବାରମ୍ବାର ବୈଠକ ନେଇ ସମୟ ଏବଂ ସ୍ଥାନ ବଦଳାଉଥିଲେ । କିନ୍ତୁ ଶେଷରେ ତେହେରାନରେ ବୈଠକ ନେଇ ଯୋଜନା ହୋଇଥିଲା । ଏହା ହିଁ ସୁବର୍ଣ୍ଣ ସୁଯୋଗ ବୋଲି ନେତନ୍ୟାହୁ ଟ୍ରମ୍ପଙ୍କୁ କହିଥିଲେ । ଏପରିକି ୨୦୨୪ରେ ଇରାନ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ପ୍ରୟାସ କରିଥିଲା ବୋଲି ନେତନ୍ୟାହୁ ଫୋନରେ କହିଥିଲେ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ବେଳେ ଇରାନ ଏହି ଯୋଜନା କରିଥିଲା କିନ୍ତୁ ବିଫଳ ହୋଇଥିଲା । ଏପରି ଭାବେ ଦୁଇ ନେତା ଅନେକ ସମୟ ଧରି କଥା ହୋଇଥିଲେ ।

ରିପୋର୍ଟରେ ଆହୁରି ଅନେକ ତଥ୍ୟ

କିଛି ଦିନ ତଳେ ଆମେରିକାର ଜଷ୍ଟିସ୍ ଡିପାର୍ଟମେଣ୍ଟ୍ ଇରାନ ଏକ ପାକିସ୍ତାନୀ ନାଗରିକଙ୍କୁ ଟ୍ରମ୍ପଙ୍କ ହତ୍ୟାର ସୁପାରୀ ଦେଇଥିବା ପ୍ରକାଶ କରିଥିଲା । ଆଇଆରଜିସି କମାଣ୍ଡର ସୁଲେମାନୀଙ୍କ ହତ୍ୟାର ଏହା ପ୍ରତିଶୋଧ ହୋଇଥାନ୍ତା । ଏବାବଦରେ ମଧ୍ୟ ନେତନ୍ୟାହୁ ଏବଂ ଟ୍ରମ୍ପ୍ କଥା ହୋଇଥିଲେ । ନେତନ୍ୟାହୁ ଟ୍ରମ୍ପଙ୍କୁ ବୁଝାଇବାରେ ସଫଳ ହୋଇଥିଲେ । ଟ୍ରମ୍ପ୍ ମଧ୍ୟ ଯୁଦ୍ଧ ପାଇଁ ରାଜି ହୋଇଥିଲେ ।

ଦୀର୍ଘଦିନ ହେବ ଇରାନ ନିକଟବର୍ତ୍ତୀ ଅଞ୍ଚଳରେ ଆମେରିକା ସେନା ନିଜର ସାମରିକ ଘାଟି ପ୍ରସ୍ତୁତ କରିଥିଲା । ,ଇରାନ ଉପରେ ଆକ୍ରମଣ ପାଇଁ ପାଣିପାଗ ମଧ୍ୟ ଠିକ୍ ରହିଥିଲା । ଫେବ୍ରୁଆରୀ ୨୭ ତାରିଖରେ ଟ୍ରମ୍ପ୍ ସେନାକୁ ଅପରେସନ ଏପିକ୍ ଫ୍ୟୁରି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୨୮ତାରିଖରେ ଖାମେନି ଥିବା କାର୍ଯ୍ୟାଳୟର ଏକ ଛୋଟ ଝରକା ଦେଇ ମିସାଇଲ ଆକ୍ରମଣ ହୋଇଥିଲା ।

ରୟଟର୍ସ ରିପୋର୍ଟରେ ଦର୍ଶାଯାଇଛି ଯେ, ନେତନ୍ୟାହୁ ଟ୍ରମ୍ପଙ୍କୁ ଏହି ଆକ୍ରମଣ ଐତିହାସିକ ବୋଲି କହିଥିଲେ । କାରଣ ଇରାନର ନେତୃତ୍ୱକୁ ବଦଳାଯାଇପାରିବ । ଯୋଜନା ଅନୁସାରେ ଫେବ୍ରୁଆରୀ ୨୮ତାରିଖରେ ଇରାନ ନେତା ଖାମେନିଙ୍କୁ ହତ୍ୟା କରାଯାଇଥିଲା । ଏନେଇ ମାର୍ଚ୍ଚ ରେ ଟ୍ରମ୍ପ୍ ଘୋଷଣା କରିଥିଲେ ।

ନେତନ୍ୟାହୁଙ୍କ ଖଣ୍ଡନ

ହ୍ୱାଇଟ୍ ହାଉସ୍ ଅଧିକାରୀ ଆନା କେଲିଙ୍କ କହିବାନୁସାରେ, ଇରାନର ସାମରିକ ଘାଟି, ନୌସେନା, ବାଲିଷ୍ଟିକ୍ ମିସାଲ ସିଷ୍ଟମକୁ ଧ୍ୱଂସ କରିବା ନେଇ ଯୋଜନା ହୋଇଥିଲା । ଅନ୍ୟ ଦିଗରେ ନେତନ୍ୟାହୁ ଆମେରିକା ଉପରେ ଯୁଦ୍ଧ ପାଇଁ ଚାପ ପକାଉଥିବା ଖବରକୁ ଖଣ୍ଡନ କରିଛନ୍ତି । ଏହା ଟ୍ରମ୍ପଙ୍କ ଯୋଜନା ବୋଲି ସେ କହିଛନ୍ତି । ସେହିପରି ଆମେରିକାର କିଛି ଅଧିକାରୀ ମଧ୍ୟ ଟ୍ରମ୍ପଙ୍କ ହତ୍ୟା ଯୋଜନାର ଏହା ପ୍ରତିଶୋଧ ବୋଲି ପ୍ରକାଶ କରିଛନ୍ତି ।