ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପକୁ ଆଉ ବାକି ରହିଲା ୧୫ ଦିନ। ଏହା ପୂର୍ବରୁ ଆସିଛି ବଡ଼ ଖବର। ଟି-୨୦ ବିଶ୍ଵକପକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ କ୍ରିକେଟ୍ ବୋର୍ଡ। ବାଂଲାଦେଶ ସରକାର ଯୁକ୍ତି ବାଢିଛନ୍ତି ଯେ, ଭାରତରୁ ମ୍ୟାଚ୍ ସ୍ଥାନାନ୍ତର କରିବା ଆମର ଦାବିକୁ ଆଇସିସି ଅଗ୍ରାହ୍ୟ କରି ଦେଇଛି। ତେଣୁ ବାଂଲାଦେଶ କ୍ରିକେଟ୍ ଦଳ ଟି-୨୦ ବିଶ୍ଵକପରେ ଅଂଶଗ୍ରହଣ କରିବ ନାହିଁ।

ବାଂଲାଦେଶ ସ୍ପଷ୍ଟ କରିଛି ଯେ ପର୍ଯ୍ୟନ୍ତ ଭେନ୍ୟୁ ଭାରତରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରା ନ ଯାଇଛି, ସେ ପର୍ଯ୍ୟନ୍ତ ଦଳ ବିଶ୍ଵକପରେ ଅଂଶଗ୍ରହଣ କରିବ ନାହିଁ। ଖେଳାଳିଙ୍କ ସହ ଗୁରୁତ୍ଵପୂର୍ଣ୍ଣ ବୈଠକ ପରେ ବାଂଲାଦେଶର ପରାମର୍ଶଦାତା ଆସିଫ ନଜରୁଲ ଆଇସିସି ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ସେ କହିଛନ୍ତି, ଆଇସିସି ବାଂଲାଦେଶ ସହ ନ୍ୟାୟ କରି ନାହିଁ। ଖେଳାଳିଙ୍କ ସୁରକ୍ଷାକୁ ଅଣଦେଖା କରାଯାଇଛି। ତେଣୁ ସରକାର, କ୍ରିକେଟ୍ ବୋର୍ଡ ଓ ଖେଳାଳି ଗୋଟିଏ ମତରେ ନିଷ୍ପତ୍ତି ନେଇଛନ୍ତି ଯେ, ସୁରକ୍ଷା ସହ କୌଣସି ପ୍ରକାରର ସାଲିସ୍ କରାଯିବ ନାହିଁ।

ଆସିଫ ନଜରୁଲ ସ୍ପଷ୍ଟ ଶବ୍ଦରେ କହିଛନ୍ତି, ଆମେ କାହାରି ଚାପରେ ମୁଣ୍ଡ ନୁଆଁଇବୁ ନାହିଁ। ଦୁନିଆକୁ ଏହା ବି ବୁଝିବା ଉଚିତ୍ ଯେ, ଯଦି ବାଂଲାଦେଶ ବିଶ୍ଵକପ୍ ଖେଳିବ ନାହିଁ ତେବେ ତାର ପରିଣାମ କଣ ହେବ। ଆମେ ଖେଳାଳିଙ୍କ  ସୁରକ୍ଷା ସହ କୌଣସି ସାଲିସ୍ କରି ପାରିବୁ ନାହିଁ। ବୈଠକ ପରେ ବାଂଲଦେଶ କ୍ରିକେଟ୍ ବୋର୍ଡ ଜଣାଇ ଦେଇଛି ଯେ, ନିଆଯାଇଥିବା ନିଷ୍ପତ୍ତିରେ ବୋର୍ଡ ଅଟଳ। ସାଂପ୍ରତିକ ସ୍ଥିତିରେ ଭାରତ ଯାଇ ଖେଳିବା ସୁରକ୍ଷିତ ନୁହେଁ। ଏଥିପାଇଁ ଭେନ୍ୟୁ ବଦଳାଇ ଶ୍ରୀଲଙ୍କା କରାଯିବା ଉଚିତ୍ ଥିଲା। ​​​​​​​

​​​​​​​

କିନ୍ତୁ ଆଇସିସି ପ୍ରଥମରୁ ସ୍ପଷ୍ଟ କରି ଦେଇଛି ଯେ, ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଭାରତରୁ ଅନ୍ୟତ୍ର ସ୍ଥାନାନ୍ତର ହେବ ନାହିଁ। ଆଇସିସିର କଡ଼ା ଚେତାବନୀ ପରେ ମଧ୍ୟ ବାଂଲାଦେଶ ନିଜ ନିଷ୍ପତ୍ତିରୁ ପଛକୁ ହଟିବାକୁ ମନା କରି ଦେଇଛି। ଏହି ପୂରା ବିବାଦ କାରଣରୁ ଟି-୨୦ ବିଶ୍ଵକପ୍ ଉପରେ ସଙ୍କଟର ବାଦଲ ଖେଳି ଯାଇଛି। ଏବେ ସଭିଙ୍କ ନଜର ଆଇସିସିର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି। ​​​​​​​

ଟି-୨୦ ବିଶ୍ଵକପରେ ବାଂଲାଦେଶକୁ ସି ଗ୍ରୁପରେ ରଖା ଯାଇଥିଲା। ଦଳର ପ୍ରଥମ ତିନୋଟି ମ୍ୟାଚ୍ କୋଲକାତାରେ ଖେଳା ଯିବାର ଥିଲା। ଏହା ପରେ ଶେଷ ଗ୍ରୁପ ମୁକାବିଲା ଫେବୃଆରୀ ୧୭ରେ ନେପାଳ ବିପକ୍ଷରେ ଥିଲା। ଏବେ ବାଂଲାଦେଶ ବଦଳରେ ସ୍କଟଲାଣ୍ଡକୁ ଟି-୨୦ ବିଶ୍ଵକପରେ ଏଣ୍ଟ୍ରି ମିଳିପାରେ।

ଆଇସିସି ଟି-୨୦ ମାନ୍ୟତାରେ ବାଂଲାଦେଶ ନବମ ସ୍ଥାନରେ ରହିଛି। ଏହା ପରେ ଆଫଗାନିସ୍ତାନ, ଆୟରଲାଣ୍ଡ, ଜିମ୍ବାଓ୍ଵେ ଓ ନେଦରଲାଣ୍ଡର ନାଁ ଅଛି। ମାତ୍ର ଏହି ସବୁ ଦଳ ବିଶ୍ଵକପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଏହା ପରେ ୧୪ତମ ସ୍ଥାନରେ ସ୍କଟଲାଣ୍ଡର ନାଁ ରହିଛି।  ବାଂଲାଦେଶ ବାହାରିବା ପରେ ଆଇସିସି ସ୍କଟଲାଣ୍ଡକୁ ସୁଯୋଗ ଦେଇପାରେ। ​​​​​​​