ଭୁବନେଶ୍ଵର: ଥାର୍ ଗାଡ଼ି କିଣାରେ ଅନିୟମିତତା ଅଭିଯୋଗକୁ ନେଇ ଏବେ ଆକ୍ସନ ମୋଡରେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି । ଜଙ୍ଗଲ ବିଭାଗରେ ଥାର୍ ଗାଡ଼ି କିଣାରେ ହୋଇଥିବା ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ କରୁଛି। ଏହାସହ ୮ଟି RCCF ଜୋନରେ ତଦନ୍ତ ଚାଲିଛି । ୫୧ଟି ଥାର୍ ଗାଡ଼ିକୁ ଅଧା ଅଧା କରି କିଣାଯାଇଥିବା ଅଭିଯୋଗର ମଧ୍ୟ ତଦନ୍ତ ହେବ । ତଦନ୍ତ ପରେ ଅନିୟମିତତା ପ୍ରମାଣିତ ହେଲେ ଯେତେ ବଡ଼ ଅଧିକାରୀ ହୋଇଥାନ୍ତୁ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ।

ସେ କହିଛନ୍ତି, ଜଙ୍ଗଲ ବିଭାଗରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ସହ ସବୁ କାମ ନିୟମ ଅନୁସାରେ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ବିଭାଗର ବିଭିନ୍ନ କାମ ଟେଣ୍ଡର ହିସାବରେ ହେଉଥିବା କହିଛନ୍ତି ମନ୍ତ୍ରୀ । ପୂର୍ବରୁ ଆସିଥିବା ବିଭିନ୍ନ ଅଭିଯୋଗକୁ କିଭଳି ସଠିକ୍ ଓ ଷ୍ଟ୍ରିମଲାଇନ୍ କରାଯିବ ଏବଂ ଠିକ୍ ଭାବେ ତଦନ୍ତ କରାଯିବ, ସେନେଇ ମଧ୍ୟ ବିଭାଗ କାମ କରୁଛି ।

Also Read: ରାଜ୍ୟରେ ଚିନି ଦାମ୍ ୭୦ ଡେଇଁଲାଣି, ଖୁବଶୀଘ୍ର ୪ଟି ଚିନି କଳ କାର୍ଯ୍ୟକ୍ଷମ ହେବ !

ଅନ୍ୟପଟେ ରାଜ୍ୟ ସରକାରଙ୍କ ୨୫ ମାସର କାର୍ଯ୍ୟକୁ ନେଇ ବିଜେପିର ପ୍ରଶଂସା କରିଛନ୍ତି ମନ୍ତ୍ରୀ । ପୂର୍ବରୁ ୨୪ ବର୍ଷରେ ଯେତିକି ଆଖିଦୃଶିଆ କାମ ହୋଇଥିଲା, ତାହା ତୁଳନାରେ ବିଜେପି ବହୁତ ଭଲ କାମ କରିଛି ବୋଲି କହିଛନ୍ତି । ଏହାସହ MMDR ନିୟମକୁ ନବୁଝି, ନଶୁଝି କେବଳ ଜାଣିଶୁଣି ବିରୋଧ କରିବା ଠିକ୍ ନୁହେଁ ବୋଲି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ଆଗାମୀ ବିଧାନସଭାରେ ଏନେଇ ଆଲୋଚନା ପାଇଁ ବିଜେପି ପ୍ରସ୍ତୁତ ଥିବା କହିଛନ୍ତି ମନ୍ତ୍ରୀ ।