ଯାଜପୁର ୦୨/୦୫: ଡାକ୍ତର ଓ ନର୍ସଙ୍କ ଅବହେଳା ପାଇଁ ଆମ ପିଲାର ମୃତ୍ୟୁ ହୋଇଛି । ତା ମାଆ ବି ବଞ୍ଚିବ କି ମରିବ…ଅକ୍ସିଜେନ ଲାଗିଛି । ଆଇସିୟୁରେ ଅଛି ।  ଆମକୁ ପିଲା ଦେଖାଇଲେନି। ଯେଉଁ ଡାକ୍ତର ଟ୍ରିଟମେଣ୍ଟ କରିଥିଲେ ସେ କାହିଁକି ଲୁଚିଛନ୍ତି । ଆମେ ଦାବି କରୁଛୁ ସେ ବାହାରକୁ ଆସି କୈଫତ ଦିଅନ୍ତୁ । ଏତେ ବଡ ଘଟଣା ଘଟିଲା ସିଡିଏମ୍‌ଙ୍କ ଦେଖା ନାହିଁ । ଶନିବାର ଯାଜପୁର ମେଡିକାଲରେ ଜଣେ ବ୍ୟକ୍ତି ଏମିତି ଚିତ୍କାର କରୁଥିଲେ । ଲୋକ ତାଙ୍କୁ ଘେରି ରହିଥିଲେ । ପୋଲିସ ବୁଝାସୁଝା କରୁଥିଲା । ବୁଝୁ ବୁଝୁ ଜଣାପଡିଲା ପ୍ରକୃତ ଘଟଣା । ନବଜାତକର ମୃତ୍ୟୁକୁ ନେଇ  ଦେଖାଦେଇଛି ଅଭାବନୀୟ ସ୍ଥିତି । । ନବଜାତକର ମୃତ୍ୟୁ ପରେ ପରିବାର ଲୋକଙ୍କ ହଙ୍ଗାମା ।

ସୂଚନା ମୁତାବକ ପ୍ରସବ ବେଦନା ହେବାରୁ ଭଦ୍ରକ କୁମ୍ଭାରିଆ ଅଞ୍ଚଳରୁ ଜଣେ ଗର୍ଭବତୀ  ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ପରେ ତାଙ୍କର ଏକ ଶିଶୁ ଜନ୍ମ ହୋଇଥିଲା । ଶିଶୁଟି ଅସୁସ୍ଥ ଥିବାରୁ ଶିଶୁ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତଥାପି ଅବସ୍ଥାରେ ସୁଧାର ଆସିନଥିଲା ।  ବାଧ୍ୟ ହୋଇ ଶିଶୁକୁ କଟକ ଶିଶୁଭବନକୁ ରେଫର କରିଥିଲେ ଡାକ୍ତର । ତେବେ ସେଠାରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ତାତିଛନ୍ତି ପରିବାର ଲୋକ । ଶିଶୁଟିର ମୃତ୍ୟୁ ପାଇଁ ସିଧାସଳଖ ଡାକ୍ତର ଓ ନର୍ସଙ୍କୁ ଦାୟୀ କରିଛନ୍ତି । କହିଛନ୍ତି ଯଦି ମାଆ-ଶିଶୁଙ୍କ ଦେହ ଖରାପ ଥିଲା ଆଗରୁ କାହିଁକି କଟକ ରେଫର କଲେନି । କଣ ଅଧିକ ଖରାପ ହେବାକୁ ଅପେକ୍ଷା କରିଥିଲେ ।

ଏମିତିକି  ଶିଶୁ ଜନ୍ମ ପରେ ଆମକୁ ନଦେଖାଇ କଟକ ପଠାଯାଇଥିବାର ସଂଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।ଯାଜପୁର ମେଡିକାଲର ଅବହେଳା ପାଇଁ ଶିଶୁଟିର ଅବସ୍ଥା ଜଟିଳ ହୋଇପଡିଥିବା ସେମାନେ କହିଛନ୍ତି । ଆଜି ଶିଶୁଟିର ମୃତଦେହ ଧରି ରାସ୍ତାରେ ବସିଥିବାର ଦୃଶ୍ୟ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଥିଲା । ଏମିତିକି  ପରିବାର ଲୋକେ ହସ୍‌ପିଟାଲ ପରିସରରେ  ନେଇ ଠେଙ୍ଗା ବାଡି ଧରି ହଙ୍ଗାମା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।

Also Read:ମଦୁଆ ପୁଅର ଅମାନବୀୟ କାଣ୍ଡ, ନିଶାସକ୍ତ ଅବସ୍ଥାରେ ବାପାକୁ ଶିଳପୁଆରେ ଛେଚି ହତ୍ୟା