ନୂଆଦିଲ୍ଲୀ: NEET-UG 2026 ପୁନଃପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ଟେଲିଗ୍ରାମ ଆପ୍ ଉପରେ ସାମୟିକ କଟକଣା ଲଗାଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଟେଲିଗ୍ରାମ କମ୍ପାନୀ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ବିଚାରପତି ତେଜସ କାରିଆ ଏହି ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି।

ନୀଟ ପରୀକ୍ଷାରେ କୌଣସି ପ୍ରକୃତ ପେପର ଲିକ୍ ହୋଇ ନାହିଁ, ମାତ୍ର କିଛି ଟେଲିଗ୍ରାମ ଚ୍ୟାନେଲ ମାଧ୍ୟମରେ "ପେପର ଲିକ୍" ହୋଇଥିବାର ମିଥ୍ୟା ପ୍ରଚାର କରାଯାଉଥିଲା। ଏହାଦ୍ୱାରା ପରୀକ୍ଷାର୍ଥୀଙ୍କ ମଧ୍ୟରେ ଭୟ ଓ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିଲା।

ଅନେକ ଟେଲିଗ୍ରାମ ଚ୍ୟାନେଲ ଅର୍ଥ ରୋଜଗାର ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକୁଥିଲେ ବୋଲି ଅଭିଯୋଗ କରି ଭାରତରେ ଟେଲିଗ୍ରାମକୁ ସାମୟିକ ଭାବେ ବ୍ୟାନ କରିଦିଆଯାଇଛି।

ସୂଚନା ଥାଉକି, ମେ ୩ ତାରିଖରେ ହୋଇଥିବା ପରୀକ୍ଷା ଅନିୟମିତତା ନୀଟି ପରୀକ୍ଷା ବାତିଲ ହୋଇଥିଲା, ତେଣୁ ଜୁନ୍ ୨୧ରେ ହେବାକୁ ଥିବା ପୁନଃପରୀକ୍ଷାରେ କୌଣସି ଅସାଧୁ ଉପାୟ ଅବଲମ୍ବନ କରା ନ ଯାଉ, ସେଥିପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି।

ଜୁନ୍ ୨୨ ପର୍ଯ୍ୟନ୍ତ ଭାରତରେ ଟେଲିଗ୍ରାମ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଏହାବ୍ୟତୀତ, ଟେଲିଗ୍ରାମକୁ ଜୁନ୍ ୩୦ ପର୍ଯ୍ୟନ୍ତ ଏହାର 'ମେସେଜ୍ ଏଡିଟିଂ' ଫିଚରକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଣ, ଏହି ଫିଚର ବ୍ୟବହାର କରି ପରୀକ୍ଷା ପରେ ପୁରୁଣା ମେସେଜକୁ ଏଡିଟ୍ କରି ନକଲି ପ୍ରମାଣ ସୃଷ୍ଟି କରାଯାଉଥିଲା। ତେବେ କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପକୁ ଟେଲିଗ୍ରାମ ସିଇଓ ପାୱେଲ ଦୁରୋଭଙ୍କ ସମେତ ଇଣ୍ଟରନେଟ୍ ଫ୍ରିଡମ୍ ଫାଉଣ୍ଡେସନ୍ ବିରୋଧ କରିଛି।

ଟେଲିଗ୍ରାମ ସିଇଓ ପାଭେଲ ଦୁରୋଭ ସରକାରଙ୍କ ଏହି ନିଷ୍ପତ୍ତିକୁ ଭୁଲ ବୋଲି କହିଛନ୍ତି। ତାଙ୍କ ମତରେ, ଏହାଦ୍ୱାରା ଅପରାଧୀଙ୍କ ବଦଳରେ ଭାରତର ୧୫ କୋଟିରୁ ଅଧିକ ସାଧାରଣ ଉପଭୋକ୍ତା ପ୍ରଭାବିତ ହେଉଛନ୍ତି।ସେହିପରି ଇଣ୍ଟରନେଟ୍ ଫ୍ରିଡମ୍ ଫାଉଣ୍ଡେସନ୍ (IFF) ଏହାକୁ ଏକ ଅସମାନ ଓ କମ୍ ପ୍ରଭାବଶାଳୀ ସମାଧାନ ବୋଲି ସମାଲୋଚନା କରିଛି। ଏହି ସମସ୍ତ ବିବାଦ ସତ୍ତ୍ୱେ, ଜୁନ୍ ୨୧ରେ ନିର୍ଦ୍ଧାରିତ ସମୟରେ ପୁନଃପରୀକ୍ଷା ଅନୁଷ୍ଠିତ ହେବ ବୋଲି ଜାତୀୟ ପରୀକ୍ଷା ସଂସ୍ଥା (NTA) ସ୍ପଷ୍ଟ କରିଛି।