ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜନୀତିରେ ଏକ ବଡ଼ ଏବଂ ଚମକାଇଲା ଭଳି ଖବର ସାମ୍ନାକୁ ଆସିଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା 'ଜନଶକ୍ତି ଜନତା ଦଳ'ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜ ପ୍ରତାପ ଯାଦବ, ୟୁପି ମାଟିରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। ବିନ୍ଧ୍ୟାଚଳ ଗସ୍ତ ସମୟରେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ ଅଖିଳେଶ ଯାଦବଙ୍କୁ ସମର୍ଥନ କରନ୍ତି ନାହିଁ ଏବଂ ୟୁପିରେ ଯୋଗୀ ଆଦିତ୍ୟନାଥ ହିଁ ତୃତୀୟ ଥର ପାଇଁ ସରକାର ଗଠନ କରିବେ।

ବିନ୍ଧ୍ୟାଚଳରେ ମା’ଙ୍କ ଦର୍ଶନ ପରେ ବଡ଼ ବୟାନ
ତେଜ ପ୍ରତାପ ଯାଦବ ଉତ୍ତର ପ୍ରଦେଶର ପ୍ରସିଦ୍ଧ ଧାର୍ମିକ ସ୍ଥଳ ବିନ୍ଧ୍ୟାଚଳକୁ ମା’ ବିନ୍ଧ୍ୟବାସିନୀଙ୍କ ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ସାରିବା ପରେ ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ ସେ ୟୁପି ରାଜନୀତିକୁ ନେଇ ଏହି ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ‘ମୁଁ ଅଖିଳେଶ ଯାଦବଙ୍କୁ ଆଦୌ ସମର୍ଥନ କରେନାହିଁ। ଏଥର ପୂରା ସୁଯୋଗ ରହିଛି ଯେ, ଯୋଗୀ ଜୀ (ଯୋଗୀ ଆଦିତ୍ୟନାଥ) ପୁଣି ଥରେ ଏଠାରେ ସରକାର ଗଠନ କରିବେ।’

ବିହାର ନିର୍ବାଚନର ଉଦାହରଣ ଦେଲେ ତେଜପ୍ରତାପ
 ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆପଣମାନେ ବିହାର ନିର୍ବାଚନ ଦେଖିଥିବେ, ସେଠାରେ ଆମ ଦଳ କିଭଳି ପ୍ରଦର୍ଶନ କରିଛି। ରାଜନୀତିରେ ହାର-ଜିତ ତ ଲାଗି ରହିଥାଏ। କେତେବେଳେ ପରାଜୟ ହୁଏ ତ କେତେବେଳେ ବିଜୟ ମିଳେ। କିନ୍ତୁ ଉତ୍ତର ପ୍ରଦେଶରେ ଏଥର ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କ ସରକାର ଆସିବାର ସମ୍ଭାବନା ରହିଛି।’

ତେଜପ୍ରତାପ ଯାଦବଙ୍କ ଏହି ମନ୍ତବ୍ୟ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଲାଲୁ ଯାଦବଙ୍କ ପରିବାର (RJD) ଏବଂ ମୁଲାୟମ ସିଂହ ଯାଦବଙ୍କ ପରିବାର (SP) ମଧ୍ୟରେ ଦୀର୍ଘ ଦିନର ପାରିବାରିକ ସମ୍ପର୍କ ମଧ୍ୟ ରହିଛି। ଅଖିଳେଶ ଯାଦବ ଏବଂ ତେଜସ୍ୱୀ ଯାଦବ ଅନେକ ସମୟରେ ଏକାଠି ମଞ୍ଚ ସେୟାର କରିଥାନ୍ତି। ଏଭଳି ସ୍ଥିତିରେ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ, ଅଖିଳେଶଙ୍କ ବିରୋଧରେ ଯାଇ ବିଜେପି ନେତା ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।