ନୂଆଦିଲ୍ଲୀ, ୨୭। ୦୭ : ଜିମ୍ବାଓ୍ୱେ ବିପକ୍ଷ ଟି୨୦ ମୁକାବିଲାରେ ଦମଦାର ପ୍ରଦର୍ଶନ କରିଛି ଭାରତ । ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଦଳ ଜିମ୍ବାଓ୍ୱେକୁ ୩-୦ରେ ମାତ୍ ଦେଇ ସିରିଜ୍ କ୍ଲିନ୍ ସୁଇପ୍ କରିଛି । ଯାହାକୁ ନେଇ ଫ୍ୟାନ୍ସ ଖୁସ୍ । କିନ୍ତୁ ଚିନ୍ତା ବଢାଇଛି ଅଭିଷେକ ଶର୍ମାଙ୍କ ଫର୍ମ୍ । ଯାହାକୁ ନେଇ ପୂର୍ବତନ କ୍ରିକେଟର୍ ହନୁମା ବିହାରୀ ଗୁରୁତର ଅଭିଯୋଗ ଆଣିଛନ୍ତି । ଏହାସହ ଦଳରେ ପକ୍ଷପାତିତା ଅଭିଯୋଗ କରିଛନ୍ତି ।

ହନୁମା କହିଛନ୍ତି ଯେ, ଟି୨୦ ବିଶ୍ୱକପ୍ ପୂର୍ବରୁ ସଞ୍ଜୁ ସାମସନ ଦମଦାର ପ୍ରଦର୍ଶନ କରୁନଥିଲେ । ସେ ପାଞ୍ଚୋଟି ମ୍ୟାଚରେ ବିଫଳ ହୋଇଥିଲେ । ଫଳରେ ଚୂଡାନ୍ତ ଏକାଦଶରେ ତାଙ୍କୁ ସ୍ଥାନ ମିଳିନଥିଲା । କିନ୍ତୁ ସେ କମବ୍ୟାକ୍ କରିଥିଲେ । ପ୍ଲେୟାର୍ ଅଫ୍ ଦି ସିରିଜ୍ ହୋଇଥିଲେ । ସମାନ ଟୁର୍ଣ୍ଣାମେଣ୍ଟରେ ଅଭିଷେକ କମ୍ ରନ୍ କରିଥିଲେ ।

ଇଂଲଣ୍ଡ ଏବଂ ଆୟରଲ୍ୟାଣ୍ଡ ଗସ୍ତରେ ମଧ୍ୟ ଅଭିଷେକ ସେଭଳି ପ୍ରଦର୍ଶନ କରିପାରିନଥିଲେ । ତାଙ୍କ ବ୍ୟାଟରୁ ମାତ୍ର ଗୋଟିଏ ଅର୍ଧଶତକ ବାହାରିଥିଲା । ଏପରିକି ୨୦ କିମ୍ବା ୩୦ ରନ୍ ମଧ୍ୟ ସେ କରି ନାହାଁନ୍ତି । ଶେଷ ୮ଟି ମ୍ୟାଚରେ କେବଳ ଗୋଟିଏ ହାଫ୍ ସେଞ୍ଚୁରୀ ଲଗାଇଛନ୍ତି । ଯଦି ବିଶ୍ୱକପକୁ ଦେଖାଯାଏ ତାହାଲେ ଶେଷ ୧୮ଟି ମ୍ୟାଚରେ ମାତ୍ର ତିନୋଟି ଅର୍ଧଶତକ ଆସିଛି ।

ସେ ଆହୁରି କହିଛନ୍ତି ଯେ, ସାମସନଙ୍କ ସହ କିଛି ଠିକ୍ ହେଉନି । ଟି୨୦ ବିଶ୍ୱକପରେ ସେ ବଡ ଦାୟିତ୍ୱ ନେଇଥିଲେ । ଦଳକୁ ଜିତାଇଥିଲେ । ଲଗାତାର ହାପ୍ ସେଞ୍ଚୁରୀ ଲଗାଇଥିଲେ । ତେଣୁ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ଦରକାର । ସାମସନ ବିଶ୍ୱକପରେ ମାତ୍ର ତିନୋଟି ମ୍ୟାଚ୍ ଖେଳି ସବୁ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ତାଙ୍କ ବିଷୟରେ କେହି କଥା ହେଉ ନାହାଁନ୍ତି ।

ଅଭିଷେକଙ୍କୁ ଅଧିକ ଫୋକସ୍ କରାଯାଉଛି । ନାଁର ଅଯଥା ପ୍ରଚାର ହେଉଛି । ସମାସନ ମଧ୍ୟ ସମାନ ଖେଳାଳି । ଆଇପିଏଲରେ ସାମସନ ମଧ୍ୟ ଭଲ ପ୍ରଦର୍ଶନ କରନ୍ତି ବୋଲି ହନୁମା ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରକାଶ କରିଛନ୍ତି ।