ନୂଆଦିଲ୍ଲୀ: ପ୍ରତି ବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ଭାବରେ ପାଳନ କରାଯାଉଛି। ଭାରତର ଦ୍ୱିତୀୟ ରାଷ୍ଟ୍ରପତି, ମହାନ ଶିକ୍ଷକ ଓ ଦାର୍ଶନିକ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ସମ୍ମାନାର୍ଥେ ତାଙ୍କରି ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଏ।

ରାଧାକୃଷ୍ଣନ ଜଣେ ଶିକ୍ଷକ ହେବା ସହିତ ଜଣେ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଥିଲେ। କେବଳ ରାଧା କୃଷ୍ଣନ ନୁହଁନ୍ତି ଭାରତର ସ୍ୱାଧୀନତା ଆନ୍ଦୋଳନ ସମୟର ଅନେକ ମହାନ ନେତା ଶିକ୍ଷକ ଭାବେ ମଧ୍ୟ କାମ କରିଥିଲେ। ଏଥର ଗୁରୁ ଦିବସରେ ଆସନ୍ତୁ ସେହି ମହାନ ସ୍ୱାଧୀନତା ସଂଗ୍ରାମୀ ଶିକ୍ଷକମାନଙ୍କ ବିଷୟରେ ଜାଣିବା, ଯେଉଁମାନେ ଦେଶକୁ ସ୍ୱାଧୀନ କରିବାର ବ୍ରତୀ ଥିବା ସହିତ ଶିକ୍ଷା ବ୍ୟବସ୍ଥାରେ ଦେଇଥିଲେ ବହୁମୂଲ୍ୟ ଯୋଗଦାନ।

ଲାଲା ଲଜପତ ରାୟ

‘ପଞ୍ଜାବ କେଶରୀ’ ଭାବେ ପରିଚିତ ଲାଲା ଲଜପତ ରାୟ ଜଣେ ବିପ୍ଳବୀ, ରାଜନେତା ଓ ଲେଖକ ଥିଲେ। ସେ ଲାଲ-ବାଲ-ପାଲ ତ୍ରିମୂର୍ତ୍ତିର ଜଣେ ପ୍ରମୁଖ ସଦସ୍ୟ ଥିଲେ। ତାଙ୍କ ପରିବାରରେ ମଧ୍ୟ ଶିକ୍ଷାର ପରମ୍ପରା ଥିଲା। ତାଙ୍କ ବାପା ଜଣେ ଉର୍ଦ୍ଦୁ ଶିକ୍ଷକ ଥିଲେ। ଲଜପତ ରାୟ ପ୍ରାରମ୍ଭିକ ଶିକ୍ଷା ପରେ ଲାହୋରର ସରକାରୀ କଲେଜରେ ଆଇନ ପାଠ ପଢ଼ିଥିଲେ। ସେ ସାରା ଜୀବନ ଶିକ୍ଷାର ପ୍ରସାରକୁ ସମର୍ଥନ କରିଥିଲେ। ମହିଳାଙ୍କ ଅଧିକାର ଏବଂ ଜାତିଭେଦ ବିରୋଧରେ ମଧ୍ୟ ସେ ସ୍ୱର ଉତ୍ତୋଳନ କରିଥିଲେ।

ଡ. ସର୍ବପଲ୍ଲୀ ରାଧାକୃଷ୍ଣନ

ରାଜନୀତିରେ ପ୍ରବେଶ ପୂର୍ବରୁ ଡ. ରାଧାକୃଷ୍ଣନ ଜଣେ ପ୍ରସିଦ୍ଧ ଦର୍ଶନଶାସ୍ତ୍ର ଅଧ୍ୟାପକ(ପ୍ରଫେସର) ଥିଲେ। ସେ ମହୀଶୂର ବିଶ୍ୱବିଦ୍ୟାଳୟ ଓ କଲିକତା ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନରେ ଅଧ୍ୟାପନା କରିଥିଲେ। ପରେ ସେ ଅକ୍ସଫୋର୍ଡରେ ମଧ୍ୟ ଶିକ୍ଷାଦାନ କରିଥିଲେ। ୧୯୬୨ ମସିହାରେ ତାଙ୍କ ଜନ୍ମଦିନକୁ ଶିକ୍ଷକ ଦିବସ ଭାବେ ପାଳନ କରିବାର ପରମ୍ପରା ଆରମ୍ଭ ହୋଇଥିଲା। ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ଆଜି ମଧ୍ୟ ସ୍ମରଣୀୟ।

ବାଲ ଗଙ୍ଗାଧର ତିଲକ

‘ଲୋକମାନ୍ୟ’ ଭାବେ ପରିଚିତ ବାଲ ଗଙ୍ଗାଧର ତିଲକ ଜଣେ ଶିକ୍ଷକ, ଜାତୀୟତାବାଦୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ଲାଲ-ବାଲ-ପାଲ ତ୍ରିମୂର୍ତ୍ତିର ଅନ୍ୟତମ ସଦସ୍ୟ ଥିଲେ। ରାଜନୀତିରେ ସକ୍ରିୟ ହେବା ପୂର୍ବରୁ ତିଲକ ଗଣିତ ପଢ଼ାଉଥିଲେ। ଯୁବପିଢ଼ିଙ୍କ ମଧ୍ୟରେ ଜାତୀୟତାବାଦୀ ଚେତନା ସୃଷ୍ଟି କରିବା ଲକ୍ଷ୍ୟରେ ସେ ଶିକ୍ଷାନୁଷ୍ଠାନ ସ୍ଥାପନରେ ମଧ୍ୟ ସହଯୋଗ କରିଥିଲେ।

ପଣ୍ଡିତ ମଦନ ମୋହନ ମାଲବ୍ୟ

‘ମହାମନା’ ଭାବେ ପରିଚିତ ପଣ୍ଡିତ ମଦନ ମୋହନ ମାଲବ୍ୟ ଏକାଧାରରେ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ଓ ସମାଜ ସଂସ୍କାରକ ଥିଲେ। ୧୯୧୬ ମସିହାରେ ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସ୍ଥାପନାରେ ପ୍ରମୁଖ ଭୂମିକା ନେଇଥିଲେ। ସେ ଅସ୍ପୃଶ୍ୟତା ଦୂରୀକରଣ ସମେତ ସାମାଜିକ ନ୍ୟାୟ ପାଇଁ ଜୋରଦାର ସ୍ୱର ଉଠାଇଥିଲେ। ସେ ଏକାଧିକ ଥର ଭାରତୀୟ ଜାତୀୟ କଂଗ୍ରେସର ସଭାପତି ହୋଇଥିଲେ। ୧୯୩୧ ମସିହାର ପ୍ରଥମ ରାଉଣ୍ଡ ଟେବୁଲ୍ ସମ୍ମିଳନୀରେ ମଧ୍ୟ ସେ ମହାତ୍ମା ଗାନ୍ଧୀଙ୍କ ସହ ଭାରତର ପ୍ରତିନିଧିତ୍ୱ କରିଥିଲେ।

ମୌଲାନା ଅବୁଲ କଲାମ ଆଜାଦ

ମୌଲାନା ଅବୁଲ କଲାମ ଆଜାଦ ଜଣେ ବିଦ୍ୱାନ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଭାବେ ସେ ଦେଶର ଆଧୁନିକ ଶିକ୍ଷା ବ୍ୟବସ୍ଥାର ଭିତ୍ତି ମଜବୁତ କରିବାରେ ବଡ଼ ଭୂମିକା ନେଇଥିଲେ। ତାଙ୍କ ଉଦ୍ୟମରେ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଅନେକ ପ୍ରମୁଖ ଅନୁଷ୍ଠାନର ବିକାଶ ହୋଇଥିଲା। IIT, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଏବଂ ସଙ୍ଗୀତ ନାଟକ ଏକାଡେମୀ ଭଳି ଅନୁଷ୍ଠାନର ପ୍ରତିଷ୍ଠା ଓ ବିକାଶ ସହ ତାଙ୍କ ନାମ ଜଡ଼ିତ। ଶିକ୍ଷକ ଦିବସ ଅବସରରେ ଏହି ମହାନ ବ୍ୟକ୍ତିତ୍ୱମାନଙ୍କୁ ସ୍ମରଣ କରିବା ଆମକୁ ମନେ ପକାଇଦିଏ ଯେ, ଶିକ୍ଷା କେବଳ ଜ୍ଞାନ ଦେବାର ମାଧ୍ୟମ ନୁହେଁ; ଏହା ଏକ ଦେଶର ଭବିଷ୍ୟତ ଗଢ଼ିବାର ଶକ୍ତିଶାଳୀ ମାଧ୍ୟମ।