ଉଦଳା : ନିଷ୍ଠୁରତାର ସବୁ ସୀମା ଟପିଲେ ଶିକ୍ଷୟତ୍ରୀ। ଛୋଟ ପିଲାଙ୍କୁ ବି ଛାଡ଼ିଲେନି। ନିଷ୍ଠୁର ହୋଇ ପିଟି ଚାଲିଲେ। ୪ ଅନ୍ତେବାସୀ ଛାତ୍ର ନ ଜଣାଇ ରଥ ଦେଖିବାକୁ ଯାଇଥିଲେ ବୋଲି ଅତି ନିର୍ଦ୍ଦୟ ଭାବେ ସେମାନଙ୍କୁ ମାଡ଼ ମାରିଲେ ବିଦ୍ୟାଳୟର ଶିକ୍ଷୟିତ୍ରୀ। ଗୁରୁତର ଅବସ୍ଥାରେ ଥାନାରେ ପହଞ୍ଚି ଅଭିଯୋଗ ଜଣାଇଛନ୍ତି ୪ ଛାତ୍ର। ଏଭଳି ଘଟଣା ସାମ୍ନାକୁ ଆସିଛି ଉଦଳା ଗୁରୁକୁଳ ବିଦ୍ୟା ମନ୍ଦିରରୁ।

ଏହି ବିଦ୍ୟାଳୟର ହଷ୍ଟେଲରେ ଥିବା ୪ଜଣ ଛାତ୍ର ରଥ ଦେଖିବା ପାଇଁ ଯାଇଥିଲେ । ରଥ ଦେଖି ସାରି ବିଦ୍ୟାଳୟ ହଷ୍ଟେଲକୁ ଫେରିଥିଲେ। ହେଲେ ଏତିକିରେ ରାଗି ପାଚି ଲାଲ ହୋଇଯାଇଥିଲେ ଜିଜ୍ଞାସ ଗୁରୁମା। ଏକ ପାଇପ ସାହାଯ୍ୟରେ ୪ ଜଣ ଛାତ୍ରଙ୍କୁ ନିର୍ଘାତ ମାଡ଼ ମାରି ଚାଲିଲେ। ଅସହ୍ୟ ଯନ୍ତ୍ରଣା ସହି ନ ପାରି, ୪ ଛାତ୍ର ଦୌଡ଼ି ଦୌଡ଼ି ଯାଇ ଉଦଳା ଥାନାରେ ଘଟଣା ବାବଦରେ ଜଣାଇଥିଲେ । ସେଠାରେ ୪ ଜଣଙ୍କ ମଧ୍ୟରୁ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ମାଡ଼ରେ ଗୁରୁତର ହୋଇଥିବାରୁ ତାଙ୍କୁ ଉଦଳା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଛାତ୍ର ମାନଙ୍କ ପିଠିରେ ମାଡ଼ର ଗଭୀର ଚିହ୍ନ ରହିବା ସହିତ ଛାତିରେ ମଧ୍ୟ ମାଡ଼ ହୋଇଥିବା ସ୍ପଷ୍ଟ ବାରି ହୋଇ ପଡ଼ିଥିଲା। ସେପଟେ ଏ ବାବଦରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବା ବଦଳରେ କ୍ୟାମେରା ସାମ୍ନାରୁ ଚାଲି ଯାଇଥିବା ସୂଚନା ରହିଛି।

 Also Read- ସାପୁଆ ନଦୀରେ ବନ୍ୟା: ୧୨ ପଞ୍ଚାୟତ ଜଳମଗ୍ନ, ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବିପନ୍ନ