ନାସିକ,୧୭।୦୪ଟିସିଏସ ନାସିକ ଧର୍ମାନ୍ତରୀକରଣ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନିଦା ଖାନ୍ ଏବେ ଗର୍ଭବତୀ । ନିଜର ପ୍ରଥମ ସନ୍ତାନ ପାଇଁ ନିଦା ପ୍ରସ୍ତୁତ ହେଉଥିବା ପରିବାର ପକ୍ଷରୁ କୁହାଯାଇଛି । ଏନେଇ କୋର୍ଟରେ ସେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ଟିସିଏସ ନାସିକରେ ଗତ କିଛି ଦିନ ତଳେ ବଳପୂର୍ବକ ଧର୍ମାନ୍ତରୀକରଣ ମାମଲା ସାମ୍ନାକୁ ଆସିଥିଲା । ଏଥିରେ ନିଦା ଖାନଙ୍କ ନାଁ ସାମ୍ନାକୁ ଆସିଥିଲା । ସେ ହିଁ ବିଭିନ୍ନ ଯୁବତୀଙ୍କୁ ପ୍ରଲୋଭିତ କରିବା ସହ ବଳପୂର୍ବକ ଧର୍ମାନ୍ତରୀକରଣ ପାଇଁ ଉସକାଉଥିଲେ । ଏପରିକି ପୀଡିତଙ୍କ ଅଭିଯୋଗକୁ ଗୁରୁତର ସହ ନେଇନଥିଲେ । ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ନିଦା ଫେରାର ଅଛନ୍ତି । ଏହା ମଧ୍ୟରେ ସେ ନାସିକର ଏକ ସ୍ଥାନୀୟ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ଏଥିରେ ସେ ନିଜ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିବା ଦର୍ଶାଇଛନ୍ତି ।

ମାମଲାରେ ୯ ଏଫଆଇଆର

ପୋଲିସ ଏହି ମାମଲାରେ ୯ଟି FIR ରୁଜୁ କରିଛି। ଏଥିରେ ପ୍ରାୟ ୧୨ ଜଣ ପୀଡ଼ିତ ପୀଡ଼ିତା (୮ ଜଣ ମହିଳା ଏବଂ ଜଣେ ପୁରୁଷ ସମେତ) ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୨-୩ ବର୍ଷ ଧରି କମ୍ପାନୀର ବରିଷ୍ଠ କର୍ମଚାରୀମାନେ ମହିଳାମାନଙ୍କୁ ଅଶ୍ଳୀଳ ଇଙ୍ଗିତ, ଅସଦାଚରଣ ଏବଂ ଯୌନ ନିର୍ଯାତନା ଦେଇ ଆସୁଥିଲେ।

୭ ଗିରଫ

ଏହି ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କମ୍ପାନୀର ଟିମ୍ ଲିଡର୍ (Team Leaders) ଏବଂ HR ଅଧିକାରୀ ମଧ୍ୟ ସାମିଲ ଅଛନ୍ତି।ଗିରଫ ଅଭିଯୁକ୍ତ ହେଲେ ଆସିଫ ଅନସାରୀ, ଶାଫି ଶେଖ, ଶାହରୁଖ କ୍ୟୁରେସି, ରଜା ମେମନ, ତୌସିଫ ଅତ୍ତାର ।ମହାରାଷ୍ଟ୍ର ପୋଲିସ ଏଥିପାଇଁ ଏକSIT (Special Investigation Team) ଗଠନ କରି ତଦନ୍ତ ଚଳାଇଛି।

ଶୂନ୍ୟ ସହନଶୀଳତା ନୀତି

ଟିସିଏସ ପକ୍ଷରୁ କୁହାଯାଇଛି ଯେ, କର୍ମଚାରୀଙ୍କ ବିରୋଧରେ ହୋଇଥିବା ନିର୍ଯାତନାରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ । ପୋଲିସକୁ ସମ୍ପୂର୍ଣ୍ଣ ଭାବେ କମ୍ପାନୀ ସହଯୋଗ କରୁଛି । କର୍ମଚାରୀଙ୍କ ସୁରକ୍ଷା ପ୍ରତି କମ୍ପାନୀ ସର୍ବଦା ଯତ୍ନଶୀଳ ଅଟେ । ଯେଉଁ କର୍ମଚାରୀଙ୍କ ବିରୋଧରେ ତଦନ୍ତ ଚାଲିଛି ସେମାନଙ୍କୁ ନିଲମ୍ବନ କରାଯାଇଛି । ତଦନ୍ତ ସରିବା ପରେ ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖପାତ୍ର ପ୍ରକାଶ କରିଛନ୍ତି ।