ମୁମ୍ୱାଇ: ବମ୍ୱେ ହାଇକୋର୍ଟ ତେହେଲକାର ପୂର୍ବତନ ସଂପାଦକ ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଦଣ୍ଡ ଘୋଷଣା କରିଛନ୍ତି । ୨୦୧୩ ମସିହାରେ ସହକର୍ମୀଙ୍କ ସହ ଦୁଷ୍କର୍ମ ମାମଲାରେ ତରୁଣ ତେଜପାଲଙ୍କୁ ୧୦ ବର୍ଷର ଜେଲ୍ ଦଣ୍ଡ ଶୁଣାଯାଇଛି ।

୨୦୨୧ ମସିହାରେ ଗୋଆ ଟ୍ରାଏଲ କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦୋଷ ରାୟକୁ ବଦଳାଇ ହାଇକୋର୍ଟ ପ୍ରଥମେ ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ, ପରେ ଦଣ୍ଡାଦେଶ ଦେଇଥିଲେ । କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ତରୁଣ ତେଜପାଲଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ହେବ ।

ଏହି ମାମଲାର ତଦନ୍ତକାରୀ ଅଧିକାରୀ ସୁନୀତା ସାୱନ୍ତ ହାଇକୋର୍ଟଙ୍କ ରାୟ ପରେ କହିଛନ୍ତି, 'ତରୁଣ ତେଜପାଲଙ୍କୁ ୧୦ ଜେଲ୍ ଦଣ୍ଡ ହୋଇଛି ଏବଂ ୫ ଲକ୍ଷ ଟଙ୍କା ଜରିମନା କରାଯାଇଛି । ଆତ୍ମସମର୍ପଣ ପାଇଁ ତାଙ୍କୁ ଦୁଇ ସପ୍ତାହ ସମୟ ଦିଆଯାଇଛି ।'

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ, ତେହେଲକା ମାଗାଜିନ୍ ପ୍ରତିଷ୍ଠାତା ତରୁଣ ତେଜପାଲ କହିଛନ୍ତି, 'ଆମେ ନିଶ୍ଚିତ ଭାବେ ସୁପ୍ରିମକୋର୍ଟ ଯିବୁ । ରାଜନୈତିକ ପ୍ରତିଶୋଧ ଏବଂ ତେହେଲକାର କାମ କରିବା କାରଣରୁ ମୋ ପଛରେ ପଡ଼ିଛନ୍ତି । ଟ୍ରାଏଲ୍ କୋର୍ଟରେ ୭.୫ ବର୍ଷ କେସ୍ ଲଢ଼ିଲୁ ଏବଂ ମୁକ୍ତ ହୋଇଥିଲୁ । ଯେଉଁମାନେ ସେମାନଙ୍କ ସହ ଥିଲେ ମୁକ୍ତ ହୋଇଗଲେ, କିନ୍ତୁ ତାଙ୍କ ପଛରେ ଲାଗିଲେ କରଣ ସେ ବିରୁଦ୍ଧରେ ଲେଖୁଥିଲେ ।

 

ସେ ଆହୁରି କହିଛନ୍ତି, "ଉମର ଖାଲିଦ ଏବଂ ଶାର୍ଜିଲ ଇମାମ ଗତ ଅନେକ ବର୍ଷ ଧରି ଜେଲରେ ଅଛନ୍ତି । ତେହେଲକାର ରିପୋର୍ଟିଂ ସମ୍ଭବତଃ କିଛି ରାଜନୈତିକ କ୍ଷତି କରିଥାଇପାରେ କିମ୍ବା ସେମାନଙ୍କର ସ୍ୱାର୍ଥକୁ କ୍ଷତି ପହଞ୍ଚାଇଥାଇପାରେ । ସେମାନେ ଗତ ୧୩ ବର୍ଷ ଧରି ପ୍ରତିଶୋଧ ନେବା ପାଇଁ ମୋ ପଛରେ ପଡ଼ିଛନ୍ତି । ମୋର ନ୍ୟାୟପାଳିକା ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଏପରି ବିଚାରପତି ଥିବେ ଯେଉଁମାନେ ସତକୁ ଦେଖିବେ । ଆମେ ସମସ୍ତଙ୍କ ସମ୍ମୁଖରେ ପ୍ରମାଣ ଉପସ୍ଥାପନ କରିବୁ ।"

ପୂରା ଘଟଣା କ’ଣ ?

ଏହି ମାମଲା ତେହେଲକାର ଜଣେ ମହିଳା ସାମ୍ବାଦିକଙ୍କ ଅଭିଯୋଗରୁ ଆରମ୍ଭ ହୋଇଥିଲା । ସେ ତରୁଣ ତେଜପାଲଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ସେ ଦାବି କରିଥିଲେ ଯେ ସେ ନଭେମ୍ବର ୭, ୨୦୧୩ରେ ଗୋଆରେ ଅନୁଷ୍ଠିତ ଥିଙ୍କଫେଷ୍ଟ ଇଭେଣ୍ଟ ସମୟରେ ଏକ ହୋଟେଲ ଲିଫ୍ଟରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଏହି ମାମଲାରେ ତେଜପାଲଙ୍କୁ ନିମ୍ନ ଅଦାଲତ ଦ୍ୱାରା ନିର୍ଦ୍ଦୋଷରେ ଖଲାସ କରାଯିବା ପରେ, ଗୋଆ ସରକାର ହାଇକୋର୍ଟରେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ବମ୍ବେ ହାଇକୋର୍ଟ ଏବେ ତରୁଣ ତେଜପାଲଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି।