ଚେନ୍ନାଇ: ଆନନ୍ଦର ପର୍ବ ଦୀପାବଳି । ଏକତା ଏବଂ ସଦ୍ଭାବନାର ବାର୍ତ୍ତା ଦିଏ ଏହି ପର୍ବ । କିନ୍ତୁ ଦୀପାବଳି ପର୍ବ ପାଳନ ମଧ୍ୟରେ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ଘଟିଛି ୧୦ଟି ହତ୍ୟାକାଣ୍ଡ । ରବିବାରଠାରୁ ସୋମବାର ଭୋର ପର୍ଯ୍ୟନ୍ତ ଏହି ହତ୍ୟା ଘଟଣାଗୁଡ଼ିକ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପୋଲିସ ସ୍ପେଶାଲ ସବ୍-ଇନ୍ସପେକ୍ଟର ମଧ୍ୟ ଅଛନ୍ତି । ତେବେ ଏହି ହତ୍ୟାକାଣ୍ଡଗୁଡ଼ିକର ପରସ୍ପର ସହ ଜଡ଼ିତ ନୁହେଁ ବୋଲି ପୋଲିସ କହିଛି ।

ପୋଲିସ ସୂଚନା ଅନୁସାରେ, ଥେନି ଜିଲ୍ଲାରେ ଏସଏସଆଇ ସେନ୍ଥିଲ କୁମାରଙ୍କ ମୃତ୍ୟୁ ଘଟିଛି । ରାସ୍ତା ମଝିରେ ବାଣ ଫୁଟାଇବା ଏବଂ ସୋସିଆଲ ମିଡିଆ ପାଇଁ ରିଲ୍ସ ତିଆରି କରିବା ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହେଉଥିଲା । ଏହାକୁ ନେଇ କିଛି ଯୁବକଙ୍କୁ ସେନ୍ଥିଲ କୁମାର ତାଗିଦ୍ କରିଥିଲେ । ଏହାପରେ ଯୁବକମାନେ ତାଙ୍କୁ ଆକ୍ରମଣ କରିଥିଲେ । ସୋମବାର ତାଙ୍କର ମୃତ୍ୟୁ ହୋଇଥିଲା ।

କୁଡ୍ଡାଲୋର ଜିଲ୍ଲାରେ ଅପରାଧିକ ମାମଲାରେ ସମ୍ପୃକ୍ତ ପୃଥ୍ୱୀରାଜ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଅରୁଳରାସନଙ୍କ ସହ ହୋଇଥିବା ବିବାଦ ପରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ପୋଲିସ ଅଭିଯୁକ୍ତ ଅରୁଳରାସନଙ୍କୁ ଏନକାଉଣ୍ଟର କରି ଗିରଫ କରିଛି । ଚେନ୍ନାଇର ବ୍ୟାସରପାଡ଼ି ଅଞ୍ଚଳରେ ଧନୁଷ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ପୁରୁଣା ଶତ୍ରୁତାକୁ ଏହି ଘଟଣାର କାରଣ ବୋଲି ପୋଲିସ ସନ୍ଦେହ କରୁଛି । ଧନୁଷ ଜଣେ ଅଟୋ ଚାଳକ ଥିଲେ । ତାଙ୍କ ଭାଇଙ୍କୁ ଆକ୍ରମଣ କରିଥିବା ଲୋକଙ୍କୁ ପଚାରିବାକୁ ଯାଇଥିବା ବେଳେ ଏକ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଧନୁଷଙ୍କୁ ଷ୍ଟାନଲି ସରକାରୀ ହସ୍ପିଟାଲକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଛଅ ଜଣ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ଦୁଇଟି ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଛି ।

ତିରୁଚିରାପଲ୍ଲୀ ଜିଲ୍ଲାର ସମୟପୁରମ୍ ଅଞ୍ଚଳରେ ଦୁଇ ଜଣ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି । ରାତିରେ ପୁଲ୍ଲମ୍ବାଡି କେନାଲ ନିକଟରେ ସେମାନଙ୍କୁ ଅଜଣା ବ୍ୟକ୍ତିମାନେ ଆକ୍ରମଣ କରିଥିଲେ । ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ଧରିବା ପାଇଁ ତିନୋଟି ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ସେହି ଜିଲ୍ଲାରେ ଆଉ ଏକ ଘଟଣାରେ ଚେନ୍ନାଇରେ କାମ କରୁଥିବା ଜଣେ ୨୦ ବର୍ଷୀୟ ଆଇଟି କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଦୀପାବଳି ଛୁଟିରେ ଘରକୁ ଆସିଥିବା ଏହି ଯୁବକ ନିଜ ସାଙ୍ଗମାନଙ୍କ ସହ ବାଣ ଫୁଟାଉଥିଲେ । ବାଣ ଫୁଟାଇବାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ସହ ବଚସା ହୋଇଥିଲା । ଏହା ପରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।

ପେରାମ୍ବଲୁର ଜିଲ୍ଲାରେ ଆର୍ ରବି ନାମକ ଜଣେ ବ୍ୟକ୍ତି ଦୀପାବଳି ପାଳନ ପାଇଁ ସାଙ୍ଗମାନଙ୍କ ସହ ବାହାରକୁ ଯାଇଥିଲେ । ସୋମବାର ଭୋର ସମୟରେ ଏକ ମନ୍ଦିର ନିକଟରୁ ତାଙ୍କ ମୃତଦେହ ମିଳିଥିଲା । ଅରୁପ୍ପୁକୋଟ୍ଟାଇ ନିକଟରେ ମଧ୍ୟ ଏକ ବିବାଦ ପରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି । ସେହିପରି ଶିବଗଙ୍ଗା ଜିଲ୍ଲାରେ ଦୁଇଟି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି ।

ପୋଲିସର କହିବା ଅନୁସାରେ, ଅଧିକାଂଶ ଘଟଣା ପଛରେ ପୁରୁଣା ଶତ୍ରୁତା, ମଦ ନିଶା, ଉତ୍ପାତ ଏବଂ ହଠାତ୍ ଉତ୍ତେଜନା କାରଣ ହୋଇଛି । ରାସ୍ତାରେ ବାଣ ଫୁଟାଇବା କିମ୍ବା ଘର ଆଡ଼କୁ ବାଣ ଫୁଟାଇବା ଭଳି ସାଧାରଣ ବିବାଦ ମଧ୍ୟ ଉଗ୍ର ରୂପ ନେଇଛି ।