ଚେନ୍ନାଇ: ତାମିଲନାଡୁ ବିଜୟ ସରକାରଙ୍କୁ ସୋମବାର ହାଇକୋର୍ଟରୁ ଜୋରଦାର ଝଟକା ଲାଗିଛି। ମାଡ୍ରାସ ହାଇକୋର୍ଟ କଋର ଦଳାଚକଟା ମୃତକଙ୍କ ନିକଟ ସମ୍ପର୍କିୟଙ୍କୁ ଦିଆଯାଇଥିବା ସରକାରୀ ଚାକିରି ଆଦେଶ ବାତିଲ କରିଦେଇଛନ୍ତି। ଏ ନେଇ ରୁଜୁ ଏକ ଜନସ୍ୱାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ କହିଛନ୍ତି ଯେ ଏହି ମାମଲାର ଯାଞ୍ଚ ସିବିଆଇ କରୁଛି ଓ ସୁପ୍ରିମକୋର୍ଟଙ୍କ ଦେଖରେଖରେ ଏହା ଚାଲିଛି। ଏଣୁ କୋର୍ଟ ମାମଲାର ତଥ୍ୟ ଅଥବା ଯାଞ୍ଚକୁ ନେଇ କୌଣସି ଟିପ୍ପଣୀ କରି ନାହାନ୍ତି।

ତେବେ କୋର୍ଟ କହିଛନ୍ତି ଯେ ରାଜ୍ୟ ସରକାରଙ୍କୁ ନିଯୁକ୍ତିପତ୍ର ବିତରିତ କରିବା ପାଇଁ ଅନୁମତି କେବଳ ଏହି ସର୍ତ୍ତରେ ଦିଆଯାଇଥିଲା ଯେ ନିଯୁକ୍ତି ଅସ୍ଥାୟୀ ହେବ ଓ ମାମଲାର ଚୂଡ଼ାନ୍ତ ରାୟ ହିତାଧିକାରୀଙ୍କ ପ୍ରଥମ ବେତନ ପୂର୍ବରୁ ଘୋଷଣା କରାଯିବ। କୋର୍ଟ କହିଛନ୍ତି ଯେ ଏହି ସର୍ତ୍ତରେ ମାମଲାର ଚୂଡ଼ାନ୍ତ ସମାଧାନ କରାଯାଇଛି। ସୂତ୍ର ଅନୁସାରେ ତାମିଲନାଡୁ ସରକାର ମାଡ୍ରାସ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ବିଚାର କରୁଛନ୍ତି।

ହାଇକୋର୍ଟରେ ଶୁଣାଣି କାଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ତର୍କ ଦିଆଯାଇଥିଲା ଯେ ଅନୁକମ୍ପା ନିଯୁକ୍ତି ନିର୍ଦ୍ଧାରିତ ଦିଶାନିର୍ଦ୍ଦେଶ ଅନୁସାରେ ଦିଆଯାଇଛି। ଏଥି ପାଇଁ ସମସ୍ତଙ୍କ ପାତ୍ରତା, ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟ ସର୍ତ୍ତ ପାଳନ କରାଯାଇଛି। ସରକାର ଏହା ବି ପ୍ରଶ୍ନ କରିଛନ୍ତି ଯେ ଯେବେ ପୁରା ପ୍ରକ୍ରିୟା ନିୟମାନୁସାରେ ହୋଇଛି ତେବେ ନିଯୁକ୍ତିକୁ ଚ୍ୟାଲେଞ୍ଜ କରିବାର ଆଧାର କ’ଣ? ତେବେ କୋର୍ଟ ସରକାରଙ୍କ ତର୍କକୁ ଟାଳି ଦେଇଛନ୍ତି।

ହାଇକୋର୍ଟ କହିଛନ୍ତି ଯେ ଯଦି କଋର ଦଳାଚକଟା ମୃତକଙ୍କ ପରିବାରଙ୍କୁ ସରକାରୀ ଚାକିରି ଦିଆଯାଏ ତେବେ ଭବିଷ୍ୟତରେ ସଡ଼କ ଦୁର୍ଘଟଣା, ସରକାରୀ ବସ୍ ଦୁର୍ଘଟଣା ଅଥବା ଔଦ୍ୟୋଗିକ ଦୁର୍ଘଟଣା ପୀଡ଼ିତ ମଧ୍ୟ ଏଭଳି ଦାବି ଉଠାଇ ପାରନ୍ତି। କୋର୍ଟ ଏହା ବି ଉଲ୍ଲେଖ କରିଛନ୍ତି ଯେ ତାମିଲନାଡୁ ଲୋକସେବା ଆୟୋଗ(ଟିଏନପିଏସସି) ମାଧ୍ୟମରେ ନିଯୁକ୍ତିକୁ ଅପେକ୍ଷା କରି ରହିଥିବା ହଜାର ହଜାର ପ୍ରାର୍ଥୀଙ୍କ ହୀତକୁ ଅଣଦେଖା କରାଯାଇ ପାରିବନି।

ହାଇକୋର୍ଟଙ୍କ ପୀଠ କହିଛନ୍ତି ଯେ ପ୍ରଭାବିତ ପରିବାରଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ, ଆର୍ଥିକ ସହାୟତା ଅଥବା ସ୍ଥାୟୀ ଜୀବିକାର ଅବସର ଉପଲବ୍ଧ କରିବା ସରକାରୀ ଚାକିରୀ ଦେବା ତୁଳନାରେ ଅଧିକ ପ୍ରଭାବୀ ହେବ। ଏହାଛଡା କୋର୍ଟ ରାଜ୍ୟ ସରକାରଙ୍କ ସେହି ତର୍କକୁ ମଧ୍ୟ ଖାରଜ କରିଦେଇଛନ୍ତି ଯେଉଁଥିରେ ଚାକିରି କେବଳ ସାଧାରଣ ପଦପବୀରେ ଥିଲା ବୋଲି କୁହାଯାଇଥିଲା। କୋର୍ଟ କହିଛନ୍ତି ଯେ ପ୍ରତିଟି ସରକାରୀ ଚାକିରି କୌଣସି ପରିବାର ନିମନ୍ତେ ସମ୍ମାନ, ସୁରକ୍ଷା ଓ ସ୍ଥାୟୀ ଅଜୀବିକାର ମାଧ୍ୟମ।

ଏହି ପୁରା ମାମଲା ସେପ୍ଟେମ୍ବର ୨୦୨୫ରେ ଟିଭିକେର ନିର୍ବାଚନ ରାଲି କାଳରେ କଋରରେ ଦଳାଚକଟା ସମ୍ପର୍କି, ଯେଉଁଥିରେ ୪୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ବିଜୟ ସରକାର ଥଇଥାନ ପ୍ୟାକେଜରେ ପ୍ରତ୍ୟେକ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ସରକାରୀ ଚାକିରି ଦେବେ ବୋଲି ଘୋଷଣା କରିଥିଲେ। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ବିଜୟ ଜୁଲାଇ ୧୦ ତାରିଖରେ କଋର ପହଞ୍ଚି ୩୨ ପରିଜନଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ।