ନୂଆଦିଲ୍ଲୀ: ଥାଲାପତି ବିଜୟଙ୍କ ତାମିଲଗା ଭେଟ୍ଟ୍ରି କାଝାଗମ (TVK) ତାମିଲନାଡୁ ବିଧାନସଭା ନିର୍ବାଚନରେ ୧୦୮ ସିଟରେ ଜିତି ସବୁଠୁ ବଡ଼ ପାର୍ଟି ଭାବରେ ଉଭା ହୋଇଛି। ତଥାପି ଦଳ ସରକାର ଗଢ଼ିବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବରରୁ ଦୂରରେ ରହିଛି। ଅବଶ୍ୟ ବିଜୟ, ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ବୁଧବାର ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ମାତ୍ର ତାଙ୍କୁ ଫେରାଇ ଦେଇଥିଲେ ରାଜ୍ୟପାଳ। ଏମିତିରେ ପୁଣି ଗୁରୁବାର ବିଜୟ ରାଜ୍ୟପାଳକୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଛି। ରାଜ୍ୟପାଳ ଦ୍ବିତୀୟ ଥର ମଧ୍ୟ ତାଙ୍କୁ ଫେରାଇଦେଇଛନ୍ତି ଏବଂ ୧୧୮ ବିଧାୟକଙ୍କ ଦସ୍ତକ୍ଷତ ଆଣି ଆସିବାକୁ କହିଛନ୍ତି।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ରାଜ୍ୟପାଳ ବିଜୟଙ୍କୁ ୧୧୮ ବିଧାୟକଙ୍କ ଦସ୍ତକ୍ଷତ ହେବା ପରେ ହିଁ ଆସିବାକୁ କହିଛନ୍ତି। ରାଜ୍ୟପାଳ ବିଜୟଙ୍କୁ କହିଛନ୍ତି ଯେ, ଟିଭିକେ ଜରୁରୀ ନମ୍ବରରୁ ଏବେବି ପଛରେ ରହିଛି। ଆଉ କୌଣସି ଶପଥ ନେବା ପୂର୍ବରୁ ୧୧୮ ଦସ୍ତକ୍ଷତ ଆଣି ଆସନ୍ତୁ।ଆଉ ପ୍ରମାଣ କରନ୍ତୁ ଯେ, ଟିଭିକେ ପାଖରେ ବହୁମତ ଅଛି। ଏହା ପରେ ହିଁ ଶପଥ ହୋଇପାରିବ।’ ସୂଚନାଥାଉକି, ଦଳ ପାଖରେ ୧୦୮ ବିଧାୟକ ଥିବା ବେଳେ କଂଗ୍ରେସ ସର୍ମଥନ ପରେ ସଂଖ୍ୟା ୧୧୩ରେ ପହଞ୍ଚିଛି। ତଥାପି ଟିଭିକେ ମ୍ୟାଜିକ ନମ୍ବରରୁ ମାତ୍ର ୫ ସିଟରେ ଦୂରରେ ଅଛି।

Also Read: ତାମିଲନାଡୁ ରାଜନୀତିରେ ମହା-ଧମାକା: ବିଜୟଙ୍କୁ ରୋକିବାକୁ ହାତ ମିଳାଇ ପାରନ୍ତି DMK-AIADMK

ଫ୍ଲୋର ଟେଷ୍ଟ ପାଇଁ ବିଜୟଙ୍କୁ ସୁଯୋଗ ଦେବାକୁ ଦାବି

ସୂଚନାଥାଉକି, ବୁଧବାର ମଧ୍ୟ ବିଜୟ ରାଜ୍ୟପାଳଙ୍କୁ ୧୧୨ ବିଧାୟକଙ୍କ ସମର୍ଥନ ସହ ସାକ୍ଷତକାର କରିଥିଲେ। ଗୁରୁବାର ଭିସିକେ ଅର୍ଥାତ ବିଧୁଥଲାଇ ଚିରୁଥଇଗଲ କାଟଚୀ ମୁଖ୍ୟ ଥିରୁମବାଲବନ ରାଜ୍ୟପାଳଙ୍କୁ ବିଜୟଙ୍କୁ ଡକାଇ ଫ୍ଲୋର ଟେଷ୍ଟ କରିବା ସୁଯୋଗ ଦେବା ପାଇଁ ଅପିଲ କରିଛନ୍ତି। ସେ କହିଛନ୍ତି ବିଜୟ ସବୁଠୁ ବଡ଼ ପାର୍ଟିର ନେତା । ଆଉ ତାଙ୍କୁ କାର୍ଯ୍ୟାଳୟ ସମ୍ଭାଳିବା ଏବଂ ପରେ ବିଧାନସଭାରେ ବହୁମତ ପ୍ରମାଣ କରିବାକୁ ସୁଯୋଗ ଦିଆଯିବା ଦରକାର।