ଚେନ୍ନାଇ: ଏକକ ବୃହତ ଦଳ ହୋଇଥିଲେ ବି ଏବେ ବି କ୍ଷମତାଠୁ ଦୂରରେ ଅଭିନେତାରୁ ନେତା ପାଲଟିଥିବା ବିଜୟ ଥାଲାପତି। ଏବେ ସରକାର ଗଠନକୁ ନେଇ କସରତ ଚାଲିଛି। ଅଭିନେତା ବିଜୟଙ୍କ ଦଳ ତାମିଲଗା ଭେଟ୍ରି କାଝାଗମ (TVK) ୧୦୮ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସଂଖ୍ୟାଗରିଷ୍ଠତା ପାଇଁ ସଂଘର୍ଷ କରୁଛି। ରାଜ୍ୟପାଳଙ୍କୁ ବୁଧବାର ଭେଟି ସରକାର ଗଢିବାକୁ ଦାବି ଉପସ୍ଥାପନ କରିଛନ୍ତି ବିଜୟ। ହେଲେ ତାଙ୍କ ଦାବିରେ ଦମ୍ ନ ଥିବା ଏବଂ ପର୍ଯ୍ୟାପ୍ତ ସଂଖ୍ୟାବଳ ନ ଥିବା କହିଛି ଲୋକଭବନ।

ରାଜଭବନରେ କଣ ହେଲା ?

ସୂଚନା ଅନୁଯାୟୀ, ବିଜୟ ରାଜ୍ୟପାଳଙ୍କୁ ଭେଟି ୧୧୨ ଜଣ ବିଧାୟକଙ୍କ ସମର୍ଥନ ଥିବା ପତ୍ର ପ୍ରଦାନ କରିଥିଲେ। କିନ୍ତୁ ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୮। ରାଜ୍ୟପାଳ ଆଇନଗତ ପରାମର୍ଶ ଲୋଡ଼ିବା ସହ ବିଜୟଙ୍କୁ ୧୧୮ ଜଣ ବିଧାୟକଙ୍କ ସମର୍ଥନ ସହ ପୁଣିଥରେ ଆସିବାକୁ କହିଛନ୍ତି। କଂଗ୍ରେସର ୫ ବିଧାୟକଙ୍କ ସମର୍ଥନ ସତ୍ତ୍ଵେ ବିଜୟ ବହୁମତଠାରୁ ୬ଟି ଆସନ ଦୂରରେ ଅଛନ୍ତି। VCK ଏବଂ ଅନ୍ୟ ଛୋଟ ଦଳଗୁଡ଼ିକର ଆଭିମୁଖ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Also Read: 'ଆମେ ନିର୍ବାଚନ ହାରିନୁ, ଲୋକଭବନ ଯାଇ ଇସ୍ତଫା ଦେବିନି...'ମମତାଙ୍କ ବଡ଼ ଘୋଷଣା

ଶପଥ ଗ୍ରହଣରେ ବିଳମ୍ବ ଆଶଙ୍କା

ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ମେ ୭ ତାରିଖ ଗୁରୁବାର ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କିନ୍ତୁ ସଂଖ୍ୟା ଯୋଗାଡ଼ରେ ବିଳମ୍ବ ହେଉଥିବାରୁ ଏହି କାର୍ଯ୍ୟକ୍ରମ ଘୁଞ୍ଚିପାରେ। ଅନ୍ୟପଟେ, ପରାଜୟ ପରେ ଏମ.କେ ଷ୍ଟାଲିନ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି। ନିଜ ଗଡ଼ 'କୋଲାଥୁର'ରେ ମଧ୍ୟ ଷ୍ଟାଲିନ TVK ପ୍ରାର୍ଥୀଙ୍କଠାରୁ ହାରିଯାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଓ ବିଜୟଙ୍କ ପ୍ରତିକ୍ରିୟା

ବିଜୟଙ୍କ ଏହି ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଥିଲେ। ଏହାର ଉତ୍ତରରେ ବିଜୟ ଲେଖିଛନ୍ତି, ଧନ୍ୟବାଦ ପ୍ରଧାନମନ୍ତ୍ରୀ ମହୋଦୟ। ରାଜନୀତିରୁ ଉର୍ଦ୍ଧ୍ଵରେ ରହି ଆମେ ତାମିଲନାଡୁର ପ୍ରଗତି ଏବଂ ଜନତାଙ୍କ କଲ୍ୟାଣ ପାଇଁ କାମ କରିବୁ। ଏହି ପ୍ରୟାସରେ ଆମେ କେନ୍ଦ୍ର ସରକାରଙ୍କ ସହଯୋଗ ଆଶା କରୁଛୁ।

Also Read: ​​​​​​​ଗୋଟିଏ ଭୋଟ୍ ପାଇଁ ହାରିଗଲେ DMKର ଟାଣୁଆ ନେତା, ଜିତିବେ ବୋଲି ଭାବି ଭୋଟ୍ ଦେଇନଥିଲେ ପରିବାର ଲୋକ