ନୂଆଦିଲ୍ଲୀ: ୱାର୍ଲଡ ଚାମ୍ପିଅନଶିପ୍ ଅଫ୍ ଲିଜେଣ୍ଡ୍ସ ୨୦୨୬ର ନବମ ମ୍ୟାଚରେ ଅଷ୍ଟ୍ରେଲିଆ ଚାମ୍ପିଅନ୍ସ ଏବଂ ସାଉଥ୍ ଆଫ୍ରିକା ଚାମ୍ପିଅନ୍ସ ମୁହାଁମୁହିଁ ହୋଇଥିଲେ । ଶାରଜାହ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ସାଉଥ୍ ଆଫ୍ରିକା ଚାମ୍ପିଅନ୍ସ ୮ ୱିକେଟରେ ବିଜୟୀ ହୋଇଛି । ଅଷ୍ଟ୍ରେଲିଆ ଚାମ୍ପିଅନ୍ସ ବିଜୟ ପାଇଁ ସାଉଥ୍ ଆଫ୍ରିକା ଚାମ୍ପିଅନ୍ସକୁ ୨୧୦ ଟାର୍ଗେଟ୍ ଦେଇଥିଲା, ଯାହାକୁ ୧୫.୪ ଓଭରରେ ଚେଜ୍ କରାଯାଇଥିଲା ।

ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସର ବିଜୟର ନାୟକ ଥିଲେ ଅଧିନାୟକ ଏବି ଡିଭିଲିୟର୍ସ । ଏବି ୪୦ ବଲରୁ ଅପରାଜିତ ୧୧୧ ରନ୍ କରିଥିଲେ । ତାଙ୍କର ଏହି ଇନିଂସରେ ୧୧ ଛକା ଏବଂ ୬ ଚୌକା ସାମିଲ ଥିଲା । ଡିଭିଲିୟର୍ସ ମାତ୍ର ୩୭ ବଲରେ ତାଙ୍କର ଶତକ ପୂରଣ କରିଥିଲେ । ଓପନର ରିଚାର୍ଡ ଲେଭି ମଧ୍ୟ ୨୯ ବଲରୁ ୬୨ ରନ୍ କରିଥିଲେ ।

ଏବି ଡିଭିଲିୟର୍ସ ଏବଂ ରିଚାର୍ଡ ଲେଭି ଦ୍ୱିତୀୟ ୱିକେଟ ପାଇଁ ୧୨୭ ରନର ଭାଗୀଦାରି କରିଥିଲେ । ଜେପି ଡୁମିନି ୨୭ ରନ କରି ଅପରାଜିତ ରହିଥିଲେ । କେନ୍ ରିଚାର୍ଡସନ୍ ଅଷ୍ଟ୍ରେଲିୟ ଚାମ୍ପିଅନ୍ସ ପାଇଁ ଦୁଇଟି ୱିକେଟ ନେଇଥିଲେ । ଶତକୀୟ ଇନିଂସ ପାଇଁ ଡିଭିଲିୟର୍ସଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୫ ୱିକେଟ୍ ହରାଇ ୨୦୯ ରନ୍ କରିଥିଲା । ଡାର୍ସି ସର୍ଟ ୨୫ ବଲରୁ ୭ ଚୌକା ଏବଂ ୫ ଛକା ସହିତ ୬୬ ରନ କରିଥିଲେ । ଅଧିନାୟକ ଡେଭିଡ୍ ୱାର୍ଣ୍ଣର ମଧ୍ୟ ୪୮ ରନ୍ କରିଥିଲେ । ଜୋ ବର୍ନ୍ସ ଅପରାଜିତ ୩୮ ଏବଂ ଜୋନାଥନ ୱେଲ୍ସ ଅପରାଜିତ ୨୩ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସ ପାଇଁ ହାର୍ଡସ୍ ଭିଲଜୋଏନ୍ ସାର୍ବାଧିକ ତିନୋଟି ୱିକେଟ୍ ନେଇଥିଲେ ।