ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ଜୋସେଫ୍ ସୋମବାର ରାଜ୍ୟ ବିଧାନସଭାରେ କୃଷି ଋଣ ଛାଡ଼ ଯୋଜନାର ପରିଧି ବଢାଇବା ପାଇଁ ଘୋଷଣା କରିଛନ୍ତି । ଏହି ସହିତ ମୋଟ୍ ଆର୍ଥିକ ଅନୁଦାନ ବଢ଼ି ୬,୨୨୦ କୋଟି ଟଙ୍କା ହୋଇଛି । ରାଜ୍ୟର ମୋଟ ୧୩.୩୪ ଲକ୍ଷ ଚାଷୀଙ୍କୁ ଏହାର ଲାଭ ମିଳିବ ।

ସିଏମ୍ ବିଜୟ ଘୋଷଣା କରିଛନ୍ତି, ସମବାୟ ବ୍ୟାଙ୍କରୁ ନିଆଯାଇଥିବା ୭୫,୦୦୦ ଟଙ୍କା ପର୍ଯ୍ୟନ୍ତ କୃଷି ଋଣକୁ ସରକାର ସମ୍ପୂର୍ଣ୍ଣ ଛାଡ଼ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ୭୫,୦୦୦ ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ମଧ୍ୟ ୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ଛାଡ଼ ଦିଆଯିବ । ଏହା ଦ୍ୱାରା ୨,୩୮,୨୬୪ଜଣ ଚାଷୀଙ୍କୁ ୪୦ ହଜାର ଟଙ୍କାର ଅତିରିକ୍ତ ଲାଭ ମିଳିବ । ସେହିପରି ୧ ଲକ୍ଷରୁ ଅଧିକ ଟଙ୍କା ଋଣ ଉପରେ ୩୫ ହଜାର ଟଙ୍କା ଯାଏ ଛାଡ଼ କରାଯିବ ।

ବିଧାନସଭାରେ ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି ଯେ କୃଷି ହେଉଛି ରାଜ୍ୟର ମେରୁଦଣ୍ଡ ଏବଂ କୃଷକମାନଙ୍କୁ ସହାୟତା କରିବା ଉପରେ ହିଁ ଦେଶର ସମୃଦ୍ଧି ନିର୍ଭର କରେ । ରାଜ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ ସୁଦ୍ଧା, ସରକାର କୃଷକମାନଙ୍କୁ ୯୫୩.୦୬ କୋଟି ଟଙ୍କାର ଅତିରିକ୍ତ ସହାୟତା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି

୧୩.୩୪ ଲକ୍ଷରୁ ଅଧିକ କୃଷକ ଲାଭବାନ ହେବେ

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ନୂତନ ନିଷ୍ପତ୍ତି ଦ୍ୱାରା ଅତିରିକ୍ତ ୧.୩୮ ଲକ୍ଷ କୃଷକ ଉପକୃତ ହେବେ । ଏହାକୁ ମିଶାଇ ମୋଟ ୧୩.୩୪ ଲକ୍ଷରୁ ଅଧିକ କୃଷକ ଏହି ଯୋଜନାର ଲାଭ ପାଇବେ । ଏହି ସମ୍ପୂର୍ଣ୍ଣ ଋଣ ଛାଡ଼ ଯୋଜନା ପାଇଁ ସରକାରୀ କୋଷାଗାରରୁ ମୋଟ ୬,୨୨୦ କୋଟି ଟଙ୍କା ବ୍ୟୟ କରାଯିବ ।

ସୂଚନାଯୋଗ୍ୟ ଯେ, ଗତ ମେ' ମାସରେ ସରକାର ଗଠନ ହେବାର ୧୫ ଦିନ ମଧ୍ୟରେ ପ୍ରଥମେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରାଯାଇଥିଲା । ପରବର୍ତ୍ତୀ ସମୟରେ କୃଷକ ସଂଗଠନଗୁଡ଼ିକ ସହ ଆଲୋଚନା ପରେ ଏହି ସୀମାକୁ ବୃଦ୍ଧି କରାଯାଇ ୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି ।