ନୂଆଦିଲ୍ଲୀ: ତାମିଲନାଡ଼ୁରେ ନୂଆ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ବିଜୟ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କୁ ଭେଟିଛନ୍ତି । ଅଲବରପେଟ ସ୍ଥିତ ଷ୍ଟାଲିନଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପରେ ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକ ହୋଇଛି । ବିଧାନସଭା ନିର୍ବାଚନରେ ଟିଭିକେ ପ୍ରଥମ ଥର ନିର୍ବାଚନ ଲଢି ୧୦୮ ଆସନରେ ବିଜୟୀ ହୋଇଥିଲା । ବିଜୟ ରବିବାର ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ସୂଚନା ଅନୁସାରେ ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା । ବିଜୟ ନିଜ କାର୍ଯ୍ୟକାଳର ପ୍ରଥମ ଦିନରେ ସର୍ବପ୍ରଥମେ ଷ୍ଟାଲିନଙ୍କ ଘରକୁ ଯାଇଥିଲେ । ଏହି ସାକ୍ଷାତ ଏପରି ସମୟରେ ହୋଇଛି, ଯେତେବେଳେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଡିଏମକକୁ ଅପ୍ରତ୍ୟାଶିତ ଭାବେ କ୍ଷମତାରୁ ହଟାଇ ଟିଭିକେ ସରକାର ଗଠନ କରିଛି ।

ବିଜୟ ରବିବାର ଚେନ୍ନାଇର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ତାଙ୍କର ପ୍ରଥମ ଭାଷଣରେ, ସେ ତାଙ୍କର ବିଜୟକୁ ଧର୍ମନିରପେକ୍ଷ ସାମାଜିକ ନ୍ୟାୟର ଏକ ନୂତନ ଯୁଗର ଆରମ୍ଭ ବୋଲି କହିଥିଲେ । ସେ ପୂର୍ବତନ ଡିଏମକେ ସରକାରକୁ ରାଜ୍ୟର ଆର୍ଥିକ ସ୍ଥିତିକୁ "ଦୁର୍ଭାଗ୍ୟଜନକ ଅବସ୍ଥାରେ" ଛାଡିଥିବା ଅଭିଯୋଗ କରିଥିଲେ । କହିଥିଲେ ଯେ ତାଙ୍କ ସରକାର ଖୁବଶୀଘ୍ର ରାଜ୍ୟର ଆର୍ଥିକ ସ୍ଥିତି ଉପରେ ଏକ ଶ୍ୱେତପତ୍ର ପ୍ରକାଶ କରିବେ । ସେ ଦାବି କରିଥିଲେ ଯେ ତାମିଲନାଡୁ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଋଣରେ ବୁଡ଼ି ରହିଛି ।

ଏମକେ ଷ୍ଟାଲିନ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । କହିଥିଲେ ନୂଆ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ବୁଝିପାରିବେ ଯେ ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ପ୍ରକୃତ ପ୍ରଶାସନିକ ଚ୍ୟାଲେଞ୍ଜ କ’ଣ ?