ଚେନ୍ନାଇ: ତାମିଲନାଡୁ ସରକାର ରାଜ୍ୟର ୫୨ଟି ସବୁଠାରୁ ବଡ଼ ଓ ପ୍ରସିଦ୍ଧ ମନ୍ଦିରରେ ସ୍ମାର୍ଟଫୋନ୍ ନେବା ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଇଦେଇଛନ୍ତି । ଏବେ ଯଦି ଆପଣ ମନ୍ଦିର ଯାଉଛନ୍ତି, ତେବେ ଆପଣଙ୍କୁ ଗେଟରେ ହିଁ ନିଜର ଫୋନ୍ ଜମା କରିବାକୁ ପଡ଼ିବ ଏବଂ ଏଥିପାଇଁ ୫ ଟଙ୍କା ମଧ୍ୟ ଦେବାକୁ ହେବ । ସରକାରଙ୍କ କହିବା କଥା ହେଉଛି, ମନ୍ଦିରଗୁଡ଼ିକର ଶାନ୍ତି ଓ ପବିତ୍ରତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ଲୋକମାନେ ସୋସିଆଲ୍ ମିଡିଆ କଣ୍ଟେଣ୍ଟ ବଦଳରେ ଭଗବାନଙ୍କ ଦର୍ଶନ ଉପରେ ଧ୍ୟାନ ଦେବେ ।

ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରେ ସବୁଠି ରିଲ୍ସ ବନାଇବା ଓ ସେଲଫି ଉଠାଇବାର କ୍ରେଜ୍ ଅଧିକ ବଢିଛି । କିନ୍ତୁ ଯେତେବେଳେ ଏହି କ୍ରେଜ୍ ମନ୍ଦିର ଭିତର ପର୍ଯ୍ୟନ୍ତ ପହଞ୍ଚିଗଲା, ସେତେବେଳେ ବିବାଦ ସୃଷ୍ଟି ହେବା ସ୍ୱାଭାବିକ ଥିଲା । ତାମିଲନାଡୁ ସରକାର ଏବେ ଏହା ଉପରେ କଡ଼ା ଆକ୍ସନ୍ ନେଇଛନ୍ତି । ସରକାର ରାଜ୍ୟର ୫୨ଟି ପ୍ରମୁଖ ମନ୍ଦିରରେ ସ୍ମାର୍ଟଫୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛନ୍ତି । ବିଭାଗୀୟ  ମନ୍ତ୍ରୀ ରମେଶ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ମନ୍ଦିର ଭିତରେ ଶାନ୍ତି ବଜାୟ ରଖିବା ସବୁଠାରୁ ପ୍ରଥମ ପ୍ରାଥମିକତା ।

କ୍ୟାମେରା ନଥିବା ଫୋନ ଛାଡ଼

ସରକାର ଏହି ନିୟମରେ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି । ଯେଉଁ ଫୋନଗୁଡ଼ିକରେ କ୍ୟାମେରା ନଥାଏ, ଅର୍ଥାତ୍ କି-ପ୍ୟାଡ୍ ଥିବା ବେସିକ୍ ଫୋନ୍, ସେଗୁଡ଼ିକୁ ମନ୍ଦିର ଭିତରକୁ ନେବା ପାଇଁ ଅନୁମତି ମିଳିବ । ମନ୍ତ୍ରୀ ରମେଶ ସ୍ପଷ୍ଟ କରିଛନ୍ତି ଯେ ସମସ୍ୟା ଫୋନକୁ ନେଇ ନୁହେଁ, ବରଂ ଫୋନର କ୍ୟାମେରାକୁ ନେଇ, ଯାହା ଦ୍ୱାରା ଲୋକମାନେ ଭିତରେ ଭିଡିଓ ଓ ରିଲ୍ସ କରୁଛନ୍ତି ।

ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ପରେ ଏହି ବଡ଼ ଆକ୍ସନ୍

ଏହି ନିଷ୍ପତ୍ତି କେବଳ ସରକାରଙ୍କର ନୁହେଁ, ବରଂ ଏହା ପଛରେ ମାଡ୍ରାସ ହାଇକୋର୍ଟଙ୍କର ଏକ ପୁରୁଣା ଆଦେଶ ରହିଛି । ୨୦୨୨ରେ ତିରୁଚେନ୍ଦୁରର ଅରୁଲମିଗୁ ସୁବ୍ରମଣ୍ୟମ୍ ସ୍ୱାମୀ ମନ୍ଦିରରେ ସ୍ମାର୍ଟଫୋନ୍ ବ୍ୟାନକୁ ନେଇ ଏକ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଥିଲା । ଏହା ଉପରେ ଶୁଣାଣି କରି ମାଡ୍ରାସ୍ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡାପୀଠ ଆଦେଶ ଦେଇଥିଲେ ଯେ ମନ୍ଦିରଗୁଡ଼ିକରେ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ରୋକ୍ ଲଗାଯାଉ ଏବଂ ଫୋନ୍ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରାଯାଉ । ସରକାର ଏହି କୋର୍ଟ ଅର୍ଡରକୁ କଡ଼ାକଡ଼ି ଭାବେ ଲାଗୁ କରିଛନ୍ତି ।