Taiwan Earthquake: ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ । ଶନିବାର (ଡିସେମ୍ବର ୨୭, ୨୦୨୫) ଦିନ ଉତ୍ତର-ପୂର୍ବ ଉପକୂଳବର୍ତ୍ତୀ ସହର ୟିଲାନରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ କରାଯାଇଛି । ଭୂମିକମ୍ପର ତୀବ୍ରତା ଏତେ ଅଧିକ ଯେ, ବଡ଼ ବଡ଼ ଅଟ୍ଟାଳିକା ଦୋହଲିଯାଇଛି । ତାଇୱାନର କେନ୍ଦ୍ରୀୟ ପାଣିପାଗ ସଂସ୍ଥା ଅନୁଯାୟୀ, ଶନିବାର ରାତିରେ ତାଇୱାନର ଉତ୍ତର-ପୂର୍ବ ଉପକୂଳବର୍ତ୍ତୀ ସହର ୟିଲାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି ।

ଭୂମିକମ୍ପର କେନ୍ଦ୍ରସ୍ଥଳ ୟିଲାନ କାଉଣ୍ଟି ହଲ୍ ଠାରୁ ପ୍ରାୟ ୩୨ କିଲୋମିଟର ପୂର୍ବରେ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ୨୪.୬୯ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୨୨.୦୮ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା। ଏହାର ଗଭୀରତା ପ୍ରାୟ ୭୨.୮ କିଲୋମିଟର ବୋଲି ରିପୋର୍ଟ କରାଯାଇଛି। ରଏଟର୍ସ ଅନୁଯାୟୀ, ତାଇୱାନର ଜାତୀୟ ଅଗ୍ନିଶମ ସଂସ୍ଥା କହିଛି ଯେ ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛି।

ଜାତୀୟ ଅଗ୍ନିଶମ ସଂସ୍ଥା କହିଛି ଯେ, ତାଇୱାନରେ ତୁରନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ । ପାଣିପାଗ ବିଭାଗ କହିଛି ଯେ, ବୁଧବାର ତାଇୱାନର ଦକ୍ଷିଣ-ପୂର୍ବ ଉପକୂଳବର୍ତ୍ତୀ କାଉଣ୍ଟି ତାଇତୁଙ୍ଗରେ ୬.୧ ତୀବ୍ରତାର ଭୂମିକମ୍ପ ଆସିବାର ମାତ୍ର ତିନି ଦିନ ପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏହା ପୂର୍ବରୁ ବୁଧବାର ଆସିଥିବା ଭୂମିକମ୍ପ ତାଇପେଇ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । କୋଠାଘର ଦୋହଲି ଯାଇଥିଲା। ଭୂମିକମ୍ପର ଗଭୀରତା ପ୍ରାୟ ୧୧.୯ କିଲୋମିଟର ଥିଲା ।

ତାଇୱାନ ଦୁଇଟି ଟେକ୍ଟୋନିକ୍ ପ୍ଲେଟର ସଂଯୋଗସ୍ଥଳ ନିକଟରେ ଅବସ୍ଥିତ । ତେଣୁ ପ୍ରାୟତଃ ଭୂମିକମ୍ପ ହୁଏ। ଏପ୍ରିଲ ୨୦୨୪ ରେ, ୭.୪ ତୀବ୍ରତାର ଭୂମିକମ୍ପରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା। ପୂର୍ବରୁ ୨୦୧୬ ରେ ଦକ୍ଷିଣ ତାଇୱାନରେ ହୋଇଥିବା ଭୂମିକମ୍ପରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ୧୯୯୯ ରେ ଏକ ୭.୩ତୀବ୍ରତାର ଭୂମିକମ୍ପରେ ୨୦୦୦ ରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା ।