କୋଲକାତା: ସୁପର-୮ର ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ଓ୍ଵେଷ୍ଟଇଣ୍ଡିଜ ଚ୍ୟାଲେଞ୍ଜିଂ ସ୍କୋର କରିଛି। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଉଥିବା ମ୍ୟାଚରେ ଓ୍ଵେଷ୍ଟଇଣ୍ଡିଜ ୪ ଓ୍ଵିକେଟ୍ ହରାଇ ୧୯୫ ରନ କରିଛି। ସେମି ଫାଇନାଲରେ ପ୍ରବେଶ ପାଇଁ ଭାରତ ସାମ୍ନାରେ ରହିଛି ୧୯୬ ରନର ବିଜୟ ଲକ୍ଷ୍ୟ। ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରି ନ ଥିଲେ ବି ସାମୂହିକ ବ୍ୟାଟିଂ ସଫଳତା ବଳରେ ଏହି ସ୍କୋର କରି ପାରିଛି ୨ ଥରର ବିଶ୍ଵ ଚାମ୍ପିଅନ ଓ୍ଵେଷ୍ଟଇଣ୍ଡିଜ। ରୋଭମାନ ପାଓ୍ଵେଲ ୩୪ ରନ ଓ ଜାସନ ହୋଲଡର ୩୭ ରନ ବିସ୍ଫୋରକ ଇନିଂସ ଖେଳିଛନ୍ତି। ରୋଷ୍ଟନ ଚେଜ ୪୦ ରନ କରିଛନ୍ତି।

ଟସ୍  ହାରି ପ୍ରଥମେ ବ୍ୟାଟିଂ କରିଥିବା ଓ୍ଵେଷ୍ଟଇଣ୍ଡିଜର ଦୁଇ ଓପନର ସାଇ ହୋପ୍ ଓ ରୋଷ୍ଟନ ଚେଜ୍ ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ୯ ଓଭରରେ ୬୮ ରନ ଯୋଡ଼ିଥିଲେ। ସାଇ ହୋପ୍ ୩୨  ରନ କରି ଆଉଟ୍ ହୋଇଥିଲେ। ସିମରନ ହେଟମାୟର ଦ୍ରୁତ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଥିଲେ। ହେଟମାୟର ୧୨ ବଲରୁ ୨୭ ରନ କରି ବୁମରାଙ୍କ ଦ୍ଵାରା ଆଉଟ୍ ହୋଇଥିଲେ। କ୍ରିଜରେ ସେଟ୍ ଥିବା ରୋଷ୍ଟନ ଚେଜ୍ ୪୦ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ।

Also read; ପାକିସ୍ତାନର ବିଜୟ ବୃଥା, ଟି-୨୦ ବିଶ୍ବକପ୍‌ରୁ ବିଦା କଲା ଶ୍ରୀଲଙ୍କା; ସେମିରେ ନ୍ୟୁଜିଲାଣ୍ଡ

ଶେରଫନ ରଦରଫୋର୍ଡ(୧୪ ରନ) ପାଭିଲିୟନ ଫେରିଥିଲେ। ଏହାପରେ ରୋଭମାନ ପାଓ୍ଵେଲ ଓ ଜାସନ ହୋଲଡର ମୋର୍ଚ୍ଚା ସମ୍ଭାଳିଥିଲେ। ଉଭୟ ଭାରତୀୟ ବୋଲରଙ୍କୁ ପ୍ରହାର କରିଥିଲେ। ବିସ୍ଫୋରକ ବ୍ୟାଟିଂ କରି ପଞ୍ଚମ ଓ୍ଵିକେଟ୍ ପାଇଁ ୭୬ ରନ ଯୋଡ଼ିଥିଲେ। ଫଳରେ ଓ୍ଵେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୧୯୫ ରନ କରିଥିଲା। ପାଓ୍ଵେଲ ୧୯ ବଲରୁ ୩ ଚୌକା ଓ ୨ ଛକା ସହ ୩୪ ରନରେ ଅପରାଜିତ ଥିଲେ। ଜାସନ ହୋଲଡର ୨୨ ବଲରୁ ୨ ଚୌକା ଓ ୩ ଛକା ସହ ୩୭ ରନ କରିଥିଲେ।

ବୋଲିଂରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୨ଟି ଓ୍ଵିକେଟ୍ ନେଇଥିଲେ ହେଁ ୩୬ ରନ ବ୍ୟୟ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।