ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ସୋମବାର ଟି-୨୦ ବିଶ୍ଵକପ୍ ୨୦୨୬ର ସୁପର-୮ରେ ପ୍ରବେଶ କରିଛି। ଏହା ସହିତ ଦକ୍ଷିଣ ଆଫ୍ରିକା ତୃତୀୟ ଦଳ ଭାବେ ସୁପର-୮ରେ ପହଞ୍ଚିଛି। ଓ୍ଵେଷ୍ଟଇଣ୍ଡିଜ ଓ ଭାରତ ରବିବାର ନିଜ ନିଜର ମ୍ୟାଚ୍ ଜିତି ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଦକ୍ଷିଣ ଆଫ୍ରିକା ଗ୍ରୁପ ଡିରୁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଓ୍ଵେଷ୍ଟଇଣ୍ଡିଜ ସି ଏବଂ ଭାରତ ଗ୍ରୁପ ଏରୁ ସୁପର-୮ ପାଇଁ କ୍ଵାଲିଫାଏ କରିଛନ୍ତି। ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ତିନୋଟି ମ୍ୟାଚ୍ ଜିତି ଛଅ ପଏଣ୍ଟ ସହ ଟି-୨୦ ବିଶ୍ଵକପର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛି।

ଟି-୨୦ ବିଶ୍ଵକପର ସୁପର-୮ ପର୍ଯ୍ୟାୟ ପାଇଁ ଏ ପର୍ଯ୍ୟନ୍ତ ତିନୋଟି ଟିମ୍ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଉ ୧୪ଟି ଟିମ୍ ଦୌଡ଼ରେ ଥିବା ବେଳେ ୩ଟି ଟିମ୍ ବାଦ୍ ପଡ଼ି ସାରିଛନ୍ତି। ନେପାଳ, ଓମାନ ଓ ନାମିବ୍ୟା ନିଜ ନିଜର ମ୍ୟାଚ୍ ହାରି ସୁପର-୮ ରେସରୁ ବାହାରି ଯାଇଛନ୍ତି। ସୁପର-୮ରେ ପହଞ୍ଚିବା ପାଇଁ ବାକି ଟିମ୍ ଗୁଡ଼ିକ ମଧ୍ୟରେ ପ୍ରତିଦ୍ଵନ୍ଦ୍ଵିତା ଲାଗି ରହିଛି। 

ସୁପର-୮ରେ ଭାରତ ସହ ପ୍ରଥମ ମୁକାବିଲା

ଦକ୍ଷିଣ ଆଫ୍ରିକା ସୁପର-୮ରେ ନିଜର ପ୍ରଥମ ମ୍ୟାଚରେ ଭାରତକୁ ଭେଟିବ। ଭାରତ ନିଜର ପ୍ରଥମ ତିନୋଟି ମ୍ୟାଚ୍ ଜିତ ଚମତ୍କାର ଫର୍ମରେ ଅଛି। ଭାରତୀୟ ଦଳ ରବିବାର ପାକିସ୍ତାନକୁ ୬୧ ରନରେ ହରାଇ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଗତ ବିଶ୍ଵକପରେ ଉପବିଜେତା ଥିବା ଦକ୍ଷିଣ ଆଫ୍ରିକା ଦଳ ସଂପ୍ରତି ଟୁର୍ଣ୍ଣାମେଣ୍ଟରେ ଦମଦାର ଫର୍ମରେ ଅଛି। ଦଳ ପ୍ରଥମ ତିନୋଟି ମ୍ୟାଚ୍ ଜିତି ସାରିଛି। ପ୍ରଥମେ ମ୍ୟାଚରେ କାନାଡକୁ ୫୭ ରନରେ ହରାଇଥିଲା। ଦ୍ଵିତୀୟ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷ ରୋମାଞ୍ଚକର ମୁକାବିଲାରେ ସୁପର ଓଭରରେ ଜିତିଥିଲା ଦକ୍ଷିଣ ଆଫ୍ରିକା। ନ୍ୟୁଜିଲାଣ୍ଡକୁ ଦଳ ୭ ଓ୍ଵିକେଟରେ ମାତ୍ ଦେଇଥିଲା। ନ୍ୟୁଜିଲାଣ୍ଡ ୧୭୫ ରନ କରିଥିବା ବେଳେ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ମାତ୍ର ୧୭.୧ ଓଭରରେ ତିନୋଟି ଓ୍ଵିକେଟ୍ ହରାଇ ସହଜରେ ମ୍ୟାଚ୍ ଜିତି ନେଇଥିଲା।