ନୂଆଦିଲ୍ଲୀ: ଚୀନର ଅର୍ଥନୀତି ଏବଂ କ୍ୟାପିଟାଲ ମାର୍କେଟ ଉପରେ ନିଜର ସ୍ପଷ୍ଟ ଏବଂ ନିର୍ଭୀକ ମତାମତ ରଖୁଥିବା ଚୀନର ଅର୍ଥଶାସ୍ତ୍ରୀ ଗାଓ ଶାନୱେନଙ୍କର ୫୫ ବର୍ଷ ବୟସରେ ମୃତ୍ୟୁ ଘଟିଛି । ଚୀନର ସରକାରୀ ଗଣମାଧ୍ୟମ ତାଙ୍କ ମୃତ୍ୟୁର କାରଣ ‘ଅସୁସ୍ଥତା’ ବୋଲି ଦର୍ଶାଇଛି । ଗାଓ ଶାନୱେନ କହିଥିଲେ ଯେ ୨୦୨୧ରୁ ୨୦୨୩ ମଧ୍ୟରେ ଚୀନର ଜିଡିପି ଅଭିବୃଦ୍ଧିକୁ ପ୍ରକୃତ ତଥ୍ୟ ଅପେକ୍ଷା ୧୦ ପ୍ରତିଶତ ଅଧିକ ବଢ଼ାଇ ଦେଖାଯାଇଛି । ଗାଓ ଶାନୱେନ ଚୀନର ଜିଡିପି ତଥ୍ୟ ଉପରେ ପ୍ରଶ୍ନ ଉଠାଉଥିଲେ ।

ଚାଇନିଜ୍ ରିପୋର୍ଟରେ ତାଙ୍କ ମୃତ୍ୟୁର ସଠିକ୍ ସମୟ ବିଷୟରେ କିଛି କୁହାଯାଇନାହିଁ । କିନ୍ତୁ ତାଙ୍କୁ ଚୀନର କ୍ୟାପିଟାଲ ମାର୍କେଟରେ ସବୁଠାରୁ ପ୍ରଭାବଶାଳୀ ମ୍ୟାକ୍ରୋ-ଇକୋନୋମିଷ୍ଟମାନଙ୍କ ମଧ୍ୟରୁ ଜଣେ ବୋଲି ଦର୍ଶାଯାଇଛି ।

ଗାଓ ୨୦୨୪ ଶେଷ ବେଳକୁ ସାରା ଦୁନିଆରେ ଚର୍ଚ୍ଚାକୁ ଆସିଥିଲେ । ସେ ୱାଶିଂଟନରେ ପିଟରସନ ଇନଷ୍ଟିଚ୍ୟୁଟ୍ ଫର୍ ଇଣ୍ଟରନ୍ୟାସନାଲ ଇକୋନୋମିକ୍ସ ଏବଂ ଏକ ଚୀନ ଥିଙ୍କ-ଟ୍ୟାଙ୍କ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ କହିଥିଲେ ଯେ ବିଗତ ଦୁଇ-ତିନି ବର୍ଷ ମଧ୍ୟରେ ଚୀନର ପ୍ରକୃତ ଜିଡିପି ଅଭିବୃଦ୍ଧି ହାରାହାରି ୨ ପ୍ରତିଶତରହିଥିବ । ଉଲ୍ଲେଖଯୋଗ୍ୟ ଏହି ସଂଖ୍ୟା ସରକାରୀ ପରିସଂଖ୍ୟାନ (ପ୍ରାୟ ୫ ପ୍ରତିଶତ) ଠାରୁ ଯଥେଷ୍ଟ କମ୍ ।

ସେ କ୍ରୟ ଶକ୍ତି, ନିଯୁକ୍ତି ଏବଂ ରିଅଲ୍ ଇଷ୍ଟେଟ୍ ତଥ୍ୟରେ ହୋଇଥିବା ଜାଲିଆତି ବିଷୟରେ ଉଲ୍ଲେଖ କରୁଥିଲେ । ସେ ଯୁବ ବେକାରୀ, ବଜାର ଚାହିଦା ବା କ୍ରୟ ଶକ୍ତି ହ୍ରାସ ଏବଂ ସରକାରୀ ନୀତିଗତ ପଦକ୍ଷେପର ଅଭାବ ଉପରେ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ । କୁହାଯାଉଛି ଯେ ତାଙ୍କର ଏହି ବୟାନକୁ ନେଇ ଚୀନର କେନ୍ଦ୍ରୀୟ ନେତୃତ୍ୱ ଅତ୍ୟନ୍ତ ଅସନ୍ତୁଷ୍ଟ ହୋଇଥିଲେ । କମ୍ୟୁନିଷ୍ଟ ସରକାର ତାଙ୍କ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାର୍ବଜନୀନ ଭାବେ ବୟାନ ରଖିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ତାଙ୍କର ଭିଡିଓ, ପ୍ରବନ୍ଧ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ ସେନ୍ସର କରାଯିବା ସହ ଡିଲିଟ୍ କରିଦିଆଯାଇଥିଲା ।

ସିକ୍ୟୁରିଟିଜ୍ ଆସୋସିଏସନ ଅଫ୍ ଚାଇନା ମୁଖ୍ୟ ଅର୍ଥଶାସ୍ତ୍ରୀମାନଙ୍କୁ "ସରକାରଙ୍କ ନୀତିର ସକରାତ୍ମକ ପ୍ରଚାର" କରିବାକୁ ଏବଂ ଅରୁଚିକର ମନ୍ତବ୍ୟରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲା । ନଭେମ୍ବର ୨୦୨୫ରେ ଗାଓଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା । ତାଙ୍କର ହଂକଂ ଇନଭେଷ୍ଟମେଣ୍ଟ ଆଡଭାଇଜର ଲାଇସେନ୍ସ ମଧ୍ୟ ରଦ୍ଦ ହୋଇଯାଇଥିଲା ।

ସୂଚନାଯୋଗ୍ୟ ଯେ ବେଜିଂ ଜିଡିପି ପାଇଁ ସରକାରୀ ଲକ୍ଷ୍ୟ ଧାର୍ଯ୍ୟ କରିଥାଏ ଏବଂ କ୍ୱଚିତ୍ ସେହି ଲକ୍ଷ୍ୟ ହାସଲ କରିବାରେ ସଫଳ ହୁଏ । ଗାଓ ଶାନୱେନଙ୍କ ବକ୍ତବ୍ୟ ଚୀନର ଆର୍ଥିକ ତଥ୍ୟର ସଠିକତାକୁ ନେଇ ଅନ୍ତର୍ଜାତୀୟ ଅର୍ଥଶାସ୍ତ୍ରୀମାନଙ୍କ ସନ୍ଦେହକୁ ଆହୁରି ଦୃଢ଼ କରିଦେଇଥିଲା । ଏହା ପରେ ଗାଓ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଲୋକଲୋଚନରୁ ଦୂରରେ ରହିଥିଲେ ।

ଚୀନର ଅଧିକାରୀମାନେ ପ୍ରାୟତଃ ସେହି ହ୍ୱିସିଲବ୍ଲୋଅର ଏବଂ ସମୀକ୍ଷକମାନଙ୍କ ସ୍ୱରକୁ ଚାପି ଦିଅନ୍ତି, ଯେଉଁମାନେ ସରକାରୀ ଆଭିମୁଖ୍ୟକୁ ଚ୍ୟାଲେଞ୍ଜ କରି ସ୍ୱତନ୍ତ୍ର ମତାମତ ରଖନ୍ତି । ଚୀନର ବିଶିଷ୍ଟ ଶିଳ୍ପପତି ଜ୍ୟାକ୍ ମା’ ମଧ୍ୟ ନିଜ ସରକାରଙ୍କ ସମାଲୋଚନା କରିବା ପରେ କିଛି ମାସ ପାଇଁ ନିଖୋଜ ହୋଇଯାଇଥିଲେ ।