ନୂଆଦିଲ୍ଲୀ: ଟିଏମସିରୁ ବିଦା ହେବା ପରେ ମଧ୍ୟ ବାବ୍ରି ମସଜିଦ୍ର ଶିଳାନ୍ୟାସ କରିଛନ୍ତି ହୁମାୟୁନ କବୀର । ବିଧାୟକ ହୁମାୟୁନ କବୀର ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ବେଲଡାଙ୍ଗାରେ ବାବ୍ରି ମସଜିଦ୍ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ସମୟରେ ମୌଲବୀମାନଙ୍କ ସହିତ ସେ ରିବନ କାଟି କାର୍ଯ୍ୟ ଆରମ୍ଭ ଲାଗି ଆହ୍ବାନ ଦେଇଛନ୍ତି ।ଏହି ସମୟରେ ‘ନାରା-ଏ-ତକବୀର’ ଏବଂ ‘ଆଲ୍ଲାହୁ ଆକବର’ ଭଳି ସ୍ଲୋଗାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ୨ ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ବେଙ୍ଗଲର ବିଭିନ୍ନ ଜିଲ୍ଲାରୁ ଲୋକମାନେ ସଭାସ୍ଥଳରେ ପହଞ୍ଚିଥିଲେ । କେହି ନିଜ ମୁଣ୍ଡରେ, କିଏ ଟ୍ରାକ୍ଟର-ଟ୍ରଲିରେ ଏବଂ କେତେ ଜଣ ରିକ୍ସା କିମ୍ବା ଭ୍ୟାନରେ ଇଟା ନେଇ ସେଠାରେ ପହଞ୍ଚିଥିଲେ।

ଏହି ଘଟଣା ପାଇଁ ଆଜି ସକାଳଠାରୁ ବେଲଡାଙ୍ଗା ଏବଂ ଆଖପାଖ ଅଞ୍ଚଳ ହାଇ ଆଲର୍ଟରେ ରହିଛି। କେନ୍ଦ୍ରୀୟ ସଶସ୍ତ୍ର ବାହିନୀର ୧୯ଟି ଦଳ, ରାପିଡ୍ ଆକ୍ସନ୍ ଫୋର୍ସ, ସୀମା ସୁରକ୍ଷା ବଳ ଏବଂ ଅନେକ ସ୍ଥାନୀୟ ପୋଲିସ ବେଲଡାଙ୍ଗା ଏବଂ ଏହାର ଆଖପାଖ ଅଞ୍ଚଳରେ ମୁତୟନ ହୋଇଛନ୍ତି । ହୁମାୟୁନ୍ କବୀର ନଭେମ୍ବର ୨୫ ତାରିଖରେ କହିଥିଲେ ଯେ, ସେ ଡିସେମ୍ବର ୬ ତାରିଖରେ ଅଯୋଧ୍ୟାରେ ବିବାଦୀୟ ଢାଞ୍ଚା ଭଙ୍ଗାଯିବାର ୩୩ ବର୍ଷ ପୂର୍ତ୍ତି ଅବସରରେ ବାବ୍ରି ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ତୃଣମୂଳ କଂଗ୍ରେସ ଡିସେମ୍ବର ୪ରେ ହୁମାୟୁନ୍ କବୀରଙ୍କୁ ଦଳରୁ ନିଲମ୍ବିତ କରିଥିଲା ।

କାର୍ଯ୍ୟକ୍ରମ ପୂର୍ବରୁ, ହୁମାୟୁନ୍ କବୀର କହିଥିଲେ ଯେ, ହିଂସା ସୃଷ୍ଟି କରି କାର୍ଯ୍ୟକ୍ରମକୁ ବିଗାଡ଼ିବାକୁ ଷଡ଼ଯନ୍ତ୍ର କରାଯାଉଛି । କିନ୍ତୁ ସେ ବେଲଡାଙ୍ଗାରେ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଦୃଢ଼ୋକ୍ତି ବାଢ଼ିଥିଲେ । କୌଣସି ଶକ୍ତି ଏହାକୁ ରୋକିପାରିବ ନାହିଁ ବୋଲି ସେ କହିଥିଲେ । ଶୁକ୍ରବାର କୋଲକାତା ହାଇକୋର୍ଟ ମସଜିଦର ନିର୍ମାଣ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ । କୋର୍ଟ ରାୟ ଦେଇଥିଲେ ଯେ, ସମାରୋହ ସମୟରେ ଶାନ୍ତି ବଜାୟ ରଖିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ, ହୁମାୟୁନ୍ କବୀର ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଆଜିର ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଲାଗି ସାଉଦି ଆରବରୁ ମୁସଲିମ ଧର୍ମଗୁରୁ ଆସିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ୧୫୦ ଫୁଟ ଲମ୍ବା ଏବଂ ୮୦ ଫୁଟ ଚଉଡା ମଞ୍ଚ ନିର୍ମାଣ କରାଯାଇଥିଲା। ୪୦୦ ରୁ ଅଧିକ ଲୋକଙ୍କ ପାଇଁ ବସିବା ବ୍ୟବସ୍ଥା କରାଯାଇଥିଲା। ଉପସ୍ଥିତ ଲୋକଙ୍କ ପାଇଁ ୬୦,୦୦୦ ରୁ ଅଧିକ ବିରିୟାନି ପ୍ୟାକେଟ ପ୍ରସ୍ତୁତ କରାଯାଇଥିଲା। ୨୦୦୦ ରୁ ଅଧିକ ସ୍ଵେଚ୍ଛାସେବୀ ବ୍ୟବସ୍ଥା ପରିଚାଳନା କରିଥିଲେ।