ମୁମ୍ବାଇ ୩୧।୧୨: କୋକିଲା ବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲ ମୁମ୍ବାଇରେ ଚିକିତ୍ସିତ ହେଉଥିବା ରୋଗୀଙ୍କର ଡାକ୍ତର ସାଂଘାଇରେ ଥାଇ ଅସ୍ତ୍ରୋପଚାର କରିଛନ୍ତି ଓ ଏହା ସଫଳ ହୋଇଛି। ଏହା ଭାରତର ପ୍ରଥମ କ୍ରସ-ବର୍ଡର ରିମୋଟ ରବୋଟିକ୍ ସର୍ଜରୀ। ଏହାକୁ ଚୀନ୍ର ସାଂଘାଇ ସହରରେ ଥାଇ ଡା.ଟି.ବି. ଯୁଭରାଜା ସଫଳତାର ସହ ସମ୍ପନ୍ନ କରି ଇତିହାସ ରଚିଛନ୍ତି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ (ସିଡିଏସସିଓ) ମଞ୍ଜୁରୀରେ ଭାରତରେ ତୌମାଇ ରିମୋଟ ରବୋଟିକ ସର୍ଜରୀ ସିଷ୍ଟମକୁ ପ୍ରଥମ ସୀମା ପାର ଚିକିତ୍ସା ନିମନ୍ତେ ଉପଯୋଗ କରାଯାଇଛି।

ମୁମ୍ବାଇରେ ଦୁଇଜଣ ରୋଗୀଙ୍କ ଠାରେ ସଫଳତା ପୂର୍ବକ ରେଡିକଲ ପ୍ରୋଷ୍ଟେଟେକ୍ଟମୀ ଓ ପାର୍ଶିଆଲ ନେପ୍ରେକ୍ଟମୀ ଭଳି ଜଟିଳ ୟୁରୋଲଜିକାଲ ସର୍ଜରୀ କରାଯାଇଛି। ଏହି ଉଭୟ ସର୍ଜରୀକୁ ସମ୍ପୂର୍ଣ୍ଣ ରବୋଟିକ ଟେନିକ୍ ସହାୟତାରେ ଦୂରରେ ବସି ବିଶେଷଜ୍ଞଙ୍କ ଦ୍ୱାରା ସଞ୍ଚାଳିତ କରାଯାଇଛି। ତୌମାଇ ସିଷ୍ଟମ ବର୍ତ୍ତମାନ ଏକମାତ୍ର ଏପରି ରବୋଟିକ ପ୍ଲାଟଫର୍ମ ଯାହାକୁ ଟେଲିସର୍ଜରୀ ନିମନ୍ତେ ୟୁଏସ ଏଫଡିଏ ଦ୍ୱାରା ମଞ୍ଜୁରୀ ମିଳିଛି। ଏ ପର୍ୟ୍ୟନ୍ତ ୪,୧୦୦ରୁ ଅଧିକ ରବୋଟିକ୍ ସର୍ଜରୀ କରିଥିବା ଡା. ଯୁଭରାଜା ଏହି ଉପଲବ୍ଧିକୁ ସ୍ୱାସ୍ଥ୍ୟ ସେବା ନିମନ୍ତେ କ୍ରାନ୍ତିକାରୀ ବୋଲି କହିଛନ୍ତି।

ହସ୍ପିଟାଲର ସିଇଓ ତଥା ଏକଜ୍ୟୁକୁଟିଭ ଡାଇରେକ୍ଟର ଡା. ସନ୍ତୋଷ ସେଟ୍ଟି କହିଛନ୍ତି ଯେ ଅନ୍ତର୍ମହାଦ୍ୱୀପୀୟ ରିମୋଟ ସର୍ଜରୀ କରାଇବାରେ କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲ ଭାରତର ପ୍ରଥମ ହସ୍ପିଟାଲରେ ପରିଣତ ହୋଇଛି। ଏହି ସଫଳତା ମୁମ୍ବାଇ ଓ ସାଂଘାଇର ଡାକ୍ତର, ନର୍ସିଂ ଷ୍ଟାଫ, ବୈଷୟିକ ବିଶେଷଜ୍ଞ ଓ ଇଞ୍ଜିନିୟର ଟିମ୍ ର ସହଯୋଗ ଲାଗି ମିଳିଛି। ଏହା ସହ ଦେଶରେ ଟେଲି ସର୍ଜରୀର ନୂଆ ଯୁଗ ଆରମ୍ଭ ହୋଇଥିବା ବେଳେ ଭବିଷ୍ୟତରେ ବୈଶ୍ୱିକ ସ୍ୱାସ୍ଥ୍ୟ ସେବାର ଦୀଗ ମଧ୍ୟ ନିର୍ଦ୍ଧାରଣ କରିବ।