ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ସଂସ୍କାର ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ ରେଳବାଇର ଦସ୍ତାବିଜରେ ବ୍ୟବହାର କରାଯାଉଥିବା 'ସେକେଣ୍ଡ କ୍ଲାସ୍ ପ୍ୟାସେଞ୍ଜର' ଅର୍ଥାତ ଦ୍ଵିତୀୟ ଶ୍ରେଣୀ ଯାତ୍ରୀ ଶବ୍ଦ ଉପରେ କଡ଼ା ଆପତ୍ତି ପ୍ରକାଶ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ କୌଣସି ବ୍ୟକ୍ତିଙ୍କୁ ଏଭଳି ସମ୍ବୋଧନ କରିବା ସମ୍ବିଧାନର ମୂଳ ଭାବନା ବିରୋଧୀ ଅଟେ । ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ଏନ୍.କୋଟିଶ୍ଵର ସିଂହଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ ଯାତ୍ରୀଙ୍କ ଶ୍ରେଣୀ ତାଙ୍କ ଦ୍ଵାରା କରାଯାଇଥିବା ଖର୍ଚ୍ଚରୁ ନୁହେଁ, ବରଂ ସେ ଯେଉଁ କୋଚରେ ଯାତ୍ରା କରୁଛନ୍ତି ସେଥିରୁ ସ୍ଥିର ହେବା ଉଚିତ । ତେଣୁ ଭବିଷ୍ୟତରେ ଶ୍ରେଣୀର ଉଲ୍ଲେଖ ଯାତ୍ରୀଙ୍କ ବଦଳରେ କେବଳ କୋଚ୍ ବା ଡବା ସନ୍ଦର୍ଭରେ ହିଁ କରାଯିବା ଉଚିତ ।

ଏନଡିଟିଭିର ରିପୋର୍ଟ ଅନୁଯାୟୀ, ଜଷ୍ଟିସ କରୋଲଙ୍କ ଦ୍ଵାରା ଲିଖିତ ରାୟରେ କୁହାଯାଇଛି, "ରେଳବାଇ ମାନୁଆଲର ଅନେକ ପ୍ରାବଧାନକୁ ପ୍ରଭାବଶାଳୀ ଭାବେ ଲାଗୁ କରିବା ପାଇଁ ଅଧିକ କର୍ମଚାରୀଙ୍କ ଆବଶ୍ୟକତା ରହିଛି ।" ଖଣ୍ଡପୀଠ କହିଛନ୍ତି ଯେ ରେଳ ଷ୍ଟେସନ ଏବଂ ଟ୍ରେନଗୁଡ଼ିକରେ କାମ କରୁଥିବା କର୍ମଚାରୀଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି କରିବାକୁ ହେବ । ଦେଶରେ ଆଧୁନିକୀକରଣ ସମୟରେ ରେଳବାଇରେ ଯୁବକମାନଙ୍କୁ ରୋଜଗାର ଦେବା ଦ୍ଵାରା କେବଳ ସେମାନଙ୍କୁ ସ୍ଥାୟୀ ଜୀବିକା ମିଳିବ ନାହିଁ, ବରଂ ଏହା ଦ୍ଵାରା ଯାତ୍ରୀଙ୍କ ଜୀବନ ବଞ୍ଚାଇବାରେ ମଧ୍ୟ ସାହାଯ୍ୟ ମିଳିବ ।

ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବଦଳାଇଲେ

ଏହା ସହିତ ଟ୍ରେନରୁ ପଡ଼ି ମୃତ୍ୟୁବରଣ କରିଥିବା ଜଣେ ଯାତ୍ରୀଙ୍କ ପତ୍ନୀଙ୍କୁ ଆଶ୍ଵାସନା ଦେଇ ରେଳବାଇ କ୍ଲେମ୍ ଟ୍ରିବ୍ୟୁନାଲ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବଦଳାଇ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ କେବଳ ମୃତକଙ୍କ ନିକଟରୁ ଯାତ୍ରା ଟିକେଟ ନ ମିଳିବା ଆଧାରରେ ତାଙ୍କୁ ବିନା ଟିକେଟର ଯାତ୍ରୀ ବୋଲି ଧରାଯାଇ ପାରିବ ନାହିଁ । ସୁପ୍ରିମକୋର୍ଟ କହିଛନ୍ତି ଯେ ମୃତକଙ୍କ ପତ୍ନୀ ନିଜ ସତ୍ୟପାଠରେରେ ସ୍ପଷ୍ଟ ଭାବେ ଜଣାଇଥିଲେ ଯେ ତାଙ୍କ ସ୍ଵାମୀଙ୍କ ପାଖରେ ବୈଧ ରେଳ ଟିକେଟ ଥିଲା । କିନ୍ତୁ ଦୁର୍ଘଟଣା ସମୟରେ ଟିକେଟ ରଖାଯାଇଥିଲା ତାଙ୍କ ବ୍ୟାଗ୍ ହଜିଯାଇଥିଲା । ଅଦାଲତ କହିଛନ୍ତି ଯେ ମୃତକ ଟ୍ରେନରେ ଯାତ୍ରା କରୁଥିଲେ ଏବଂ ତାଙ୍କ ମୃତ୍ୟୁ ରେଳବାଇର ଅପ୍ରୀତିକର ପରିସ୍ଥିତି କାରଣରୁ ହୋଇଛି, ଏଥିରେ କୌଣସି ବିବାଦ ନାହିଁ ।

ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି ଯେ ପୂର୍ବର ନ୍ୟାୟିକ ନିଷ୍ପତ୍ତି ଅନୁସାରେ, ମୃତ ଯାତ୍ରୀଙ୍କ ନିକଟରୁ ଟିକେଟ ନ ମିଳିଲେ ତାଙ୍କୁ ବୈଧ ଯାତ୍ରୀର ମାନ୍ୟତାରୁ ବଞ୍ଚିତ କରେ ନାହିଁ । ଦାବିର ପ୍ରାରମ୍ଭିକ ଯାଞ୍ଚ ପାଇଁ ପତ୍ନୀଙ୍କ ସତ୍ୟପାଠ ହିଁ ଯଥେଷ୍ଟ ଅଟେ । ସୁପ୍ରିମକୋର୍ଟ ରେଳବାଇ ମାନୁଆଲର ମଧ୍ୟ ଉଲ୍ଲେଖ କରି କହିଛନ୍ତି ଯେ ଯଦି ଟିକେଟ ଯାଞ୍ଚର ନିର୍ଦ୍ଧାରିତ ପ୍ରକ୍ରିୟା ପାଳନ କରାଯାଇଥାନ୍ତା, ତେବେ ବିବାଦ ସ୍ଥିତି ଉପୁଜି ନଥାନ୍ତା । ସୁପ୍ରିମକୋର୍ଟ ପତ୍ନୀଙ୍କୁ ସୁଧ ସହିତ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୫ ନଭେମ୍ବର ୨୮ର ଏହି ଘଟଣା । ମୃତ ଚନ୍ଦ୍ରକାନ୍ତ ଠକ୍କର ରାୟପୁରରୁ ଅହମଦାବାଦ ଯିବା ପାଇଁ ଟ୍ରେନ୍ ନମ୍ବର ୧୨୮୩୪ ଅହମଦାବାଦ-ହାଓଡ଼ା ମେଲ୍ରେ ଯାତ୍ରା କରୁଥିଲେ । ତେଗାଓଁ ସେକ୍ସନ ନିକଟରେ ଚଲନ୍ତା ଟ୍ରେନରୁ ପଡ଼ିଯିବା ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପତ୍ନୀ ରେଳବାଇ ଦାବି ଟ୍ରିବ୍ୟୁନାଲ ଅଧିନିୟମ, ୧୯୮୭ ଅଧୀନରେ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ୧୮ ପ୍ରତିଶତ ସୁଧ ଦାବି କରି ଆବେଦନ କରିଥିଲେ । ସେ କହିଥିଲେ ଯେ ମୃତକଙ୍କ ସାମଗ୍ରୀ ମଧ୍ୟରେ ଯାତ୍ରା ଟିକେଟ ଥିଲା, କିନ୍ତୁ ସାମଗ୍ରୀ ହଜିଯିବା କାରଣରୁ ଟିକେଟ ଉଦ୍ଧାର କରାଯାଇ ପାରିଲା ନାହିଁ । ସେ ଦାବି କରିଥିଲେ ଯେ ମୃତକ ବ୍ୟବସାୟ କାମରେ ଅହମଦାବାଦ ଯାଉଥିଲେ ଏବଂ ସେ ଜଣେ ବୈଧ ଯାତ୍ରୀ ଥିଲେ ।

ରେଳବାଇ କ୍ଲେମ୍ ଟ୍ରିବ୍ୟୁନାଲ ମୃତକ ଜଣେ ବୈଧ ଯାତ୍ରୀ ନଥିବା କହି ଦାବିକୁ ଖାରଜ କରିଦେଇଥିଲା । ତେବେ ଟ୍ରିବ୍ୟୁନାଲ ସ୍ୱୀକାର କରିଥିଲା ଯେ ଏହି ଘଟଣା ରେଳବାଇ ଆକ୍ଟ ଅନୁସାରେ ଅପ୍ରୀତିକର ଘଟଣା ଶ୍ରେଣୀରେ ଆସୁଛି, କିନ୍ତୁ ଯାତ୍ରୀଙ୍କ ବୈଧତା ପ୍ରମାଣିତ ନ ହେବା କାରଣରୁ କ୍ଷତିପୂରଣ ଦିଆଯାଇପାରିବ ନାହିଁ । ମଧ୍ୟପ୍ରଦେଶ ହାଇକୋର୍ଟ ମଧ୍ୟ ୩ ଜାନୁଆରୀ ୨୦୨୪ର ନିଜ ନିଷ୍ପତ୍ତିରେ ଟ୍ରିବ୍ୟୁନାଲର ରାୟକୁ କାଏମ ରଖିଥିଲେ । ମୃତକଙ୍କ ପତ୍ନୀ ଏହି ଦୁଇଟିଯାକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅପିଲ୍ ଦାୟର କରିଥିଲେ ।