ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପାଖରେ ଆୟଠାରୁ ଅଧିକ ସମ୍ପତ୍ତି ଥିବା ମାମଲାରେ ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଯଦି କଂଗ୍ରେସ ନେତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଥିଲା, ତେବେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ନିଜ ଆଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କାହିଁକି ନୀରବ ଥିଲେ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।  ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ନୋଟିସ୍ ଜାରି କରିବା ସହ ନିର୍ଦ୍ଦେଶ ଦେଇଛନ୍ତି, ‘ଏହି ସମୟ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଅନୁସାରେ CBI, ED କିମ୍ବା ଅନ୍ୟ କୌଣସି ସଂସ୍ଥା କୌଣସି ରିପୋର୍ଟ ଦାଖଲ କରିପାରିବେ ନାହିଁ।"  

ଏହି ମାମଲାଟି ଅଗଷ୍ଟ ୨୦ ତାରିଖରେ ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ପାଇଁ ତାଲିକାଭୁକ୍ତ ଥିବା ଜାଣିବା ପରେ, ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ହାଇକୋର୍ଟରେ ଏହି ଶୁଣାଣିକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ, ଯଦି ସଂସ୍ଥାଗୁଡ଼ିକ ନିକଟରେ ଆୟବହିର୍ଭୂତ ସମ୍ପତ୍ତିର ପ୍ରକୃତ ପ୍ରମାଣ ଥିଲା, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ କାହିଁକି ଦରକାର ପଡ଼ିଲା ? ସେମାନେ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିଜ ଆଡ଼ୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କି ନାହିଁ ବୋଲି ପଚାରିଥିଲେ।

ବିଜେପି କାର୍ଯ୍ୟକର୍ତ୍ତା ଏସ୍. ଭିଗ୍ନେଶ ଶିଶିରଙ୍କ ଦ୍ୱାରା ଦାଖଲ ଆବେଦନ ଉପରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶାବଳୀକୁ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶିଶିର ନିଜ ଆବେଦନରେ ରାହୁଲ ଗାନ୍ଧୀ ଏବଂ ତାଙ୍କ ପରିବାର ବିରୋଧରେ ତଦନ୍ତ ଦାବି କରିଥିଲେ।  ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ତଦନ୍ତକାରୀ ସଂସ୍ଥା ନିକଟରେ କୌଣସି ବ୍ୟକ୍ତିଙ୍କ ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ତଥ୍ୟ ଥାଏ, ତେବେ ସେ ଆଇନ ଅନୁଯାୟୀ ନିଜେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ, ଏଥିପାଇଁ କୋର୍ଟଙ୍କ ନିର୍ଦ୍ଦେଶର ଆବଶ୍ୟକତା ନାହିଁ।

CBI ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ୍ ଏସ୍.ଭି. ରାଜୁଙ୍କୁ ପ୍ରଶ୍ନ କରି ଖଣ୍ଡପୀଠ କହିଥିଲେ, ‘ଯଦି ଅଭିଯୋଗ ଏତେ ଗୁରୁତର, ତେବେ ଆପଣଙ୍କ ସଂସ୍ଥା କାହିଁକି ଚୁପ୍ ରହିଥିଲା ? ମିଷ୍ଟର ରାଜୁ, ଆପଣଙ୍କୁ କ’ଣ କୋର୍ଟଙ୍କ ନିର୍ଦ୍ଦେଶ ଦରକାର ? ଆପଣ ନିଜ ଆଡ଼ୁ କିଛି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କି ? ’ଗତ ମେ’ ମାସରେ ଆହ୍ଲାବାଦ ହାଇକୋର୍ଟ CBI ଏବଂ ED କୁ ଶିଶିରଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗଗୁଡ଼ିକର ସତ୍ୟାସତ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଜୁଲାଇ ୨୦ ଆଦେଶରେ, ହାଇକୋର୍ଟ CBI ର ଜବାବରେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ତଦନ୍ତର ଅଗ୍ରଗତି ବୁଝିପାରୁନାହାନ୍ତି ବୋଲି କହିବା ସହ ନୂଆ ସତ୍ୟପାଠ ମାଗିଥିଲେ।  

ଏହାକୁ ବିରୋଧ କରି ରାହୁଲ ଗାନ୍ଧୀ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ, କୌଣସି ବ୍ୟକ୍ତିଙ୍କ ବିରୋଧରେ ଆଦେଶ ଦେବା ପୂର୍ବରୁ ତାଙ୍କୁ ଶୁଣାଣିର ସୁଯୋଗ ଦେବା ନାଗରିକ ନ୍ୟାୟର ମୌଳିକ ନିୟମ , ଯାହା ପାଳନ କରାଯିବା ଉଚିତ୍।  ସୂଚନାଯୋଗ୍ୟ, ଆବେଦନକାରୀ ଶିଶିର ରାହୁଲ ଗାନ୍ଧୀଙ୍କ ନାଗରିକତା ନିୟମ ଉଲ୍ଲଂଘନ ଏବଂ ବ୍ରିଟିଶ ପାସପୋର୍ଟ ଥିବା ନେଇ ଆଉ ଏକ ପୃଥକ୍ ମାମଲା ମଧ୍ୟ ଆହ୍ଲାବାଦ ହାଇକୋର୍ଟରେ ଦାୟର କରିଛନ୍ତି, ଏହା ବିଚାରାଧୀନ ରହିଛି।