ନୂଆଦିଲ୍ଲୀ,|୦୬ଘରୋଇ ମେଡିକାଲ କଲେଜଗୁଡ଼ିକୁ ସରକାରୀ କଲେଜ ଭଳି ଫି’ ନେବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ବେସରକାରୀ କଲେଜ ସରକାରୀ କଲେଜ ଭଳି ହୋଇପାରିବ ନାହିଁ। ସୁପ୍ରିମକୋର୍ଟ ବୁଧବାର ଏହି ଗୁରୁତ୍ବପୂର୍ଣ ଟିପ୍ପଣୀ ଦେଇଛନ୍ତି । ତତ୍ ସହିତ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବଲୁଏସ୍)ର ଆୟ ସୀମା ଏବଂ ଘରୋଇ ମେଡିକାଲ କଲେଜରେ ଫି' ଢାଞ୍ଚାକୁ ଚ୍ୟାଲେଞ୍ଜ କରି ଆଗତ ଏକ ପିଟିସନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

Also Read :- ମୁନୀରଙ୍କୁ ହତ୍ୟା କରିଥାନ୍ତା 'ମୋସାଦ', ଅଳ୍ପକେ ଖସିଗଲେ ପାକିସ୍ତାନୀ ସେନାମୁଖ୍ୟ !

ପିଟିସନରେ ଇଡବଲୁଏସ ବର୍ଗ ପାଇଁ ବାର୍ଷିକ ୮ ଲକ୍ଷ ଟଙ୍କା ଆୟ ସୀମା ରଖାଯିବା ଏବଂ ଘରୋଇ ମେଡିକାଲ କଲେଜରେ ବିପୁଳ ଫି’ ଭରିବାକୁ ନେଇ ପ୍ରଶ୍ନ ଉଠାଯାଇଥିଲା। ଇଡବଲୁଏସ୍ କୋଟାରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହେଉଥିବା ଅନେକ ଛାତ୍ରଛାତ୍ରୀ ଏମବିବିଏସ୍ କୋର୍ସ ଖର୍ଚ୍ଚ ଉଠାଇ ପାରୁନାହାନ୍ତି । କାରଣ ଏହାର ବାର୍ଷିକ ଫି’ ପ୍ରାୟ ୧୯ ଲକ୍ଷରୁ ୨୫ ଲକ୍ଷ ଟଙ୍କା ରହୁଥିବା ପିଟିସନରେ କୁହାଯାଇଥିଲା। ତେବେ ଘରୋଇ ମେଡିକାଲ କଲେଜ ଫି’ର ଢାଞ୍ଚା ବଦଳାଯିବା ଠିକ୍ ନୁହେଁ ବୋଲି ପୂର୍ବରୁ ରାଜସ୍ଥାନ ହାଇକୋର୍ଟ ଦେଇଥିବା ରାୟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଜଷ୍ଟିସ୍ ବି ଭି ନାଗରତ୍ନା ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚିଙ୍କ ଖଣ୍ଡପୀଠ ହାଇକୋର୍ଟଙ୍କ ନିଷ୍ପଭିକୁ କାଏମ ରଖିଛନ୍ତି, ଯେଉଁଥିରେ ରାଜ୍ୟ ଶୁଳ୍କ ନିୟାମକ କମିଟି ଦ୍ଵାରା ଧାର୍ଯ୍ୟ ଶୁଳ୍କ ଢାଞ୍ଚାକୁ ଆଇନତଃ ବୈଧ ଦର୍ଶାଯାଇଥିଲା।

ବେସରକାରୀ ମେଡିକାଲ କଲେଜଗୁଡ଼ିକରେ ମାତ୍ରାଧିକ ଫି’ ନିଆଯାଉଥିବା କହି ପିଟିସନର ଯୁକ୍ତି ରଖିଥିଲେ ଯେ, ଯେତେବେଳେ ଇଡବଲୁଏସ୍ ବର୍ଗର ବାର୍ଷିକ ଆୟ ସୀମା ୮ ଲକ୍ଷ ଟଙ୍କା ସେତେବେଳେ ସେମାନେ କିଭଳି ବର୍ଷକୁ ୧୮ ଲକ୍ଷରୁ ୨୫ ଲକ୍ଷ ଟଙ୍କା ଫି' ଦେଇପାରିବେ। ଏତେ ଫି’ ହେବା ଯୋଗୁ ସଂରକ୍ଷଣ ପାଇଁ ଯୋଗ୍ୟ ହୋଇଥିଲେ ବି ଅନେକ ଇଡବ୍ଲ୍ୟୁଏସ ପ୍ରାର୍ଥୀ ମେଡିକାଲ ପାଠ ପଢ଼ି ପାରୁ ନାହାନ୍ତି। ଏହା ଉପରେ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଥିଲେ, ବେସରକାରୀ ଏବଂ ସରକାରୀ ଶିକ୍ଷାନୁଷ୍ଠାନର ଆର୍ଥିକ ମଡେଲ ଭିନ୍ନ। ତେଣୁ ସେମାନଙ୍କ ଉପରେ ଏକା ଭଳି ଫି' ଷ୍ଟ୍ରକଚର ଲାଗୁ ହୋଇପାରିବ ନାହିଁ। ସରକାରୀ କଲେଜଗୁଡ଼ିକ ସରକାରଙ୍କଠାରୁ ଅନୁଦାନ ପାଇଥାନ୍ତି। କିନ୍ତୁ ଘରୋଇ କଲେଜ ତାହା ପାଇ ନ ଥାନ୍ତି। ସେମାନେ ନିଜ ବ୍ୟବସ୍ଥା ନିଜେ କରିଥାନ୍ତି। ଖଣ୍ଡପୀଠ ଆହୁରି କହିଛନ୍ତି, ବେସରକାରୀ ମେଡିକାଲ କଲେଜଗୁଡ଼ିକର ଫି’ ସରକାରୀ କଲେଜ ଭଳି କରାଗଲେ ଚିକିତ୍ସା କ୍ଷେତ୍ରରେ ସେମାନଙ୍କ ଯୋଗଦାନ ହ୍ରାସ ପାଇବ। ଯେଉଁ ଛାତ୍ର ଛାତ୍ରୀ ବେସରକାରୀ ମେଡିକାଲ କଲେଜର ଫି' ଦେବାକୁ ଅସମର୍ଥ ସେମାନେ ବୃଭି, ସବଭେନସନ (ଆର୍ଥିକ ସହାୟତା) କିମ୍ବା ଅନ୍ୟାନ୍ୟ ସହଯୋଗର ବିକଳ୍ପ ଖୋଜି ପାରିବେ।

ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ କହିଥିଲେ, ମେଡିକାଲ କଲେଜଗୁଡ଼ିକରେ ସିଟ୍ ସଂଖ୍ୟା ବୃଦ୍ଧି ସମ୍ପର୍କିତ ନିୟମ ଯୋଗୁ କେତେକ ସିଟକୁ ସାଧାରଣ ବର୍ଗର ସିଟରେ ପରିଣତ କରିବାକୁ ଅନୁମତି ମିଳୁଛି, ଯାହା ଶିକ୍ଷାର ସୁଲଭତା ଏବଂ ସୁଯୋଗ ପାଇବା ନେଇ ଚିନ୍ତା ବଢ଼ାଉଛି। ଏ ନେଇ ଜଷ୍ଟିସ୍ ନାଗରତ୍ନା କହିଲେ, ନାମଲେଖା ପାଇଁ କ୍ୟାପିଟେସନ ଫି' ବେଆଇନ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ସରକାରୀ କଲେଜ ସହ ସମାନ ଫି’ ନେବାକୁ ବାଧ୍ୟ ହେବେ । ଏପରି ହେଲେ ବେସରକାରୀ ଶିକ୍ଷାନୁଷ୍ଠାନ ସେମାନଙ୍କ ଅନୁଷ୍ଠାନ ବନ୍ଦ କରି ଅନ୍ୟ ବ୍ୟବସାୟ ଆଡ଼କୁ ଚାଲିଯିବେ। ଦେଶରେ ଅଧିକ ଡାକ୍ତରଙ୍କ ଆବଶ୍ୟକତା ରହିଛି। ଦେଶର ଚିକିତ୍ସା ଶିକ୍ଷା କ୍ଷମତା ବୃଦ୍ଧି କରିବାରେ ବେସରକାରୀ ମେଡିକାଲ କଲେଜଗୁଡ଼ିକର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ।

ଏହାପରେ ସୁପ୍ରିମ କୋର୍ଟ ପିଆଇଏଲ୍ ଖାରଜ କରିଦେବା ସହ ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଥିଲେ । ତେବେ ଏହି ମାମଲାରେ ଅନେକ ଆଇନଗତ ପ୍ରସଙ୍ଗ ଅଛି ଯାହା ଏବେ ଅବୁଝା ହୋଇ ରହିଛି। ଏହା ଉପରେ ଯଦି କୌଣସି ଆଇନଗତ ପ୍ରଶ୍ନ ଥାଏ ତେବେ ତାହାର ବିଚାର ଅଦାଲତ କରିପାରିବେ ବୋଲି ସୁପ୍ରିମକୋର୍ଟ ଦର୍ଶାଇଥିଲେ ।