ନୂଆଦିଲ୍ଲୀ, ୨୪/୦୯ : ବାର୍ କାଉନସିଲ ଅଫ୍ ଇଣ୍ଡିଆ (ବିସିଆଇ)ର ଅଧିକାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିଛନ୍ତି। ବିସିଆଇ ପାଖରେ ଲ’ କଲେଜ ଏବଂ ୟୁନିଭର୍ସିଟିର ଆଇନ ଶିକ୍ଷା ନିୟନ୍ତ୍ରଣ କରିବାର ଅଧିକାର ଅଛି କି ନାହିଁ ତାହା ଯାଞ୍ଚ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଏହି ମାମଲା ନ୍ୟାସନାଲ ଏକାଡେମୀ ଅଫ୍ ଲିଗାଲ ଷ୍ଟଡିଜ୍ ଆଣ୍ଡ ରିସର୍ଚ୍ଚ(ନାଲସାର) ୟୁନିଭର୍ସିଟି, ହାଇଦ୍ରାବାଦର ୨୦୨୬ ବ୍ୟାଚ୍ ଗ୍ରାଜୁଏଟଙ୍କ ଏନରୋଲମେଣ୍ଟ ରୋକିବା ବିବାଦ ସହ ଜଡ଼ିତ । ବିସିଆଇ ଗତ ଅଗଷ୍ଟ ୧୩ରେ ସମସ୍ତ ରାଜ୍ୟ ବାର୍ କାଉନସିଲଙ୍କୁ ନିର୍ଦ୍ଦେଶ ଦେଇଥିଲା ଯେ, ନାଲସାର ୨୦୨୬ ବ୍ୟାଚର କୌଣସି ଗ୍ରାଜୁଏଟଙ୍କୁ ଓକିଲ ଭାବେ ପଞ୍ଜୀକରଣ କରା ନ ଯାଉ। ଏହାକୁ ନେଇ ବିବାଦ ହେବା ପରେ ବିସିଆଇ ଏହି ନିର୍ଦ୍ଦେଶ ପ୍ରତ୍ୟାହାର କରିଥିଲା।

ପ୍ରଧାନ ବିଚାରପତି( ସିଜେଆଇ) ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ବିସିଆଇ-ପର୍ଲ ଫାଷ୍ଟ ଟ୍ରଷ୍ଟର କାର୍ଯ୍ୟ ଏବଂ ଟ୍ରଷ୍ଟ ପକ୍ଷରୁ ଲ’ କଲେଜ ଖୋଲିବାକୁ ଚ୍ୟାଲେଞ୍ଜ କରି ହୋଇଥିବା ପିଟିସନ ଉପରେ ଶୁଣାଣି କରି ଏହା କହିଛନ୍ତି । ଏଥିସହ ସୁପ୍ରିମକୋର୍ଟ ନୋଟିସ ଜାରି କରି ବିସିଆଇକୁ ୨ ସପ୍ତାହରେ ଜବାବ ମାଗିଛନ୍ତି।

Also Read :- ଖେଳୁଛନ୍ତି ଏବଂ ଆକ୍ଟିଭ୍ ଅଛନ୍ତି, କିନ୍ତୁ ଗୋଟିଏ ଓରାଙ୍ଗଓଟାନ ଦେହରେ ବଢୁନି ରକ୍ତ !

ବିବାଦର କାରଣ ହେଉଛି ବିସିଆଇ ନିଜେ ଲ’ କଲେଜକୁ ମାନ୍ୟତା ଦେବା/ନିୟନ୍ତ୍ରିତ କରିବା ଭୂମିକା ନିଭାଉଛି। ଏପରି ସ୍ଥିତିରେ ବିସିଆଇ ସହ ଜଡ଼ିତ ଟ୍ରଷ୍ଟ ଯଦି ନିଜେ ଲ’ ସଂସ୍ଥା ଚଲାଏ ତେବେ କ'ଣ ଏହାଦ୍ୱାରା ନିୟାମକ ଏବଂ ସଂସ୍ଥା ଚଲାଇବାର ଭୂମିକା ପରସ୍ପର ମଧ୍ୟରେ ସ୍ବାର୍ଥ ବିରୋଧୀ ହୋଇପାରିବ କି ବୋଲି ପ୍ରଶ୍ନ ଉଠିଛି। ସିଜେଆଇ ସୂର୍ଯ୍ୟକାନ୍ତ କହିଥିଲେ, ବିସିଆଇ ସାଧାରଣ ଦିଶା ନିର୍ଦ୍ଦେଶ, ପାଠ୍ୟକ୍ରମ ଏବଂ କୋର୍ସ ଅବଧି ଭଳି ମାନକ ସ୍ଥିର କରିପାରିବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସଂସ୍ଥାଗୁଡ଼ିକୁ ପରିଚାଳନା କରିବାର ଅଧିକାର ବିସିଆଇକୁ ମିଳିଯିବ। ଏଥିସହ ବିସିଆଇକୁ ଆଇନ ଶିକ୍ଷା ପରିଚାଳନା କରୁଥିବା ବିଶେଷଜ୍ଞ ସଂସ୍ଥା କିପରି ବିବେଚନା କରାଯାଇପାରିବ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଥିଲେ।